ଇଟାଭାଟି ମାଲିକଙ୍କ ହିଟଲରୀ ଶାସନ : ନଦୀ ପଠା ଓ ଖେଳପଡିଆ ଉପରେ କବଜା, ଗାଁ ଲୋକେ ଅସନ୍ତୁଷ୍ଟ

ଫଳରେ ପାଖରେ ଥିବା ଅନ୍ୟ ଜମିରେ ଅତଡ଼ା ଖସୁଛି ଏବଂ ଧାନ ଚାଷ ହୋଇ ପାରୁ ନାହିଁ. ତେଣୁ ଏଭଳି ଅନେକ ସମସ୍ୟା ସୃଷ୍ଟି ହେଉଛି । ଏପରି ମାଟି ଖୋଳା ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସବୁ ଜାଣି ଚୁପ

ଇଟାଭାଟି ମାଲିକଙ୍କ ହିଟଲରୀ ଶାସନ

ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୦ ବର୍ଷ ହେଲା ବେଆଇନ ଭାବେ ନଦୀ ପଠା ଏବଂ ଗାଁ ଖେଳ ପଡିଆକୁ ଜବର ଦଖଲ କରିଛନ୍ତି ଜଣେ ଇଟା ଭାଟି ମାଲିକ । ଜବର ଦଖଲ ସ୍ଥାନରେ ଇଟା ଭାଟି ନିର୍ମାଣ କରି ପଡିଆ ସଂଲଗ୍ନ ପ୍ରାୟ ୧୮ ଏକର ଜମିକୁ ନିଜ କବଜାକୁ ନେଇ ହିଟଲରି ଶାସନ ଚଳାଇଛନ୍ତି । ଫଳରେ ଗାଁରେ ଅଶାନ୍ତ ବାତାବରଣ ବଢ଼ିବାରେ ଲାଗିଛି । ଏଭଳି ଘଟଣା ଦେଖା ଯାଇଛି ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧୀନ ଅଣିଜ ପଂଚାୟତର ନରିପୁର ଗାଁରେ । ଏଠାରେ ଜଣେ ଇଟା ଭାଟି ମାଲିକ ପ୍ରଥମେ ଆସି ଏକ ଛୋଟିଆ ସ୍ଥାନରେ ଇଟା ଭାଟି ଆରମ୍ଭ କରିଥିଲେ । ତେବେ ପରବର୍ତୀ ସମୟରେ ସେ ସାଳନ୍ଦୀ ନଦୀ ଭିତରୁ ବେଆଇନ ବାଲି ଉଠାଣ ଓ ନଦୀ ପଠାରୁ ମାଟି ନେଲେ । ତେବେ ଏପରି ବେଆଇନ ଜବର ଦଖଲ ଉଛେଦ ପାଇଁ ଗାଁ ଲୋକ ମାନେ ସ୍ଥାନୀୟ ତହସିଲଦାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଅଭିଯୋଗ କରୁଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ଅଣିଜ ପଂଚାୟତର ନରିପୁର ଗାଁ ପାଖ ସାଳନ୍ଦୀ ନଦୀ ପଠାରେ ଗୋଟିଏ ବେଆଇନ ଇଟା ଭାଟି ଚାଲିବା ଯୋଗୁ ଗାଁରେ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଛି । ଏହି ଗାଁ ପାଖ ରେ ଜଣେ ବାହାର ବ୍ୟକ୍ତି ଆସି ଆଜିକୁ ୧୦ ବର୍ଷ ହେଲା ଇଟା ଭାଟି ନିର୍ମାଣ କରିଛନ୍ତି । ପ୍ରଥମେ ଗାଁ ଲୋକ ମାନେ ଏଥିପାଇଁ କିଛି ବିରୋଧ କରିନଥିଲେ । କିନ୍ତୁ ସମ୍ପୃକ୍ତ ଇଟା ଭାଟି ମାଲିକ ବର୍ଷକୁ ବର୍ଷ ନିଜର ବିସ୍ତାରବାଦୀ କାର୍ଯ୍ୟ ଆରମ୍ଭ କରି ଏବେ ଗାଁ ପାଖରେ ଥିବା ନଦୀ ପଠା ଓ ଖେଳ ପଡିଆ ସଲଗ୍ନ ପ୍ରାୟ ୧୮ ଏକର ଗୋଚର ଏବଂ ଅନାବାଦୀ ଜମିକୁ ନିଜ ଦଖଲ ନେଇ ମାଟି ଖନନ କରିଛନ୍ତି । ନଦୀ ପଠାକୁ ଖନନ ସହିତ ବେଆଇନ ବାଲି ଉଠାଣ ଯୋଗୁ ନଦୀର ଗତି ପଥ ଏବେ ଗାଁ ମୁହାଁ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ସେହିପରି ଦୀର୍ଘ ଦଶନ୍ଧି ହେବ ଗାଁ ପାଖ ପଡିଆରେ ପିଲାମାନେ ଖେଳିବା ସହିତ ଗୋରୁ ଗାଇ ମାନେ ଚରୁଥିଲେ । ତେବେ ଇଟା ନିର୍ମାଣ ପାଇଁ ପଡିଆରୁ ମାଟି ଉଠାଯାଇ ବଡ଼ ବଡ଼ ଗାତ ସୃଷ୍ଟି ଯୋଗୁ ନା ପିଲା ମାନେ ଖେଳି ପାରୁଛନ୍ତି ନା ଗାଇଗୋରୁ ପଡିଆକୁ ଯାଇ ପାରୁଛନ୍ତି । ଏପରିକି ଯଦି ଗୋରୁଟିଏ ଭୁଲରେ ପଡିଆକୁ ଗଲା, ତେବେ ସେହି ଗାତରେ ପଡି ପ୍ରାଣ ହରାଉଛି । ସେହିପରି ଇଟା ଭାଟି ଯୋଗୁ ଗାଁ ଭିତରେ ଟ୍ରକ ଟ୍ରାକ୍ଟର ଯାଇ ରାସ୍ତା ମଧ୍ୟ ଖରାପ ହୋଇ ଗଲାଣି । ଇଟା ଭାଟିର ନିଆଁ ଓ ଧୂଆଁ ଯୋଗୁ ଗାଁରେ ଥିବା ସବୁଜ ପରିବେଶ ଏବେ ସମ୍ପୃନ୍ନ ନଷ୍ଟ ହୋଇ ଗଲାଣି । କେବଳ ସେତିକି ନୁହେଁ ଇଟା ଭାଟି ମାଲିକ ଏବେ ଗାଁର କିଛି ଗରିବ ଲୋକଙ୍କୁ ପ୍ରଲୋଭିତ କରି ତାଙ୍କ ଜମିରୁ ଗଭୀର କରି ମାଟି ଉଠାଣ କରୁଛନ୍ତି ।

ଫଳରେ ପାଖରେ ଥିବା ଅନ୍ୟ ଜମିରେ ଅତଡ଼ା ଖସୁଛି ଏବଂ ଧାନ ଚାଷ ହୋଇ ପାରୁ ନାହିଁ. ତେଣୁ ଏଭଳି ଅନେକ ସମସ୍ୟା ସୃଷ୍ଟି ହେଉଛି । ଏପରି ମାଟି ଖୋଳା ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ସବୁ ଜାଣି ଚୁପ । ତେଣୁ ଲୋକ ମାନେ ଅତିଷ୍ଟ ହୋଇ ପ୍ରଶାସନକୁ ଜଣାଇ ଆସୁଥିଲେ ମଧ୍ୟ ସେମାନେ ଇଟା ଭାଟି ମାଲିକଙ୍କ ଠାରୁ ବେଶ ଭଲ ଭାବରେ ଅର୍ଥ ନେଇ ଚୁପ ବସୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି । ନରିପୁର ଅଂଚଳରେ ଚାଲିଥିବା ଏଭଳି ବେଆଇନ କାର୍ଯ୍ୟର ତଦନ୍ତ ଓ ଆବଶକୀୟ କାର୍ଯ୍ୟାନୁଷ୍ଠାନ କେବେ ହେବ ତାହାକୁ ଗ୍ରାମବାସୀ ଅନାଇ ରହିଛନ୍ତି ।

ଭଦ୍ରକରୁ ପାର୍ଥ ସାରଥୀ ନାୟକ