ସମାଜ ପାଇଁ ଘୃଣ୍ୟ ପ୍ରଥା ଥିଲା କଣ୍ଟ୍ରାକଚ୍ୟୁଆଲ। ଯେଉଁଭଳି ଭାବେ ଦରଦାମ ବଢିଲାଣି, ଆମେ ସେଥିରେ ଚଳିଥାନ୍ତୁ ବା କେମିତି? ଆମେ କରିଥିବା ଆନ୍ଦୋଳନର ଫଳ ପାଇଲୁ। ରାଜ୍ୟରେ ଚୁକ୍ତିଭିତ୍ତିକ ପ୍ରଥା ଉଠିବା ପରେ ଏହା କହିଛନ୍ତି ରାଜ୍ୟର ଠିକା କର୍ମଚାରୀ। ସେ କହିଛନ୍ତି ଯେ ୨୦୧୩ରୁ କଣ୍ଟ୍ରାକ୍ଚୁଆଲ ପଦ୍ଧତି ପ୍ରଚଳିତ ହୋଇଆସୁଥିଲା। ଏଥିପାଇଁ ପ୍ରତି ଅଫିସରେ ଚୁକ୍ତିଭିତ୍ତିକ ପିଲାଙ୍କୁ ଏକପ୍ରକାର ବାସନ୍ଦ କଲାପରି ରଖାଯାଉଥିଲା। ଠିକା କର୍ମଚାରୀ କହି କୌଣସି ପ୍ରକାରର ସମ୍ମାନ ମିଳୁନଥିଲା। ଯେତିକି ସମୟ ରେଗୁଲାର କର୍ମଚାରୀ କାମ କରୁଥିଲେ, ସେତିକି ସମୟ ଚୁକ୍ତିଭିତ୍ତିକ କର୍ମଚାରୀ ବି କାମ କରୁଥିଲେ କିନ୍ତୁ ସମାନ କାମକୁ ଭିନ୍ନ ଦରମା ଦେଉଥିଲା। ଚୁକ୍ତିଭିତ୍ତିକ ନିୟମ ପାଇଁ କର୍ମଚାରୀ କୌଣସି ପ୍ରକାରର ଲାଭବାନ ହୋଇପାରୁନଥିଲେ। ସେ ଯାହା ହେଉ ବହୁ ବିଳମ୍ବରେ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏହି କଣ୍ଟ୍ରାକ୍ଚୁଆଲ ନିୟମ ଉଠାଇଛନ୍ତି। ଏହା ସମାଜ ପାଇଁ ଘୃଣ୍ୟ ପ୍ରଥା ଥିଲା।
ସେହିପରି ଅନ୍ୟ ଜଣେ ଠିକା କର୍ମଚାରୀ କହିଛନ୍ତି ଯେ ମୁଁ ଜରୁରୀକାଳୀନ ବିଭାଗରେ କାମ କରୁଛି। ରୋଗୀଙ୍କ ସେବା କରେ। କିନ୍ତୁ କଣ୍ଟ୍ରାକ୍ଚୁଆଲ ବୋଲି ଶବ୍ଦ ମୋତେ ଭାରି ବାଧେ। କେବଳ ସେତିକି ନୁହେଁ, ସମାନ କାମ କରିବି ସେମାନଙ୍କ ପ୍ରାପ୍ୟର ଭାଗେ ଟଙ୍କା ଆମକୁ ମିଳେ। ଯେଉଁଭଳି ଭାବେ ଦରଦାମ ବଢିଲାଣି, ଆମେ ସେଥିରେ ଚଳିଥାନ୍ତୁ ବା କେମିତି? ଶେଷରେ ଆମେ କରିଥିବା ଆନ୍ଦୋଳନର ଫଳ ପାଇଛୁ। ଚୁକ୍ତିଭିତ୍ତିକ ପ୍ରଥା ଉଠିଛି।
ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ପାରିତ ହୋଇଛି। ଏହାଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହେବେ। ଏହାକୁ ଦୀପାବଳି ଭେଟି କହିବା ସହ ଆଜିଠୁ ଚୁକ୍ତିଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ ସହ କର୍ମଚାରୀଙ୍କୁ ନିୟମିତ କରିବା ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ କରାଯିବ।
୨୦୧୭ରୁ ଏହି ଆନ୍ଦୋଳନ ତେଜିଥିଲା, ୨୦୧୮ ଓ ୨୦୨୧ରେ ନିଜ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ । ସେମାନଙ୍କ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲା କିନ୍ତୁ ସମ୍ପୂର୍ଣ୍ଣ ଦାବି ପୂରଣ ହୋଇନଥିଲା । ତେଣୁ ଏଥର ମାସେ ଭିତରେ ଦାବି ପୂରଣ ନହେଲେ, ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ଚେତାବନୀ ଦେଇଥିଲା ସଂଘ ।