କାବୁଲ୍: ତାଲିବାନର ସୋସିଆଲ ମିଡିଆ ପ୍ରୀତି । ଆମେରିକା ଦରକାର ନାହିଁ କି ଆମେରିକୀୟ ସୈନ୍ୟ । ମାତ୍ର ଦରକାର ଆମେରିକୀୟ କଂପାନୀଙ୍କ ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ। ତାଲିବାନ ବଦଳି ଯାଇଥିବା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସଂଗଠନ ପାଇଁ ନିହାତି ଆବଶ୍ୟକ ସୋସିଆଲ ମିଡିଆ ପ୍ଲାଟଫର୍ମ । ତେବେ ଫେସବୁକ୍, ହ୍ୱାଟସଅପ୍ ଓ ୟୁଟୁ୍ୟବ୍ ଆଦି ତାଲିବାନ ଉପରେ କଟକଣା ଲଗାଇବା ନେଇ ଖପ୍ପା ହୋଇଛି ସଂଗଠନ।
ଏଠି କହିରଖିବୁ, ତାଲିବାନ୍କୁ ମନା ହୋଇଛି ସୋସିଆଲ ମିଡିଆ । ଆତଙ୍କୀ ସଂଗଠନ ଯେଉଁଭଳି ସୋସିଆଲ ମିଡିଆ ସହାୟତାରେ ନିଜ ପ୍ରୋପାଗାଣ୍ଡା ଚଳାଇ ନପାରିବ, ସେଥିଲାଗି ତତ୍ପର ହୋଇଛନ୍ତି ଫେସବୁକ୍, ଟ୍ୱିଟର, ଇଷ୍ଟାଗ୍ରାମ ଓ ୟୁଟ୍ୟୁବ୍, ଫେସବୁକ୍ ଓ ଏହାର ଅଂଶୀଦାର କଂପାନି ହ୍ୱାଟସଆପ୍ । ତାଲିବାନ ବିରୋଧରେ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ । ତାଲିବାନକୁ ପ୍ରମୋଟ୍ କରୁଥିବା ସମସ୍ତ ଆକାଉଣ୍ଟକୁ ହଟାଇ ଦିଆଯାଉଛି ବୋଲି କଂପାନୀ ସ୍ପଷ୍ଟ କରିଛି। ୟୁଟ୍ୟୁବ୍ ମଧ୍ୟ ତାଲିବାନ୍ ସଂପର୍କିତ ସବୁ ଆକାଉଣ୍ଟକୁ ହଟାଇ ଦେଉଛି । ମାତ୍ର ଟ୍ୱିଟର୍ ସଂଗଠନକୁ ସଂପୂର୍ଣ୍ଣ ବ୍ୟାନ୍ କରିନଥିଲେ ବି, ତାଲିବାନ ନେତା ଓ ଏହାର ପ୍ରଚାରକଙ୍କ ଆକାଉଣ୍ଟ ଉପରେ ତୀକ୍ଷ୍ଣ ନଜର ରଖିଛି ।
ଲୋକଙ୍କ ଜୀବନ ସୁରକ୍ଷିତ ରଖିବା ପ୍ରଥମ କାମ ବୋଲି ଟୁଇଟର ମୁଖପାତ୍ର କହିଛନ୍ତି। ତେବେ ଫେସ୍ବୁକ, ହ୍ୱାଟ୍ସ ଆପ୍ ଓ ଟେଲିଗ୍ରାମ୍ ସଂଗଠନକୁ ବ୍ୟାନ କରିବା ପରେ ବର୍ଷିଛି ତାଲିବାନ୍ । କାବୁଲରେ କ୍ଷମତା ଦଖଲ ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଫେସବୁକ୍କୁ ଟାର୍ଗେଟ କରିଥିଲେ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ । ଯେଉଁମାନେ ବାକ୍ ସ୍ୱାଧୀନତାର ଦ୍ୱାହି ଦେଉଛନ୍ତି, ତାଲିବାନକୁ ନିଷିଦ୍ଧ କରାଯିବାର କାରଣ ସେମାନଙ୍କୁ ପ୍ରଥମେ ପଚରା ଯାଉ ବୋଲି କହିଥିଲେ ମୁଜାହିଦ୍।
ମାତ୍ର ଗଲା ୨୦ ବର୍ଷରେ ଆଫଗାନିସ୍ତାନରେ ମୋବାଇଲ ଫୋନ ଓ ଇଣ୍ଟରନେଟ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଦେଶର ୪କୋଟି ଲୋକଙ୍କ ମଧ୍ୟରୁ ୨ କୋଟି ୩୦ ଲକ୍ଷରୁ ଅଧିକଙ୍କ ନିକଟରେ ମୋବାଇଲ୍ ରହିଛି। ୧୦ ଲକ୍ଷ ଲୋକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ବେଳେ ୮୯ ପ୍ରତିଶତ ଲୋକଙ୍କ ପାଖରେ ଟେଲିସେବା ପହଞ୍ଚି ପାରିଛି ।
ଏଠାରେ ଫେସବୁକ୍ ବ୍ୟବହାରକାରୀ ୩୦ ଲକ୍ଷରୁ ଅଧିକ । ରୋଚକ କଥା ହେଉଛି, ସୋସିଆଲ ମିଡିଆରେ ଆକ୍ଟିଭ୍ ଥିବା ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଏବଂ ସୁହେଲ ସହୀନଙ୍କର ଟ୍ୱିଟରରେ ୩ ଲକ୍ଷରୁ ଅଧିକ ଲେଖାଏଁ ଫଲୋଅର ଅଛନ୍ତି । ତେବେ ତାଲିବାନକୁ ଆମେରିକା ଆତଙ୍କବାଦୀ ସଂଗଠନ ଘୋଷଣା କରିଥିବାରୁ, ବାଇଡେନ୍ ପ୍ରଶାସନର ନୀତି ଅନୁସାରେ ଏସବୁ ସୋସିଆଲ ମିଡିଆ କଂପାନି ତାଲିବାନକୁ ବ୍ୟାନ୍ କରିବାକୁ ବାଧ୍ୟ ବୋଲି କୁହାଯାଉଛି।
ଅନ୍ୟପକ୍ଷେ ତାଲିବାନମାନେ ଟେଲିଭିଜନକୁ ନିଜ କବ୍ଜାକୁ ନେଇ ଗଲେଣି। ସୋସାଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଟିଭି ଷ୍ଟୁଡିଓରେ ତାଲିବାନୀ ବନ୍ଧୁକାଧାରୀଙ୍କୁ ଦେଖିବାକୁ ମିଳିଛି। ଆଙ୍କର ପଛପଟେ ତାଲିବାନି ବନ୍ଧୁକଧରି ଛିଡା ହୋଇଛନ୍ତି। ତେଣୁ ତାଲିବାନର ଗୁଣଗାନ କରିବା ଛଡ଼ା ଆଙ୍କର ପାଖରେ ଚାରା ନାହିଁ । ସେହିଭଳି ସୋସିଆଲ ମିଡିଆରେ ବି ତାଲିବାନ କଣ କହୁଛି ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଲୋକଙ୍କୁ କଣ କହିବାକୁ ଅନୁମତି ଦେଉଛି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ ପାଇଛି ।
କାହିଁକି ନା, ୧୯୯୬ରୁ ୨୦୦୧, ୫ ବର୍ଷର ତାଲିବାନ ଶାସନରେ ଥରୁଥିଲେ ଆଫଗାନବାସୀ । ଆତଙ୍କୀଙ୍କ ବର୍ବରତାରେ ହତବାକ୍ ପାଲଟି ଯାଇଥିଲା ଆଫଗାନ୍ ଜନତା । ମାତ୍ର ବଦଳିଯାଇଛି ବର୍ତ୍ତମାନର ଚିତ୍ର । ନିର୍ଭିକ ହୋଇଛନ୍ତି ଆଫଗାନବାସୀ । ତାଲିବାନର କାବୁଲ କବ୍ଜା ପରେ ଆତଙ୍କୀଙ୍କୁ ବିରୋଧ କରି ଦେଶ ଓ ଦେଶ ବାହାରେ ଯେଭଳି ବିକ୍ଷୋଭ ଓ ଆନ୍ଦୋଳନ ହେଲା, ସାରା ବିଶ୍ୱ ତାହା ଦେଖିଛି । ଖାସ୍ କରି ମହିଳାମାନେ ଯେଭଳି ରାସ୍ତାକୁ ଓହ୍ଲାଇ ତାଲିବାନକୁ ଖୋଲା ଚ୍ୟାଲେଞ୍ଜ ଦେଲେ ତାହା ସଂଗଠନର ଚିନ୍ତା ବଢାଇଛି। ଆଉ ପ୍ରତିବାଦର ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ତାଲିବାନ ବିରୋଧୀ ମନୋଭାବ ତେଜିବାରେ ଲାଗିଛି।ତେଣୁ ଆତଙ୍କୀ ସଂଗଠନ ଆଗକୁ ଲୋକଙ୍କୁ ଇଣ୍ଟରନେଟ୍ ବ୍ୟବହାର ଅନୁମତି ଦେଉଛି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।