ନିର୍ବାଚନ ହେଲେ ବାଂଲାଦେଶ ଫେରିଯିବେ ଶେଖ୍‌ ହସିନା !

ବାଂଲାଦେଶରେ ଜଳୁଥିବା ବିଦ୍ରୋହର ନିଆଁ ପ୍ରଶମିତ ହୋଇନଥିବା ବେଳେ ଶପଥ ନେଇଛି ଅନ୍ତରୀଣ ସରକାର । ଅନ୍ତରୀଣ ସରକାରର ପ୍ରମୁଖ ଉପଦେଷ୍ଟା ଭାବେ ଶପଥ ନେଇଛନ୍ତି ୮୪ ବର୍ଷୀୟ ମହମ୍ମଦ ୟୁନୁସ୍ |

Bangladesh Violence

ବିଦ୍ରୋହର ନିଆଁରେ ଜଳୁଥିବା ବାଂଲାଦେଶରେ ଫେରିବ କି ଶାନ୍ତି ? ଅସ୍ଥିର, ଅଶାନ୍ତ, ହିଂସାରେ ଲାଗିବ କି ଲଗାମ ? ଆୟତ୍ତରେ ଆସିବ କି ଅଣାୟତ ସ୍ଥିତି ? ସୁଧୁରିବ କି ଦେଶରେ ସୀମା ଲଙ୍ଘିଥିବା ଅରାଜକତା ? ଏବେ ଏସବୁ ଚ୍ୟାଲେଞ୍ଜ ବାଂଲାଦେଶର କ୍ଷମତାସୀନ ଅନ୍ତରୀଣ ସରକାରର । ଅନ୍ତରୀଣ ସରକାରର ମୁଖିଆ ଭାବେ ଶପଥ ନେଇଥିବା ମହମ୍ମଦ ୟୁନୁସଙ୍କ ନୀତି, ନିଷ୍ପତ୍ତି ଓ କାର୍ଯ୍ୟାନୁଷ୍ଠାନ ଉପରେ ଏବେ

ସାରା ବିଶ୍ବର ରହିଛି ନଜର। ଦେଶରେ ରାଜନୈତିକ ଅସ୍ଥିରତା ଭିତରେ ଗୁରୁବାର ୮୪ ବର୍ଷୀୟ ୟୁନୁସ୍ ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା ଭାବେ ଶପଥ ନେଇଛନ୍ତି । ଦେଶବାସୀଙ୍କୁ ଶାନ୍ତ ରହିବାକୁ ଏବଂ ନୂଆ ବାଂଲାଦେଶ ଗଠନ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଛନ୍ତି ୟୁନୁସ। ଏହା ସହ ସେ କହିଛନ୍ତି ଯେ, ଛାତ୍ର ଆନ୍ଦୋଳନ ଆଳରେ ଯେଉଁମାନେ ଦେଶରେ ହିଂସା ଓ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ନୂଆ ସରକାର ପାଇଁ ଏକ ୧୫ ଜଣିଆ ପରାମର୍ଶଦାତା ପରିଷଦ ମଧ୍ୟ ଗଠନ ହୋଇଛି। କୁହାଯାଉଛି, ଏହି ସରକାର ୩ ମାସ ପାଇଁ କାର୍ଯ୍ୟ କରିବ । ତା ଭିତରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ସଂପୂର୍ଣ୍ଣ କରାଯିବ।

ସେପଟେ ବାଂଲାଦେଶରୁ ପଳାୟନ କରି ଭାରତରେ ଶରଣ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପୁଣି ଥରେ ବାଂଲା ପ୍ରତ୍ୟାବର୍ତ୍ତନ କରିପାରନ୍ତି । ନିଜେ ଶେଖ୍ ହସିନାଙ୍କ ପୁଅ ସଜୀବ ୱାଜିଦ୍ ଜୟ ହିଁ ଏନେଇ ସୂଚନା ଦେଇଥିବା ଜଣାପଡ଼ିଛି । ସଜୀବଙ୍କ କହିବା କଥା, ଏବେ କିଛି ଦିନ ପାଇଁ ମାଆ ଭାରତରେ ରହିବେ । ଅନ୍ତରୀଣ ସରକାର ଯେବେ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ନେବେ ସେତେବେଳେ ମାଆ ବାଂଲାଦେଶକୁ ଫେରିବେ ।

ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି, ଅତି କମ୍ ସମୟ ମଧ୍ୟରେ ସେ ମାଆଙ୍କୁ ଆଶ୍ରୟ ଦେଇଥିବାରୁ ତାଙ୍କୁ ଧନ୍ୟବାଦ । ମୁଁ ନିଜ ପାର୍ଟି ଏବଂ କାର୍ଯ୍ୟକର୍ତ୍ତାଙ୍କୁ ବଞ୍ଚାଇବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଯଦି ଏଥିପାଇଁ ମୋତେ ରାଜନୀତିକୁ ଆସିବାକୁ ପଡ଼ିଲେ ମଧ୍ୟ ଆସିବି । ମୋତେ ବିଶ୍ବାସ ଅଛି ଯେ, ଆଗାମୀ ଲିଗ୍ ନିର୍ବାଚନରେ ସାମିଲ ହେବ ଏବଂ ହୋଇପାରେ ଦଳ ନିର୍ବାଚନ ଜିତି ବି ଯିବ | ଆମ ପାଖରେ ବାଂଲାଦେଶର ସବୁଠୁ ଅଧିକ ଲୋକଙ୍କର ସମର୍ଥନ ରହିଛି ।

ଅନ୍ତରୀଣ ସରକାରର ଶପଥ ପରେ ପରେ ଏବେ ଏହି ଚର୍ଚ୍ଚା ଜୋର୍ ଧରିଛି ଯେ, ବାଂଲାଦେଶରେ ହସିନା ସରକାରର ସଫଳତା ପରେ କାହିଁକି ହାତରୁ ଖସିଗଲା କ୍ଷମତା ? ହସିନା ସରକାର ଅମଳରେ ବିଶ୍ବବ୍ୟାଙ୍କର ରିପୋର୍ଟ ଅନୁସାରେ, ଗରିବୀ ହଟାଇବା ପାଇଁ ଅନେକ କାମ ହାତକୁ ନିଆଯାଇଛି । ଧାରଣକ୍ଷମ ଅର୍ଥନୈତିକ ଅଭିବୃଦ୍ଧି ହେବା, ୨୦୩୧ ସୁଦ୍ଧା ବାଂଲାଦେଶ ଏକ ଉଚ୍ଚ ମଧ୍ୟମ ଆମଦାନୀ ଦେଶରେ ପରିଣତ ହେବାର ସମ୍ଭାବନା ରହିଛି।

ବାଂଲାଦେଶ ସରକାରଙ୍କ କହିବା କଥା, ଆମେ ଦୁନିଆର ସବୁଠୁ ଦୃତ ବେଗରେ ବଢୁଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଅନ୍ୟତମ । ବାଂଲାଦେଶ ପରବର୍ତ୍ତୀ ଏସିଆନ୍ ଟାଇଗର ଭାବେ ଉଭା ହେବାକୁ ଯାଉଛି । ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କର କହିବା କଥା, ବାଂଲାଦେଶ ୨୦୨୬ ସୁଦ୍ଧା କମ୍ ବିକଶିତ ରାଷ୍ଟ୍ର ସମୂହଙ୍କୁ ପଛରେ ପକାଇ ଆଗକୁ ବଢ଼ିଯିବ ।

ଆଇଏମଏଫର କହିବା କଥା, ଅନେକ ପ୍ରତିବନ୍ଧକ ପାର୍ କରି ବାଂଲାଦେଶର ଅର୍ଥବ୍ୟବସ୍ଥା ଆଗକୁ ବଢୁଛି । ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ବାଂଲାଦେଶ ଭଲ ପ୍ରଦର୍ଶନ କରିଛି । ଏସବୁ ସତ୍ତ୍ବେ ସଂରକ୍ଷଣ ବିଦ୍ରୋହ ନିଆଁରେ ଜଳୁଥିବା ବାଂଲାଦେଶର ଭବିଷ୍ୟତକୁ ନେଇ ଅନେକ ଆଶା ଆଶଙ୍କା ସୃଷ୍ଟି ହୋଇଛି ।