ପେରିଫେରାଲ୍ ନ୍ୟୁରୋପାଥି କ’ଣ: ବହୁତ ସମୟ ଗୋଟିଏ ଜାଗାରେ ବସିଗଲେ କିମ୍ବା ହାତ ଭରାଦେଇ ଚାପି ହୋଇ ରହିଲେ ପାଦ ଏବଂ ପାପୁଲି ଝିମଝିମ୍ ହେବା ସାଧାରଣ କଥା। ଏମିତି ପରିସ୍ଥିତିରେ ଚାପ ହଟିବାର ଅଳ୍ପ ସମୟ ପରେ ଝିମଝିମ୍ ହେବା ବନ୍ଦ ହୋଇଯାଏ। କିନ୍ତୁ ଅନେକ ବ୍ୟକ୍ତି ଲଗାତାର ଏବଂ ଦୀର୍ଘ ଦିନ ଧରି ଏମିତି ହାତ କିମ୍ବା ପାଦ କିମ୍ବା ଉଭୟ ଝିମଝିମ୍ ହେବା ଭୋଗିଥାନ୍ତି। କେତକଙ୍କ ଠାରେ ଏହା ଅତି ସାଧାରଣ ବା ମାଇଲ୍ଡ ହୋଇଥିବା ବେଳେ ଆଉ କେତେଜଣଙ୍କ ଠାରେ ଏହା ଅତି ତୀବ୍ର ଯନ୍ତ୍ରଣାର (ବ୍ୟଥା ନୁହେଁ, ଅସହଜ ଭାବ) କାରଣ ହୋଇଥାଏ। ଏମିତି ଦୀର୍ଘ ଦିନଧରି ଲଗାତାର ହାତପାଦ ଝିମଝିମ୍ ହେବା କାରଣ ସ୍ନାୟୁ କୋଷ ନଷ୍ଟ ହେବା କାରଣରୁ ହୋଇଥାଏ।
ଯେହେତୁ ଏହି ସ୍ନାୟୁ କୋଷ ଗୁଡିକ ମସ୍ତିଷ୍କଠାରୁ ଦୂରରେ ବା ଶରୀର ମଧ୍ୟ ଭାଗରେ ନହୋଇ ଦୂର ବା ପେରିଫେରିରେ ହୁଏ ତେଣୁ ଏହାକୁ ପେରିଫେରାଲ୍ ନ୍ୟୁରୋପାଥି (ସ୍ନାୟୁରୋଗ) କୁହାଯାଏ। ମେଡ଼ିକାଲ ଭାଷାରେ ଏହାକୁ ପାରେସ୍ଥେସିଆ ମଧ୍ୟ କୁହାଯାଏ। ଏହାର ୧୦୦ଟି ପ୍ରକାର ରହିଛି। ପେରିଫେରାଲ୍ ନ୍ୟୁରୋପାଥି ଭୋଗୁଥିବା ୩୦% ବ୍ୟକ୍ତିଙ୍କ ଠାରେ ମଧୁମେହ କାରଣ ହୋଇଥିବା ବେଳେ ଅନ୍ୟ ୩୦% ବ୍ୟକ୍ତିଙ୍କ ଠାରେ ଏହା idiopathic ବା କୌଣସି ଠୋସ୍ କାରଣ ନଥାଏ ଏବଂ ଅନ୍ୟ ୪୦% ବ୍ୟକ୍ତିଙ୍କ ଠାରେ ବିଭିନ୍ନ କାରଣରୁ ଦେଖାଯାଇଥାଏ।
Also Read
ପେରିଫେରାଲ୍ ନ୍ୟୁରୋପାଥିର ସାଧାରଣ କାରଣ:
ମଧୁମେହ ବା ଡାଏବେଟିସ୍: ମଧୁମେହ ଭୋଗୁଥିବା ପାଖାପାଖି ଦୁଇ-ତୃତୀୟାଂଶ ବ୍ୟକ୍ତିଙ୍କ ଠାରେ ପେରିଫେରାଲ୍ ନ୍ୟୁରୋପାଥି ଦେଖାଯାଏ ଏବଂ ଅନେକଙ୍କ କ୍ଷେତ୍ରରେ ଏହା ମଧୁମେହର ପ୍ରଥମ ଲକ୍ଷଣ ହୋଇଥାଏ। ସାଧାରଣତଃ ଏହା ଦୁଇ ପାଦରୁ ଆରମ୍ଭ ହୋଇ ଧିରେଧିରେ ଆଣ୍ଠୁ ପର୍ଯ୍ୟନ୍ତ ଝିମଝିମ୍ ଲାଗେ, ପରେ ଦୁଇ ପାପୁଲି ଏବଂ ଏପରିକି ବାହୁ ପର୍ଯ୍ୟନ୍ତ ମଧ୍ୟ ଝିମଝିମ୍ ଲାଗିପାରେ।
ସ୍ନାୟୁଗତ କାରଣ: ସର୍ଭିକାଲ୍ ସ୍ପଣ୍ଡିଲୋସିସ୍ (ଉଭୟ ହାତ ପାପୁଲି ପର୍ଯ୍ୟନ୍ତ ଓ ଗୋଡ ପାଦ ପର୍ଯ୍ୟନ୍ତ ଝିମଝିମ୍ ହେବା); କାର୍ପାଲ୍ ଟନେଲ୍ ସିଣ୍ଡ୍ରୋମ୍ (ମଣିବନ୍ଧ ପାଖରେ ସ୍ନାୟୁ ଚାପି ହୋଇ ଉକ୍ତ ହାତ ଓ ପାପୁଲିରେ ଝିମଝିମ୍ ହେବା); ଅଲନାର୍ ନର୍ଭ ଏନ୍ଟ୍ରାପ୍ ସିଣ୍ଡ୍ରୋମ୍ (କହୁଣୀ ପାଖରେ ସ୍ନାୟୁ ଚାପି ହୋଇ ଉକ୍ତ ହାତ ଓ ପାପୁଲିର ଭିତର ଅ°ଶ ଏବଂ ଅନାମିକା ତଥା କାଣୀ ଆଙ୍ଗୁଠି ଝିମଝିମ୍ ହୁଏ); ରେଡିଆଲ୍ ନର୍ଭ ପାଲ୍ସି ( ଏ କ୍ଷେତ୍ରରେ ମଧ୍ୟ ବାହୁଠୁ ପାପୁଲି ପର୍ଯ୍ୟନ୍ତ ଝିମଝିମ୍ ଲାଗେ); ପେରୋନିଆଲ୍ ନର୍ଭ ପାଲ୍ସି (ଏହା ଗୋଡର ବାହାର ଅ°ଶ ଏବଂ ପାଦ ଝିମଝିମ୍ ହେବା ସହ ଫୁଟ୍-ଡ୍ରପ୍ ମଧ୍ୟ ହୋଇଥାଏ); ଟାର୍ସାଲ୍ ଟନେଲ୍ ସିଣ୍ଡ୍ରୋମ୍ (ଗୋଇଠି ପାଖରେ ସ୍ନାୟୁ ଚାପି ହୋଇ ଉକ୍ତ ପାଦ ଝିମଝିମ୍ ହୁଏ); ସିଆଟିକା (ପିଠିର ତଳ ଅ°ଶରେ ସ୍ନାୟୁ ଚାପି ହୋଇ ସମ୍ପୂର୍ଣ୍ଣ ଗୋଡ ଝିମଝିମ୍ ହୁଏ)।
ଫାଇବ୍ରୋମାଏଲଜିଆ: ଏହି ଅବସ୍ଥାରେ ଦୀର୍ଘସ୍ଥାୟୀ ମା°ସପେଷୀର ଦରଜ ଓ ବ୍ୟଥା ରହିଥାଏ। ଏଥିରେ ହାତଗୋଡ ଝିମଝିମ୍ ହେବା ସହ ନିଦ୍ରାହୀନତା, ସ୍ମରଣଶକ୍ତି କ୍ଷୟ ଏବଂ ମୁଡ୍-ସ୍ବିଙ୍ଗ ହୁଏ।
ଦୁଶ୍ଚିନ୍ତା: କେବଳ ହାତପାଦ ନୁହେଁ ବର° ଦୁଶ୍ଚିନ୍ତା କାରଣରୁ ସମ୍ପୂର୍ଣ୍ଣ ଗୋଡ ଓ ହାତ ସହ ମୁହଁ ଏବଂ ଓଠ ପାଖରେ ମଧ୍ୟ ଝିମଝିମ୍ ହୋଇଥାଏ।
ଭାଇଟାମିନର ଅଭାବ: ଭାଇଟାମିନ୍ B12, B6, B1, E ଏବଂ Niacin ର ଅଭାବରେ ହାତପାଦ ଝିମଝିମ୍ ହୋଇଥାଏ।
ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା: ମଧୁମେହ ପରି କିଡନୀ, ଲିଭର, ହାଇପୋଥାଇରୋଡିଜମ୍, ଧମନୀ ଏବଂ ଶିରାପ୍ରଶିରାର ବ୍ୟାଧି, କନେକ୍ଟିଭ୍-ଟିସ୍ବୁ ଡିଜ୍-ଅର୍ଡର, ଆମେଲୋଇଡୋସିସ୍, କର୍କଟ ଆଦି ସ୍ବାସ୍ଥ୍ୟ ସମସ୍ୟାରେ ହାତପାଦ ଝିମଝିମ୍ ହୋଇଥାଏ। ସେହିପରି ରୁମାଟୋଏଡ୍ ଆର୍ଥ୍ରରାଇଟିସ୍, ଗୁଲେନ୍ ବରି ସିଣ୍ଡ୍ରୋମ୍, ଲ୍ୟୁପସ୍ ପରି ଅଟୋଇମ୍ୟୁନ୍ ଡିଜିଜ୍ କ୍ଷେତ୍ରରେ ମଧ୍ୟ ହାତପାଦ ଝିମଝିମ୍ ହୋଇଥାଏ। ମଲ୍ଟିପଲ୍ ସ୍କ୍ଲେରୋସିସ୍, ଏହି ବ୍ୟାଧିରେ ମସ୍ତିଷ୍କ ଏବଂ ମେରୁଦଣ୍ଡର ସ୍ନାୟୁ ଉପରେ ଥିବା ଫ୍ୟାଟ୍ ଲେୟାର ନଷ୍ଟ ହୋଇ ସ୍ନାୟୁରୋଗ ଦେଖାଯାଏ ଏବଂ ହାତପାଦ ଝିମଝିମ୍ ହୋଇଥାଏ।
ମଦ୍ୟପାନ: ମଦ୍ୟପାନ କାରଣରୁ ଥାୟାମିନ୍ ନାମକ ଭାଇଟାମିନ୍ ଅଭାବରୁ ହାତପାଦ ଝିମଝିମ୍ ହୋଇଥାଏ। ଏହାଛଡା ମଦ୍ୟପାନ ନିଜେ ମଧ୍ୟ ସ୍ନାୟୁକୋଷକୁ ନଷ୍ଟ କରି ଦେଇଥାଏ ଏବଂ ଏହାକୁ ଆଲକୋହୋଲିକ୍ ନ୍ୟୁରୋପାଥି କୁହାଯାଏ।
ସ°କ୍ରମଣ: ହର୍ପିସ୍, ଏଚ୍ ଆଇ ଭି, ଏପଷ୍ଟିନ୍ ବାର୍, ସାଇଟୋମେଗାଲୋ ଭାଇରସ୍ ଆଦି ସ°କ୍ରମଣ କାରଣରୁ ମଧ୍ୟ ହାତପାଦ ଝିମଝିମ୍ ହୋଇଥାଏ।
ଟକ୍ସିନ୍ ବା ବିଷାକ୍ତ ଦ୍ରବ୍ୟ: କଳକାରଖାନାରୁ ନିର୍ଗତ ବିଭିନ୍ନ ବିଷାକ୍ତ ରସାୟନିକ ଦ୍ରବ୍ୟ ଏବଂ ମରକ୍ବୁରୀ, ଲେଡ୍, ଆର୍ସେନିକ୍ ଏବଂ ଥାଲିୟମ ପରି ମେଟାଲ୍ ସ୍ନାୟୁ କୋଷ ପାଇଁ କ୍ଷତିକାରକ ହେବା ସହ ହାତପାଦ ଝିମଝିମ୍ ର କାରଣ ହୋଇଥାଏ। ସେହିପରି କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ କିଛି କେମୋଥେରାପି ଔଷଧ ମଧ୍ୟ ସ୍ନାୟୁ କୋଷ ଦୁର୍ବଳ କରି ହାତପାଦ ଝିମଝିମ୍ ର କାରଣ ହୋଇଥାଏ।
ଆଘାତ: ଖେଳକୁଦ, ଦୁର୍ଘଟଣା କିମ୍ବା ମାଡ ବାଜିବା ଦ୍ବାରା ବିଭିନ୍ନ ସମୟରେ ସ୍ନାୟୁ କୋଷ ମଧ୍ୟ ନଷ୍ଟ (ଚାପି ହୋଇଯାଏ କିମ୍ବା ଛିଣ୍ଡି ଯାଏ) ହୋଇଯାଏ, ଯାହା ହାତପାଦ ଝିମଝିମ୍ ର କାରଣ ହୋଇଥାଏ।
ସାବଧାନତା ଓ ଉପଚାର:
ହାତପାଦରେ ଝିମଝିମ୍ ହେବା ଲଗାତାର ଦୀର୍ଘଦିନ ଧରି ଲାଗି ରହିଲେ କିମ୍ବା ଯନ୍ତ୍ରଣା ବଢିଲେ, କଥା କହିବା ସମୟରେ ପାଟି ଲାଗିଲେ କିମ୍ବା ପ୍ରାରମ୍ଭିକ ଚିକିତ୍ସାରେ ସୁଫଳ ନମିଳିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆପଣଙ୍କ ରୋଗର ଲକ୍ଷଣ, ଗତି ଏବଂ ଅବଧିକୁ ଦେଖି ଡାକ୍ତର ଆବଶ୍ୟକ ମୁତାବକ ରକ୍ତ ପରୀକ୍ଷା କିମ୍ବା ସିଟି/ ଏମ୍ ଆର୍ ଆଇ ପରୀକ୍ଷା କରି ସାରିବା ପରେ ଉପଯୁକ୍ତ ଚିକିତ୍ସା ଆରମ୍ଭ କରିବେ। ଇଲେକ୍ଟ୍ରିକାଲ୍ ଇମ୍ପଲ୍ସ, ନ୍ୟୁରୋ ଟ୍ରାନ୍ସମିଟର ଡିଭାଇସ୍, ପ୍ଲାଜମା ଥେରାପି ଆଦି ମଧ୍ୟ ଚିକିତ୍ସା ପାଇଁ ବ୍ୟବହାର ହୁଏ।
ମଧୁମେହ ଏବଂ ହାଇପୋଥାଇରୋଡିଜମ୍ କ୍ଷେତ୍ରରେ ନିଜର ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ, ପୁଷ୍ଟିକର ଖାଦ୍ୟ ଗ୍ରହଣ କରନ୍ତୁ। ମଦ୍ୟପାନ କରନ୍ତୁ ନାହିଁ।
ଫିଜିଓଥେରାପି, ଥଣ୍ଡା ଓ ଗରମ ସେକ, ବ୍ରେସ୍ ବାନ୍ଧିବା ଆଦି ଅନେକ କ୍ଷେତ୍ରରେ ଆରାମ ଦେଇଥାଏ।