ଖ୍ରୀଷ୍ଟମାସ୍‌କୁ କାହିଁକି କୁହାଯାଏ ବଡଦିନ

ଡିସେମ୍ବର ୨୫ ବା ଏହାର ଆଖପାଖ ସମୟରୁ ଦିନର ଦୈର୍ଘ୍ୟ ସାମାନ୍ୟ ବଢ଼ିବାକୁ ଲାଗେ । ଭାରତରେ ପ୍ରାଚୀନ କାଳରୁ ରହି ଆସିଥିବା ହିନ୍ଦୁ ବା ଅନ୍ୟ ଧର୍ମାବଲମ୍ବୀ ଲୋକେ ଏହି ସମୟର ମହତ୍ତ୍ୱକୁ ଅଣଦେଖା କରିବା ସମ୍ଭବ ନ ଥିଲା। ତେଣୁ ହିନ୍ଦୁ ଲୋକେ ସହଜରେ ଏହି ପର୍ବକୁ ସ୍ୱୀକାର କରନ୍ତୁ ବୋଲି ଏହାର ନାମ ‘’ବଡ଼ଦିନ’’ ବୋଲି ପ୍ରଚଳନ ହେବାର ଅନୁମାନ କରାଯାଏ।

ଖ୍ରୀଷ୍ଟମାସ୍‌କୁ କାହିଁକି କୁହାଯାଏ ବଡଦିନ

ଇଂରାଜୀ ଶବ୍ଦ "Christ's Mass" ଶବ୍ଦର କ୍ଷୁଦ୍ରରୂପ ହେଉଛି "Christmas" (ବଡ଼ଦିନ) । ଏହି ଶବ୍ଦଟିକୁ ପ୍ରାଚୀନ ଇଂରାଜୀରେ Cristes-messe ଏବଂ ମଧ୍ୟଯୁଗୀୟ ଇଂରାଜୀରେ Cristemasse କୁହାଯାଉଥିଲା । ପାରମ୍ପରିକ ଭାବେ ‘ଖ୍ରୀଷ୍ଟେନ୍‍ମାସ୍’ ବୋଲି ଏକ ଶବ୍ଦ ମଧ୍ୟ ବ୍ୟବହୃତ ହେଉଥିଲା। କିନ୍ତୁ ଏହାକୁ ପ୍ରାଚୀନ ଓ କଥିତ ଭାଷାରେ ଅପଭ୍ରଂଶ ବୋଲି ବିବେଚନା କରାଯାଇଥାଏ। ଏହି ଶବ୍ଦ ମଧ୍ୟଯୁଗୀୟ ଇଂରାଜୀ ଶବ୍ଦ Cristenmasseରୁ ଆସିଛି।

ଏକ୍ସ୍-ମାସ୍ ଶବ୍ଦଟି କ୍ରିସ୍‍ମସ୍ ଶବ୍ଦର କ୍ଷୁଦ୍ର ରୂପ । ଏଥିରେ ବ୍ୟବହୃତ (Χ) ଅକ୍ଷର ଗ୍ରୀକ୍ ଭାଷାର “ଚି” ଅକ୍ଷରକୁ ବୁଝାଏ ଓ ଏହାର ଅର୍ଥ ହେଲା ଖ୍ରୀଷ୍ଟ। ଏହି କ୍ଷୁଦ୍ର ରୂପର ବ୍ୟବହାର ସେତେଟା ପସନ୍ଦ କରାଯାଉ ନଥିଲେ ବି ମଧ୍ୟଯୁଗୀୟ ଇଂରାଜୀରେ ଏହାର ଅଧିକ ବ୍ୟବହାର ଦେଖାଯାଇଛି।

ବିଭିନ୍ନ ଦେଶରେ ଖ୍ରୀଷ୍ଟମାସ୍‌ ପର୍ବର ଭିନ୍ନ ଭିନ୍ନ ନାମ ରହିଛି। ତେବେ ଭାରତ ଓ ଏହାର ପଡ଼ୋଶୀ ରାଷ୍ଟ୍ରଗୁଡିକରେ ଏହି ପର୍ବକୁ ବଡ଼ଦିନ ବୋଲି କୁହାଯାଇଥାଏ । ଔପନିବେଶିକ ଅନୁପ୍ରବେଶ କାଳରେ ଭାରତୀୟ ଉପମହାଦ୍ୱୀପରେ ଖ୍ରୀଷ୍ଟୀୟ ଧାର୍ମିକ ପ୍ରଭାବ ବିସ୍ତାର କରିବା ପାଇଁ ଚେଷ୍ଟା କରାଯାଉଥିଲା । ୨୧୦ ବର୍ଷ ପୂର୍ବେ ଇଂରେଜ ଭାରତର ଅନେକ ଅଞ୍ଚଳରେ ନିଜ ପ୍ରଭାବ ବିସ୍ତାର କରିସାରିଥିଲେ । ଖ୍ରୀଷ୍ଟ ଧର୍ମର ପ୍ରଚାର ଓ ପ୍ରସାର ପାଇଁ ତାହା ଏକ ପ୍ରକୃଷ୍ଟ ସମୟ ବୋଲି ସେମାନଙ୍କୁ ହୃଦବୋଧ ହେଲା ।

ପ୍ରାୟ ୨୫ ଡିସେମ୍ବର ବା ଏହାର ଆଖପାଖ ସମୟରୁ ଦିନର ଦୈର୍ଘ୍ୟ ସାମାନ୍ୟ ବଢ଼ିବାକୁ ଲାଗେ । ଭାରତରେ ପ୍ରାଚୀନ କାଳରୁ ରହି ଆସିଥିବା ହିନ୍ଦୁ ବା ଅନ୍ୟ ଧର୍ମାବଲମ୍ବୀ ଲୋକେ ଏହି ସମୟର ମହତ୍ତ୍ୱକୁ ଅଣଦେଖା କରିବା ସମ୍ଭବ ନ ଥିଲା। ତେଣୁ ହିନ୍ଦୁ ଲୋକେ ସହଜରେ ଏହି ପର୍ବକୁ ସ୍ୱୀକାର କରନ୍ତୁ ବୋଲି ଏହାର ନାମ ‘’ବଡ଼ଦିନ’’ ବୋଲି ପ୍ରଚଳନ ହେବାର ଅନୁମାନ କରାଯାଏ।

ବଡ଼ଦିନର ଅନ୍ୟନାମ:

ଖ୍ରୀଷ୍ଟମାସ୍‌ ବା ବଡ଼ଦିନ ବ୍ୟତୀତ ଏହି ପର୍ବର ଆହୁରି ଅନେକ ନାମ ଲୋକମୁଖରେ ପ୍ରଚଳିତ ଥିବା ଇତିହାସରୁ ଜଣାପଡ଼େ। ପଞ୍ଚମ ଶତାବ୍ଦୀର ଏଂଗ୍ଲୋ-ସେକ୍ସନମାନେ ଏହାକୁ ‘ଶୀତଋତୁର ଅର୍ଦ୍ଧବିନ୍ଦୁ’ ବୋଲି କହୁଥିଲେ। କେହିକେହି ଏହାକୁ ନେଟିଉଟିଓ ବୋଲି କହୁଥିଲେ। ଯୀଶୁଙ୍କ ଜନ୍ମକୁ ଇଂରାଜୀରେ "Nativity of Jesus" ବୋଲି କୁହାଯାଇଥାଏ ଓ ଏହା ଲାଟିନ୍ ଶବ୍ଦ nativitas ରୁ ଗୃହୀତ ହୋଇଛି । ପ୍ରାଚୀନ ଇଂରାଜୀରେ ବ୍ୟବହୃତ ଶବ୍ଦ Geola (ୟୁଲ୍) ଶବ୍ଦର ପ୍ରକୃତ ଅର୍ଥ ହେଲା ଡିସେମ୍ବର ଓ ଜାନୁଆରୀ ମାସର ସମୟ, କିନ୍ତୁ ବଡ଼ଦିନ ଏହି ସମୟରେ ପାଳିତ ହେଉଥିବାରୁ କ୍ରମଶଃ ବଡ଼ଦିନକୁ ୟୁଲ୍ ବୋଲି କୁହାଗଲା।

ଇତିହାସ:

ମେଥ୍ୟୁ ଓ ଲ୍ୟୁକ୍‍ଙ୍କ ବର୍ଣ୍ଣିତ ଯୀଶୁ ଜନ୍ମ ବୃତ୍ତାନ୍ତ ପ୍ରାୟତଃ ସମସ୍ତ ଖ୍ରୀଷ୍ଟ ଧର୍ମବାଣୀରେ ପ୍ରତିଫଳିତ ହୋଇଛି ଓ ପୁରାତନ ଖ୍ରୀଷ୍ଟୀୟ ଲେଖକଗଣ ଯୀଶୁଙ୍କ ଜନ୍ମ ତାରିଖ ବିଷୟରେ ବିଭିନ୍ନ ମତ ଦେଇଆସିଛନ୍ତି। ଖ୍ରୀ. ୩୩୬ରେ ରୋମ୍ ନଗରରେ ପ୍ରଥମ ଥର ପାଇଁ ବଡ଼ଦିନ ପାଳିତ ହୋଇଥିବାର ଉଲ୍ଲେଖ ରହିଛି । ଚତୁର୍ଥ ଶତାବ୍ଦୀରେ ଖ୍ରୀଷ୍ଟ ଧର୍ମରେ ଦେଖାଦେଇଥିବା ଏରୀୟ ବିବାଦ ପଛରେ ମଧ୍ୟ ବଡ଼ଦିନ ଉତ୍ସବର ଭୂମିକା ରହିଥିଲା। ମଧ୍ୟଯୁଗରେ ଏହା ପ୍ରଭୁପ୍ରକାଶ ଉତ୍ସବ ଯୋଗୁଁ କ୍ରମେ ଶିଥିଳ ପଡ଼ି ଆସିଥିଲା । ବଡ଼ଦିନ ଉପଲକ୍ଷେ ଚାର୍ଲିମେନ୍ ସମ୍ରାଟ ରୂପେ ଅଭିଷିକ୍ତ ହେବାରୁ ଖ୍ରୀ. ୮୦୦ ପରେ ବଡ଼ଦିନ ପାଳନକୁ ନେଇ ପୁଣି ଉତ୍ସାହ ସୃଷ୍ଟି ହୋଇଥିଲା।

ଉତ୍ସବ ସମୟରେ ନିଶାଶକ୍ତ ଓ ସାମାଜିକ ଦୁର୍ବ୍ୟବହାର ଇତ୍ୟାଦିର ଉଦାହରଣରେ ବ୍ୟଥିତ ହୋଇ ନୈଷ୍ଠିକ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ୧୭ଶ ଶତାବ୍ଦୀରେ ବଡ଼ଦିନ ପାଳନକୁ ନିଷିଦ୍ଧ ଘୋଷଣା କରିଥିଲେ। ୧୬୬୦ ମସିହାରେ ଏହାକୁ ଏକ ବୈଧ ଛୁଟିଦିନ ଭାବେ ଗ୍ରହଣ କରାଯାଇଥିବାର ଉଲ୍ଲେଖ ରହିଛି। କିନ୍ତୁ ଏହି ପର୍ବ ଉଲ୍ଲାସର ସହିତ ପାଳିତ ହେଉ ନଥିଲା । ୧୯ଶ ଶତାବ୍ଦୀର ଆରମ୍ଭରେ ଅକ୍ସଫୋର୍ଡ୍ ଆନ୍ଦୋଳନ ସହିତ ବଡ଼ଦିନ ନିଜର ସତ୍ତା ଫେରିପାଇଥିଲା।

ଚାର୍ଲ୍ସ ଡିକେନ୍ସ ଓ ଅନ୍ୟ ଇଂରାଜୀ ଲେଖକମାନେ ବଡ଼ଦିନକୁ ଧାର୍ମିକ ଉତ୍ସବ, ପାରିବାରିକ ମିଳନ, ଉପହାର ଆଦାନପ୍ରଦାନ ଓ ସାମାଜିକ ଐକ୍ୟର ସମୟ ବୋଲି ଅଭିହିତ କଲେ ଓ ଏହି ପର୍ବ ପାଳନ କରିବାକୁ ନେଇ ରହିଥିବା ଉଦାସୀନତାକୁ ଦୂର କରିବାକୁ ଚେଷ୍ଟା କରିଥିଲେ।

ଡିସେମ୍ବର ୨୫ ତାରିଖର ଚୟନ

ତୃତୀୟ ଶତାବ୍ଦୀ ବେଳକୁ ଯୀଶୁଙ୍କ ଜନ୍ମ ତାରିଖକୁ ନେଇ ଲୋକଙ୍କ ମନରେ ତୁମୁଳ କୌତୁହଳ ତଥା ଅନିଶ୍ଚିତତା ରହିଥିଲା। ୨୦୦ ଖ୍ରୀଷ୍ଟାବ୍ଦ ବେଳକୁ ଆଲେକ୍‍ଜାଣ୍ଡ୍ରିଆର କ୍ଳେମଁ ଲେଖିଥିଲେ ଯେ :

“କିଛି ଲୋକ ଅଛନ୍ତି ଯେଉଁମାନେ ଆମ ଭଗବାନଙ୍କ କେବଳ ଜନ୍ମ ବର୍ଷ ନୁହେଁ ଏପରିକି ତାଙ୍କର ଜନ୍ମ ତାରିଖ ନିର୍ଦ୍ଧାରଣ କରି କହିଛନ୍ତି ଯେ ଅଗଷ୍ଟସ୍‍ଙ୍କ ଶାସନର ୨୮ତମ ବର୍ଷରେ, ମିଶରୀୟ ମାସ ପେଚୋନ୍‍ର ୨୫ତମ ଦିନରେ (ମଇ ୨୦) ଏହା ଘଟିଥିଲା। ପୁଣି ଅନ୍ୟ କିଛି ଜଣ ମତ ଦିଅନ୍ତି ଯେ, ସେ ଫାର୍ମୁଥି ମାସର ୨୪ତମ ବା ୨୫ତମ ଦିନରେ (ଅପ୍ରେଲ୍ ୨୦ ବା ୨୧) ଜନ୍ମ ଗ୍ରହଣ କରିଥିଲେ।”

ଏହି ସମୟର ଆଉ ଏକ ଲେଖାରେ କୁହାଯାଇଛି ଯେ, ଯୀଶୁଙ୍କ ଜନ୍ମ ତାରିଖଟି ମେ ୨୦ କିମ୍ବା ଅପ୍ରେଲ୍ ୧୮ ବା ୧୯ କିମ୍ବା ମାର୍ଚ୍ଚ ୨୫, ଜାନୁଆରୀ ୨ କିମ୍ବା ନଭେମ୍ବର ୧୭ କିମ୍ବା ନଭେମ୍ବର ୨୦ ହୋଇଥାଇପାରେ ବୋଲି ଅନେକ ପ୍ରସ୍ତାବ ଆସିଥିଲା । ଅନେକ କାରଣରୁ ଡିସେମ୍ବର ୨୫କୁ ଯୀଶୁଙ୍କ ଜନ୍ମୋତ୍ସବ ରୂପେ ଗ୍ରହଣ କରାଯାଇଥିଲା । ରୋମାନ୍ ପାଞ୍ଜି ଅନୁସାରେ ଅୟନାନ୍ତ ମାର୍ଚ୍ଚ ୨୫ ତାରିଖର ୯ ମାସ ପରେ ହୁଏ । ମାର୍ଚ୍ଚ ୨୫ ତାରିଖ ହେଉଛି ବସନ୍ତ-ବିଷୁବ ଯେଉଁଦିନ ମେରି ଯୀଶୁଙ୍କୁ ଗର୍ଭରେ ଧାରଣ କରିଥିଲେ ବୋଲି କୁହାଯାଏ ।