ଦୁନିଆ କଣ ଜାଣିବା ବେଳକୁ ସେମାନେ ହୋଇସାରିଥିଲେ ଅଟିଜିମ୍ ପୀଡ଼ିତ। ପାଲଟି ସାରିଥିଲେ ୟୁନିକ୍ ବା ସ୍ବତନ୍ତ୍ର। କେଉଁ ଗୁଣରେ କମ୍ ନଥିଲେ ବି ସମାଜ କିନ୍ତୁ ସେମାନଙ୍କୁ ଗ୍ରହଣ କରିବାକୁ ନାରାଜ। ତେବେ ଅଭିଭାବକଙ୍କ ଅନୁରୋଧ, ସମାଜଠୁ ଟିକେ ସ୍ନେହ, ଆଦର ପାଇଲେ, ସେମାନେ ବି ଜିଇଁପାରିବେ ଏକ ସାଧାରଣ ଜୀବନ।
ଭଲ ଗୀତ ଗାଆନ୍ତି, ନାଚନ୍ତି। ନିଜେ ପରିବା କାଟି ରୋଷେଇ କରନ୍ତି। କେକ୍ ବି ତିଆରି କରନ୍ତି। ହେଲେ ଅଭିଭାବକଙ୍କୁ ଛାଡ଼ିଦେଲେ ଅଟିଜିମ୍ ପୀଡ଼ିତଙ୍କୁ କେହି ଗ୍ରହଣ କରିବାକୁ ନାରାଜ। ନା ସମାଜ, ନା ବନ୍ଧୁ ପରିଜନ। ଏମାନଙ୍କ ଦୋଷ ହେଲା, ଜନ୍ମ ବେଳୁ ହିଁ ଅଟିଜିମ୍ ସ୍ପେକ୍ଟ୍ରମ୍ ଡିଜଅର୍ଡରରେ ପୀଡ଼ିତ। ଯେଉଁଥିପାଇଁ ସେମାନେ ଆଉ ଭଲଭାବେ ନିଜ ଭାବକୁ ପରିପ୍ରକାଶ କରିପାରୁ ନାହାନ୍ତି। ଆଜି ସାରା ବିଶ୍ବ ଅଟିଜିମ୍ ସଚେତନତା ଦିବସ ପାଳନ କରୁଥିବା ବେଳେ ସବୁ ଅଭିଭାବକଙ୍କ ଗୋଟିଏ ଦାବି, ଏମାନେ ସ୍ବତନ୍ତ୍ର। ସ୍ବାଭାବିକ ଲୋକଙ୍କଠାରୁ ଟିକେ ଭିନ୍ନ। ସମାଜଠୁ ସ୍ନେହ, ଆଦର ପାଇଲେ, ଏମାନେ ବି ଜିଇଁପାରିବେ ଏକ ସାଧାରଣ ଜୀବନ। ତେଣୁ ୱାର୍ଲ୍ଡ ଅଟିଜିମ୍ ଆୱାରନେସ୍ ଡେ’କୁ ୱାର୍ଲ୍ଡ ଅଟିଜିମ୍ ଆକ୍ସେପଟାନ୍ସ ଡେ’ ଭାବେ ପାଳନ କରିବାର ସମୟ ଆସିଛି।
Also Read
ଅଧିକ ପଢ଼ନ୍ତୁ: ଅଟିଜିମ୍ ସଚେତନତା ଦିବସ; ଆସନ୍ତୁ ଜାଣିବା ଅଟିଜିମ୍ର ସାଧାରଣ ଲକ୍ଷଣ
ଉଦବେଗର କଥା ହେଲା ଅଟିଜିମ୍ ସ୍ପେକ୍ଟ୍ରମ୍ ପୀଡ଼ିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ୍ ପେଡିଆଟ୍ରିକ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଭାରତରେ ପ୍ରତି ୬୮ ପିଲାରୁ ଜଣେ ଅଟିଜିମ୍ ସ୍ପେକ୍ଟ୍ରମ୍ ଡିଜଅର୍ଡରରେ ପୀଡ଼ିତ। ଆମ ରାଜ୍ୟରେ ବି ଏ ସଂଖ୍ୟା ବଢ଼ି ଚାଲିଛି। ସ୍ବାସ୍ଥ୍ୟ ବିଭାଗ ତଥ୍ୟ କହୁଛି, ୨୦୨୧ରେ ରାଜ୍ୟରେ ୧୮୧ ଜଣ ଅଟିଜିମ୍ ପୀଡ଼ିତ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଆବେଦନ କରିଥିବା ବେଳେ ୨୦୨୨ରେ ୩୮୮ ଜଣ, ୨୦୨୩ରେ ୪୩୮ ଓ ୨୦୨୪ରେ ବୃଦ୍ଧି ଘଟି ଏହି ସଂଖ୍ୟା ପହଞ୍ଚିଛି ୬୧୦ରେ।
ତେବେ ଅନେକଙ୍କ ମନରେ ପ୍ରଶ୍ନ, ଜଣେ ଅଟିଜିମ୍ ସ୍ପେକ୍ଟ୍ରମ ଡିଜଅର୍ଡରରେ ପୀଡ଼ିତ ବୋଲି କିଭଳି ଜଣାପଡ଼ିବ ? ମନୋବିଜ୍ଞାନୀଙ୍କ ମତରେ, ପିଲା ୬-୭ ମାସ ବୟସର ହେବାପରେ ସେମାନଙ୍କଠାରେ ଅସ୍ବାଭାବିକ ବ୍ୟବହାର ଦେଖିବାକୁ ମିଳିଥାଏ। ଏଭଳି ଶିଶୁ ଆଇ କଣ୍ଟାକ୍ଟ କରନ୍ତିନି। କମ୍ ହସନ୍ତି, ଅଧିକ କାନ୍ଦନ୍ତି। ସେନସରି ସମସ୍ୟା ଥିବା ପିଲାମାନେ ଜୋତା ମୋଜା ପିନ୍ଧିବାକୁ ପସନ୍ଦ କରନ୍ତିନି। ଧୂଳି, ବାଲି କିମ୍ବା ପାଣିରେ ଖେଳିବାକୁ ପସନ୍ଦ କରନ୍ତନି। ଏମିତିକି ସେମାନେ ପରିବର୍ତ୍ତନକୁ ଗ୍ରହଣ କରନ୍ତିନାହଁ। ଏଭଳି ସମସ୍ୟା ଦେଖାଦେବା ମାତ୍ରେ ଅଭିଭାବକମାନେ ଡାକ୍ତରଙ୍କ ପରାମର୍ଶ ନେଇ ଏ ସଂପର୍କରେ ଅଧିକ ଜାଣିପାରିବେ। ଏହାପରେ ବିଭିନ୍ନ ପ୍ରକାର ଥେରାପି ଜରିଆରେ ସେମାନଙ୍କ ବ୍ୟବହାରରେ ସଂଶୋଧନ ଅଣାଯାଇପାରିବ।
ତେବେ ଅଟିଜିମ୍ ସ୍ପେକ୍ଟ୍ରମରେ ପୀଡ଼ିତଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରୀ ସ୍ତରରେ ଦେଖିବାକୁ ମିଳୁନି ସେଭଳି ତତ୍ପରତା। ସରକାରୀ ସ୍ତରରେ ଅଟିଜିମ୍ ଥେରାପି ପାଇଁ ବ୍ୟାପକ ବ୍ୟବସ୍ଥା ନଥିବାରୁ ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କ ବ୍ୟବହାରରେ ସୁଧାର ଆଣିପାରୁନାହାନ୍ତି। ଏଭଳି କ୍ଷେତ୍ରରେ ଅନ୍ୟମାନଙ୍କ ଲାଗି ଉଦାହରଣ ସାଜିଛି ସେଣ୍ଟର ଫର୍ ଅଟିଜିମ୍ ଥେରାପି କାଉନସେଲିଂ ଆଣ୍ଡ ହେଲ୍ପ ବା କ୍ୟାଚ୍। ୨୦୦୩ ମସିହାରେ ୪ ଜଣ ଅଟିଜିମ୍ ପୀଡ଼ିତ ଅଭିଭାବକଙ୍କ ନିଜସ୍ବ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ସେଣ୍ଟର ଏବେ ୩୫ ଜଣ ଅଟିଜିମ୍ ପୀଡ଼ିତଙ୍କ ଲାଗି ପାଲଟିଛି ମୁଖ୍ୟ ସ୍ରୋତରେ ସାମିଲ ହେବାର ରାହା।