ଚାଉଳରୁ ଅନ୍ନ, ଅନ୍ନରୁ ପୁଣି ଚାଉଳ। ଏଇ କଥାଟି ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ଏହା ହିଁ ତ ମହାପ୍ରସାଦର ମହିମା। ଏହି ମହିମାର ମହତ୍ୱ ଶୁଭ କାର୍ଯ୍ୟରୁ ନେଇ ଜୀବନର ଶେଷ ଯାତ୍ରାରେ ବି ଲୋଡା ପଡେ। ନାଁ ତାହାର ନିର୍ମାଲ୍ୟ ବା କୈବଲ୍ୟ। ମହାପ୍ରଭୁଙ୍କ ଶୁଷ୍କ ଅନ୍ନ ସର୍ବସାଧାରଣରେ ନିର୍ମାଲ୍ୟ ଭାବେ ପୂଜିତ। ଭକ୍ତଙ୍କ ବିଶ୍ୱାସ ମହାପ୍ରଭୂ ନିର୍ମାଲ୍ୟ କଣିକାରେ ବିଦ୍ୟମାନ।
କୁହାଯାଏ ଶ୍ରୀମନ୍ଦିରରେ ଅନ୍ନକୁ ନଷ୍ଟ କରାଯାଏନି। ଲକ୍ଷ୍ମୀ ଅନ୍ନର ଦେବୀ। ତେଣୁ ଏଠି ଅନ୍ନ ବଳିଲେ ତାକୁ ନିର୍ମାଲ୍ୟ ଖଳାକୁ ପଠାଯାଏ। ତେବେ ଏହା ବ୍ୟତୀତ ନିର୍ମାଲ୍ୟ ପ୍ରସ୍ତୁତି ପାଇଁ ବି ଶ୍ରୀମନ୍ଦିର ପାକଶାଳାରେ ସ୍ୱତନ୍ତ୍ର ପାକର ବ୍ୟବସ୍ଥା ମଧ୍ୟ ରହିଛି। ଶ୍ରୀମନ୍ଦିର ବାହାର ବେଢାର ଦକ୍ଷୀଣ-ପଶ୍ଚିମ ଭାଗରେ ଥିବା ନୀଳଚକ୍ର ଉପବନ ମଧ୍ୟରେ ରହିଛି ନିର୍ମାଲ୍ୟ ଖଳା। ଏ ଖଳାର ରକ୍ଷକ ହେଉଛନ୍ତି ନିର୍ମାଲ୍ୟ ମହାବୀର। ଭଗବାନ ଖାଇଲେ ଜୀବ ଜଗତ ଖାଆନ୍ତି। ତେଣୁ ଜଗନ୍ନାଥ ଏଠି ଜୀବିକା ମଧ୍ୟ।
ମାଟି କୁଡୁଆ ଗଢୁଥିବା କମାରଠୁ ନେଇ ଶୁଖିଲା ଭୋଗ ପାଇଁ ଡାଲା ପ୍ରସ୍ତୁତ କରୁଥିବା ବ୍ୟବସାୟୀ, ସଳିତାରୁ ନେଇ ସିନ୍ଦୁର ବିକୁଥିବା ବୁଢା ମଉସା, ସବୁଠି ତାଙ୍କରି ନାମ, ତାଙ୍କରି ଛାପ ଓ ତାଙ୍କରି ସ୍ୱାଦ। ତେବେ ଠାକୁରଙ୍କ ଖାଦ୍ୟ ସ୍ୱାଦ ଭିତରୁ ଅନ୍ୟତମ ପୁରୀର ପ୍ରସିଦ୍ଧ ଖଜା। ଖାଲି ଯେ ଏହା ଠାକୁରଙ୍କୁ ଲାଗି ହେଉଥିବା ଭୋଗ ନୁହେଁ, ଜୀବନା ଜିଇଁବାର ବାଟ ମଧ୍ୟ ଦେଖାଇଛି ଏହା। ସେଇଥିପାଇଁ ତ ସକାଳୁ ନେଇ ରାତି ଯାଏଁ ଏଠି ମହକୁ ଥାଏ ମିଠା ମିଠା ତାଜା ତାଜା ଖଜାର ବାସ୍ନା।
ବୋଧହୁଏ ଏହି କାରଣରୁ ଏଠି ବଡ ଦାଣ୍ଡରୁ ନେଇ ଗଳି ଗଳିରେ ଖଜା ଦୋକାନ। ପୁରୀ ଆସୁଥିବା ପର୍ଯ୍ୟଟକଙ୍କୁ ଏ ମିଠା ଖଜା ହିଁ ତ ମିଠା ମିଠା ଅନୁଭୁତି ଦେଇଥାଏ। ଏହି ଅନୁଭୁତିକୁ ସେମାନେ ସାଙ୍ଗରେ ବି ନେଇକି ଯାଇପାରନ୍ତି। ସତରେ ଥାକ ଥାକ କରି ଯେତେବେଳେ ବେପାରୀଟି ଜଗନ୍ନାଥଙ୍କ ନା ନେଇ ଏଠି ସିରା ଦିଆ ଖଜା ସଜେଇ ଦିଏ, ସେତେବେଳେ ଏ ଖଜା ସହ ତା’ ଜୀବିକା ଓ ତା’ ପରିବାର ପୋଷିବାର ମାଧ୍ୟମ ବି ସେମିତି ସଜାଡି ହୋଇଯାଏ।