(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ): ଦେବ ସ୍ନାନ ପୂର୍ଣ୍ଣିମା ଏକ ପବିତ୍ର ପର୍ବ । ଏହା ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ରୂପେ ବିଖ୍ୟାତ । ଶ୍ରୀ କ୍ଷେତ୍ରର ୧୩ ଯାତ୍ରା ମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ । ଜ୍ୟେଷ୍ଠମାସ ପୂର୍ଣ୍ଣିମା ଦିନ ଏହି ଯାତ୍ରା ପାଳିତ ହୋଇଥାଏ । ଦେବାଦେବ ଭଗବାନ ସକଳ ଦେବତାଙ୍କର ଅଧିଶୂର ଶ୍ରୀ ଜଗନ୍ନାଥଙ୍କ ସ୍ନାନକୁ ସମଗ୍ର ଓଡିଶାର ପୁରପଲ୍ଲୀ, ଗାଁ ଗଣ୍ଡାରେ ଦେବସ୍ନାନ ରୂପରେ ପାଳିତ କରାଯାଏ । ଲୋକଙ୍କୁ ପାପତାପରୁ ଉଦ୍ଧାର କରିବାକୁ ଜଗତର ନାଥ ଜଗନ୍ନାଥ ବଡ ଦାଣ୍ଡକୁ ଓଲ୍ଲାଇ ଆସିଥାନ୍ତି । ଜ୍ୟେଷ୍ଠ ପୂର୍ଣ୍ଣିମା ଜଗନ୍ନାଥଙ୍କର ଆର୍ବିଭାବ ଦିବସ ବୋଲି ପୈାରାଣିକ ମତ ରହିଛି । ତେଣୁ ଏହି ଦିନ ତାଙ୍କୁ ମହାସ୍ନାନ କରା ଯାଇଥାଏ ।
ପୂର୍ବରୁ ସୂର୍ଣ୍ଣକୂପର ସଂସ୍କାରାଦି ପରେ ସ୍ନାନବେଦୀ ସୁସସ୍କୃତ ହୋଇ ଚନ୍ଦ୍ରାତପାଦି ଦ୍ୱାରା ସୁସଜିତ ଥାଏ । ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଶ୍ରୀ ଶୁଭଦ୍ରା, ଶ୍ରୀ ଜଗନ୍ନାଥ ଯଥାକ୍ରମେ ସ୍ନାନବେଦୀକୁ ଯାତ୍ରା କରିବା ପରେ ଶ୍ରୀ ମଦନ ମୋହନ ବିଜେ ହୁଅନ୍ତି । ଦେବବିଗ୍ରହ ଯାତ୍ରା ମାନଙ୍କର ଏହି ବିଜେ ଯାତ୍ରାକୁ ପହଣ୍ଡି ବିଜେ କୁହାଯାଏ ।
Also Read
ଏକ ମନୋରମ ପରିବେଶରେ ସ୍ନାନ ବେଦୀରେ ଦେବ ବିଗ୍ରହ ମାନେ ପହଞ୍ଚି ପୂର୍ବାଭିମୁଖରେ ରତ୍ନ ସିଂହାସନରେ କ୍ରମରେ ସ୍ୱ ଚକଡା ଉପରେ ବିଜେ କରନ୍ତି । ଶ୍ରୀ ମନ୍ଦିରର ଉତ୍ତର ଦ୍ୱାର ନିକଟରେ ଥିବା ସୁନା କୂଅରୁ ପୂର୍ଣ୍ଣିମା ପୂର୍ବଦିନ ସୁନା ଗୋସାଇଁ ଓ ମୁଦିରଥ ୧୦୮ ଗୋଟି ନୂଆ କୂମ୍ଭରେ ଜଳ ଅଣାଇ ରଖିଥାନ୍ତି । ଏଥି ମଧ୍ୟରୁ ଶ୍ରୀ ଜଗନ୍ନାଥ ଦିବସ ନିମନ୍ତେ ୩୫ କୁମ୍ଭ, ଶ୍ରୀ ବଳଭଦ୍ର ନିମନ୍ତେ ୩୩ କୁମ୍ଭ, ଶ୍ରୀ ଶୁଭଦ୍ରା ନିମନ୍ତେ ୨୨ କୁମ୍ଭ ଓ ଶ୍ରୀ ସୁଦର୍ଶନ ନିମନ୍ତେ ୧୮ କୁମ୍ଭ ପୃଥକ, ପୃଥକ ଭାବରେ, ଚନ୍ଦନ, କର୍ପୂର, କେଶରାଦି ମିଶ୍ରିତ ହେବା ପରେ ବସ୍ତ୍ର ଓ ନାରୀକେଳ ସଂସ୍ଥାପନ ରୂପକ ଅଥିବାସିତ ହୋଇଥାଏ । ପୂଜା ପଣ୍ଡା ମାନେ ଷୋଡଷ ଉପଚାରରେ ପୂଜା କରିବା ପରେ ବିଦ୍ଧି ଭାବେ ସ୍ନାନ କରାଇଥାନ୍ତି । ଏହି ସ୍ନାନକୁ ଦେବତା ମାନେ ମଧ୍ୟ ଭକ୍ତି ଭାବରେ ଦର୍ଶନ କରିଥାନ୍ତି ବୋଲି ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି ।
ଏହି ସ୍ନାନ ପରେ ତିନି ଠାକୁର ଓ ଅନ୍ୟାନ୍ୟ ବିଗ୍ରହ ମାନଙ୍କୁ ଗଣପତି ବେଶ କରା ଯାଇଥାଏ । ଏହା ଅତ୍ୟନ୍ତ ମନୋରମ ଧାରି ବେଶ ହୋଇଥାଏ । ଯାହାକୁ ନିଜ ଆଖିରେ ନ ଦେଖିଲେ ଅବର୍ଣ୍ଣନୀୟ । ପୁରାଣ ଶାସ୍ତ୍ର ମାନଙ୍କରେ ଏହି ମହାନ ପର୍ବକୁ ମହାଜ୍ୟେଷ୍ଠ ସ୍ନାନ ଭାବେ ଅଭିହିତ କରାଯାଇଛି । ରାଷ୍ଟ୍ରର କଲ୍ୟାଣ ପ୍ରାଣୀର ମଙ୍ଗଳ, ପାପ ବିନାଶ ପାଇଁ ଏହି ମହତ ଯାତ୍ରାର ଉଦେଶ୍ୟ ।
ଜ୍ୟେଷ୍ଠ ପୂର୍ଣ୍ଣିମାରେ ପବିତ୍ର ମନ ଓ ଭକ୍ତିଭାବ ନେଇ ଯିଏ ଯାତ୍ରା ଦର୍ଶନ କରେ ତାର ସକଳ ପାପ ଦୂରିଭୁତ ହେଇଥାଏ । ସ୍ନାନ, ଦାନ, ତପସ୍ୟା, ଯପ, ଯଜ୍ଞ, ପ୍ରଭୂତି କୋଟି କୋଟି ଗୁଣର ଆୟୋଜନ କରିଲେ ମଧ୍ୟ ତାହା ଜଗନ୍ନାଥ ଦର୍ଶନ ମହାପୁଣ୍ୟର ସମକକ୍ଷ ହୋଇ ପାରିବ ନାହିଁ । ଏହି ଯାତ୍ରା ସଂପର୍କରେ ସ୍ୱୟଂ ବ୍ରହ୍ମା କହିଛନ୍ତି ଯେ :-
“ଯତ୍ ଫଳମ୍ ସ୍ନାନ ଦାନେନ ରାହୁଗ୍ରସ୍ତେ ଦିବାକରେ
ତତ୍ ଫଳଂ କୃଷ୍ଣ ମାଲୋକ୍ୟ ମହାଜ୍ୟେଷ୍ଠା ଲଭେ ନରଃ”