Astrospeak
  • Live TV
  • Read In English

ମହାପ୍ରଭୁ ଖାଉଛନ୍ତି ବୋଲି ଜୀବ ଜଗତ ଖାଉଛି

ବିଭିନ୍ନ ପ୍ରକାର ଭୋଗ ପାଇଁ ଏଥି ରହିଛି ରୋଷଘରର ପ୍ରାଚୀନ ଶୈଳୀ ଯାହା ଆଜିବି ବଜାୟ ରହିଚି। ମେଘନାଦ ପାଚେରୀର ଦକ୍ଷୀଣପୂର୍ବ କୋଣରେ ଥିବା ରୋଷଘରକୁ ପୃଥିବୀର ବୃହତ୍ତମ ରୋଷଘର କୁହାଯାଇଥାଏ।

Greatness of Jagannath Kitchen
ମହାପ୍ରଭୁ ଖାଉଛନ୍ତି ବୋଲି ଜୀବ ଜଗତ ଖାଉଛି

ଖାଦ୍ୟପ୍ରିୟ ଓଡିଆ ଠାକୁର ହେଉଛି କାଳିଆ ସାଆନ୍ତ। ସେ ଷାଠିଏ ପଉଟି ଖାଏ। ଏନେଇ ସ୍ୱତନ୍ତ୍ର ରୋଷେୟା ସହ ରୋଷଘରର ମଧ୍ୟ ବ୍ୟବସ୍ଥା ରହିଛି। ବିଭିନ୍ନ ପ୍ରକାର ଭୋଗ ପାଇଁ ରହିଛି ରୋଷଘରର ପ୍ରାଚୀନ ଶୈଳୀ ଯାହା ଆଜିବି ବଜାୟ ରହିଚି। ତେବେ ଆସନ୍ତୁ ସେ ସମ୍ପର୍କରେ ଜାଣିନେବା।

ମେଘନାଦ ପାଚେରୀର ଦକ୍ଷୀଣପୂର୍ବ କୋଣରେ ଥିବା ରୋଷଘରକୁ ପୃଥିବୀର ବୃହତ୍ତମ ରୋଷଘର କୁହାଯାଇଥାଏ। ଗୋଟିଏ ପଟେ ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ସୁଆର ସେବକ ଲାଗିଥିବା ବେଳେ ଅନ୍ୟ ପଟେ ସେଇ ମହାପ୍ରସାଦକୁ ବଡ ଆନନ୍ଦରେ ଭୁଞ୍ଜି ଚାଲିଥାନ୍ତି ଭକ୍ତବୃନ୍ଦ। ସତେ ଯେମିତି ଏଠି ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ନିବିଡ କରିବାକୁ ଅହର୍ନିଶ ଲାଗିଥାନ୍ତି ସମସ୍ତେ। ଏ ପ୍ରକିୟାକୁ ସଫଳ କରୁଥିବା ରୋଷ ଘର ବି ବଡ ରହସ୍ୟମୟ।

କୁହାଯାଏ ଏଠି ଥାକ ଥାକ ହୋଇ ବସିଥିବା ଅନ୍ନ ହାଣ୍ଡି ଭିତରୁ ଉପର ହାଣ୍ଡିର ଭାତ ହିଁ ଆଗ ସିଝିଥାଏ। ତା’ର କାରଣ ବି ପଦ୍ମପାଖୁଡା ପରି ଗଢା ଯାଇଥିବା ଏ ଚୁଲି ଓ ମାଟି ପାତ୍ର। ଚୁଲି ଯେତେପ୍ରକାର ହେଉ ନା କାହିଁକି, ଏଥିରୁ ପ୍ରସ୍ତୁତ ହେଉଥିବା ମହାପ୍ରସାଦ, ମହାନଭାବନା ଓ ମହାଆନନ୍ଦର ପ୍ରତୀକ। ବୋଧହୁଏ ସେଇଥିପାଇଁ ତାଙ୍କ ଭୋଗ ବଜାରର ନାଁ ଆନନ୍ଦ ବଜାର। ଭୋକ ଦୁଃଖର କାରଣ ଆଉ ଏ ଭୋଗ ଭୋକର ନିରାକରଣ ବା ଆତ୍ମତୃପ୍ତିର ପରିଭାଷା। ତେଣୁ ଭକ୍ତର ଭୋକକୁ ବୁଝୁଥିବା ଭାବର ଠାକୁରଙ୍କ ଭୋଗ ଖାଇ, ଭକ୍ତ ଯୋଉ ଆନନ୍ଦ ପାଏ ତାହା ହିଁ ଆନନ୍ଦ ବଜାରର ମହତ୍ୱ।

କେଉଁଥିରେ ବଢାଯାଉ ନ ଥିବାରୁ ନାଁ ଏହାର ଅବଢା। ଆଉ ଏ ବଢା ନଯିବା ପଛର ଉଦେଶ୍ୟ ବି ମହାନ। ଧନି ଗରିବ, ଉଚ୍ଚ ନୀଚ୍ଚ, କଳା ଗୋରା, ଜୀବ ଜଗତ ଯୋଉଁ ଗୋଟିଏ କୁଡୁଆରୁ ହାତ ପୁରେଇକି ଖାଇବାର ହକ ଓ ସ୍ୱାଧୀତା ରହିଛି ସେ ହଉଛି ଏଇ ଅବଢା କୁଡୁଆ।

ଏହା କେବଳ ଆତ୍ମାକୁ ଶାନ୍ତି କି ପାଟିକୁ ସୁଆଦିଆ ଲାଗେନି ବରଂ ଏହା ଆମ ଭିତରେ ଥିବା ଅହଂକାରକୁ ଦୂର କରିବାର ମାଧ୍ୟମ। ସମସ୍ତେ ଯେ ମହାପ୍ରଭୃଙ୍କ ଦୃଷ୍ଟିରେ ସମାନ, ସମଗ୍ର ଜାତିର ଯିଏ ଅନ୍ନଦାତା ତାହା ହିଁ ସିଏ ଅବଢା ଜରିଆରେ ବତାଇଦିଅନ୍ତି। ଏଠି ଭଗବାନ ଖାଉଥିବା ଭୋଗ କେବଳ ତାଙ୍କ ପାଇଁ ନୁହଁ ବରଂ ଭଗବାନ ଖାଇଛନ୍ତି ବୋଲି ଏଠି ଜୀବ ଜଗତ ବି ଖାଉଛନ୍ତି।

କୁହାଯାଏ ପୁରୀରେ କେହି ଉପାସରେ ରୁହନ୍ତିନି। କାରଣ ଏହା ଶ୍ରୀକ୍ଷତ୍ର, ଅର୍ଥାତ ଏଠି ଲକ୍ଷ୍ମୀଙ୍କ ବାସ। ତେଣୁ କେଉଁଠୁ ନା କେଉଁଠୁ ଖାଦ୍ୟ ଯାଇ ଭୋକିଲା ପେଟ ପାଖରେ ପହଞ୍ଚିଯାଏ। କୁହାଯାଏ ପାତାଳୀ ସମୟ ଛଡା ଶ୍ରୀମନ୍ଦିରରେ ଆଉ କେବେ ଅବଢା ବନ୍ଦ ହୋଇନାହିଁ। ଏମିତିକି ୧୮୬୬ ମସିହାରେ ଯେତେବେଳେ ସାରା ଓଡିଶା ନଅଙ୍କ ଦୂର୍ଭିକ୍ଷକୁ ସାମ୍‌ନା କରିଥିଲା, ଯେତେବେଳେ ମୁଠେ ଦାନା ବି ମିଳିବା ସ୍ୱପ୍ନ ହୋଇ ଯାଇଥିଲା, ସେତେବେଳେ ବି ଭୋକିଲା ଆତ୍ମା ପାଖରେ ଗୋଟିଏ ଆଶା ଓ ବିଶ୍ୱାସ ଥିଲା, କେବଳ ପୁରୀ ଧାମରେ ହିଁ ଅନ୍ନ ମୁଠେ ମିଳିବା ସମ୍ଭବ। ସେହି ଆଶାରେ ଅନେକ ଲୋକ ନିଜ ଘର ଦ୍ୱାର ଛାଡି ପୁରୀ ପଳାଇ ଆସିଥିଲେ।