ଆଜି ପହିଲି ରଜ ୨୦୨୨ ମସିହା। ସକାଳୁ ସକାଳୁ ମୋବାଇଲ୍ ଫୋନ୍ ଟା ଦେଖିଲା ବେଳକୁ ହ୍ଵାଟସ୍ଆପ୍ ଫେସବୁକ ନୋଟିଫିକେସନ୍ ରେ ସ୍କ୍ରିନ୍ଟା ଭର୍ତ୍ତି। ଅନେକ ବନ୍ଧୁଙ୍କ ଠାରୁ ରଜର ଶୁଭେଚ୍ଛା ବାର୍ତ୍ତା। ଖାଲି ଶଦ୍ଦ ସମ୍ଭାରର ବାର୍ତ୍ତା ନୁହେଁ, ଅନେକ ଅଡିଓ ଭିଡିଓ ର ବାର୍ତ୍ତା ପଠେଇଛନ୍ତି।
ସେଥିରେ ଅଛି ଦୋଳି ଖେଳ ର ଦୃଶ୍ୟ। ରଜଦୋଳି ଗୀତ, ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ ଲୋ ଘେନି ନୂଆ ନୂଆ ବେଶ। ରଜ ପିଠାର ଫଟୋ ସମ୍ଭାର। ଏ ସବୁ ମନେ ପକେଇ ଦଉଥିଲା ସେକାଳର ରଜ। ଆମ ପିଲାଦିନର ରଜ। ହେଲେ ସେ ସବୁ କ୍ଷଣ ଭଙ୍ଗୁର। ଏଥିରେ କିଛି ସମୟ ପାଇଁ ସ୍ମୃତି ର ଅନୁଭୁତି ଥିଲା କିନ୍ତୁ ସୁଖ ଅନୁଭବ ହେଉ ନଥିଲା।
ହେଲେ ଏବେ କିଛି ଉପାୟ ଦେଖାଯାଉନି। ଗାଁକୁ ଗଲେ ବି ସେଇ ଅବସ୍ଥା। ଗାଁରେ ବି ରଜ ପାଳନ ହଉଚି ହ୍ଵାଟସ୍ଆପ୍ରେ। ନଦୀବନ୍ଧରେ ବୋତଲ ଠିପି ଖୋଲାରେ ଆଉ ପ୍ରେୟସୀ ସହିତ ହ୍ଵାଟସ୍ଆପ୍ ଭିଡିଓ କଲ୍ରେ। କିନ୍ତୁ ରଜ ପିଠା ଭାରରେ ନଯାଇ ଯାଉଛି ହ୍ଵାଟସ୍ଆପ୍ରେ। ରଜ ଦୋଳି ଆମ୍ବ ତୋଟାରେ ନ ଲାଗି, ଲାଗୁଛି ଘର ବାଲ୍କୋନୀରେ, ଘର ବାରଣ୍ଡାରେ। ଏବେ ସବୁ ଭରଚୁଆଲ୍ ମୋଡ୍ରେ ଚାଲୁଚି। ସରକାର ଙ୍କ ଉଦଘାଟନ ଉତ୍ସବ, ସରକାରୀ ସଭା ଇତ୍ୟାଦି। ରଜ ବି ଭରଚୁଆଲ୍ ରଜ।
ସେ କିନ୍ତୁ ଯା ହେଉ, ଏ ସବୁ ହ୍ଵାଟସ୍ଆପ୍ ମେସେଜ୍ ଦେଖିଲା ପରେ ମନେ ପଡି ଯାଉଥିଲା ମୋ ପିଲାଦିନ ର ରଜ। ଖରାଛୁଟି ସରିବା ର ଦୁଃଖ, ଆଉ ସ୍କୁଲ ଖୋଲିବାର ଦୁଃଖ ବେଳକୁ ରଜଟି ଆସୁଥିଲା ଅନେକ ଖୁସି ନେଇ।
ନଦୀକୁ ଗାଧୋଇବାକୁ ଗଲାବେଳକୁ ନଦୀବନ୍ଧରେ ଭେଟ ହେଲା ସାଙ୍ଗ ସନା। ଖସି ପଡୁଥିବା ହାପ୍ ପେଣ୍ଟ ଟାକୁ ଟେକୁ ଟେକୁ କହିଲା, "କିଶୋର ତମ ଆମ୍ବ ବଗିଚାରେ ଦୋଳି ଲଗୋଉଚ?"
- ହଁ, ଆସିବୁ ଖେଳିବା।
- ପିତ ଭାଇ ବାଉଁଶ ଦୋଳି ଲଗୋଉଛନ୍ତି ବାରିଆଡ ଆମ୍ବ ତୋଟା ରେ। ଗୋଟେ ଚକ୍ର ଦୋଳି ତିଆରି କରୁଛନ୍ତି ଲାଗିବ ଖଳାବାରିରେ। ଆସିବୁ।
- ଆରେ ଚାରିଦିନ ପରେ ସ୍କୁଲ ଖୋଲିବ।
- ହଉ, ସ୍କୁଲତ ଛପର ହେଇନି। ଚାଳ ସାରା କଣା। ଏଇନେ ବରଷା ହବ। କୋଉ ପାଠ ପଢାହବ।
- ଚାଲ୍ ଗାଧେଇବା
- ହୁର୍ ରୁ -ଉ -ଉ ଉ ଉ। ଦେ ଦଉଡ଼ ନଦୀବନ୍ଧରୁ ତୁଠ କୁ।
ଦଉଡ଼ିଲା ବେଳକୁ ପେଣ୍ଟ ଖସି ପଡ଼ୁଚି। ଯେତେ ଟେକିକି ଧରିଲେ ବି ଫାଳେ ଦେଖାଯାଉଚି।
ମୋ ପେଣ୍ଟ କିନ୍ତୁ ଖସିନି କାରଣ, ବାପା ପେଣ୍ଟ ରେ ଫିତା ଲଗେଇ ଦେଇଛନ୍ତି। ପଛ ପାଖରୁ ଦିଇଟା ଫିତା କ୍ରସ୍ ପଡିକି କାନ୍ଧ ଉପରେ ଆସି ଆଗ ପଟେ ଅଣ୍ଟାରେ ବୋତାମ ଲାଗିଛି। ଆଡ଼ଜଷ୍ଟ କରିବା ପାଇଁ ଟିକେ ଛାଡି ଛାଡ଼ି ତିନିଟା କାଜ ହେଇଚି। ତଥାପି କାନ୍ଧରୁ ଫିତା ଖସିଯାଉଚି। ଗୋଟେ କାନ୍ଧରୁ ଖସିଲେ, ସେଇପାଖୁ ଟିକିଏ ଝଲକ୍ ଆସୁଚି। ତାକୁ କିଏ ପଚାରେ।
ନଦୀ ରେ ବୁଡି ବୁଡି ଆସିଲା ପରେ ପ୍ରଥମେ ଦୋଳି ଚିନ୍ତା। ବଡ଼ ଦାଦା ଆସିଛନ୍ତି।
- ଦାଦା, ବଗିଚାରେ ଦୋଳି ଲଗେଇବା।
- ହଉ, ଲଗେଇବା ଆଉ।
- ଚାଲୁନ। ଚାଲ ବଗିଚା କୁ ଟିକେ ଦେଖିକି ଆସିବା। କୋଉଠି କେମିତି ଲାଗିବ।
- ହଉ ଚାଲ।
- ଦାଦା, ଦେଖିଲ ଏଇ ବାଇଗଣ ପଲେଇ ଗଛର ଏଇ ଡାଳ ଟାରେ ଲଗେଇଲେ ହବ।
- ନାଇଁ ଏଇଟା ଭାଙ୍ଗିଯିବ। ସେ ଉପର ଡାଳରେ ଲଗେଇଲେ ହବ ଯେ ଟିକେ ବେଶୀ ଉଚ୍ଚା ହେଇଯାଉଚି।
- ନାଇଁ, ଦାଦା ସେଇ ଉଚ୍ଚା ଟାରେ ଲଗା। ମୁଁ ଚକରା ବୁଢାବା କୁ ଡାକୁଚି ଚଢିବେ।
ଚକରା ବୁଢାବା ଆସିଲେ। ସେଇ ଉଚା ଡାଳରେ ଗୋଟେ ସାଇକେଲ ଟାୟାର ବନ୍ଧା ହେଇ ସେଥିରେ ଦି’ଇଟା ଲଙ୍ଗଳ ଦଉଡି ବାନ୍ଧି ତଳେ ପିଢ଼ା ବନ୍ଧାହେଇଗଲା। ଦୋଳିର ଟ୍ରାୟାଲ ବି କରିଦେଲି। ଚକରା ବୁଢାବାଙ୍କୁ କହିଲି ଗୋଟେ ବାଉଁଶ ଦୋଳି ଲଗାନ୍ତନି।
- ନାଇଁ ବାବୁ, ତମେ ସବୁ ପଡି ପାଡି ଯିବ। ପଧାନେଙ୍କୁ କହିଲେ ହବନା।
- ଚାଲ ଯିବା କହିବା। ଯିବା?
- ଭାଈ, ପିଲାମାନେ କହୁଛନ୍ତି ଗୋଟେ ବାଉଁଶ ଦୋଳି ଲଗେଇବା ପାଇଁ।
- ବାଉଁଶ ଦୋଳି? ପଡ଼ି କି ଗୋଡ ଭାଙ୍ଗିବ, ମୁଣ୍ଡ ଫଟେଇବ। ସେଗୁଡା କ’ଣ। ପଟା ଦୋଳି ଲଗା। ପଟାରେ ବସିକି ଖେଳିବ।
- ପଟା ଦୋଳି ଲାଗି ସାରିଲାଣି।
- ଲାଗିଲାଣି ତ, ଆଉ କ’ଣ।
- ବୋଉ କହିଲା, "ବାପା, ପିଲା ଅଳି କରୁଛନ୍ତି ତ ଗୋଟେ ଲଗେଇ ଦଉନ।"
- କିଏ ସମ୍ଭାଳିବ ତାଙ୍କୁ।
- ଦାମ ଅଛନ୍ତି ନା। ପିଲାଙ୍କୁ ସିଏ ସମ୍ଭାଳି ଦେବେ।
- ହଉ, ଚକରା। ଯା ସେଇ ପାଇଖାନା ପାଖ ବାଉଁଶ ବୁଦାରୁ ଗୋଟେ ବାଉଁଶ କାଟିବୁ। ଦାମା ନଥିବାବେଳେ ଦୋଳିଟାକୁ ଉପରେ ବାନ୍ଧିଦଉଥିବ, ଯେମିତି ସହଜରେ କେହି ଖସେଇ ପାରିବେନି।
ଲାଗିଲା ବାଉଁଶ ଦୋଳି ଅଶଢେଇ ଗଛ ଉଚ୍ଚା ଡାଳରେ।
ବୋଉ, ଖୁଡି ଆଜି ବହୁତ ବ୍ୟସ୍ତ। ଫୁରସତ ନାହିଁ। ବରି ବଟା ଚାଲିଛି ଶିଳରେ। କାଲି ଶିଳ ଶିଳୁପୁଆ ପୁଜା ହବ ଆଉ ବଟା ହବନି। ମସଲା ବି ବଟା ହେଇକି ଥୁଆ ହେଵ ଦି ଦିନ ପାଇଁ। ଢିଙ୍କିରେ ଅରୁଆ ଚାଉଳ କୁଟା ହେଇକି ଚୁନା ଥୁଆ ହେଇଚି ଦି ଦିନ ହେଲାଣି। ତଥାପି ଢିଙ୍କି ପାହାର ଶୁଭୁଚି ପଡିଶା ଘରୁ। ଚାରିଦିନ ହେଲାଣି ଯେତେବେଳେ ନା ସେତେବେଳେ ଢିଙ୍କି ପାହାର ଶୁଭୁଥିଲା ସାଇ ଭିତରୁ।
ରାତି ହେଲାଣି, ବୋଉ ଆଉ ଖୁଡି, କେତେ ପ୍ରକାର ପିଠା କରି ଥୋଇଲେଣି। ମଣ୍ଡା, ଆରିଷା, କାକେରା ଇତ୍ୟାଦି। ଏବେ ଖାଇବା ପାଇଁ ଚକୁଳି ହଉଚି ଆଉ ବରା ଛଣା ହେଇଚି। ଶେଷ କୁ ପୋଡ଼ ପିଠା। ଲିଭିଲା ଚୁଲିରେ ରଡ଼ ନିଆଁ ରେ କଦଳୀ ପତ୍ରରେ ଥୋଇ ଚୁଲି ଉପରେ ଗୋଟେ ଖପରାରେ ନିଆଁ ଥୋଇଦେଲେ ସକାଳକୁ ବଢିଆ ପୋଡ ପିଠା ବାହାରିବ।
ଆଜି ପହିଲି ରଜ। ସକାଳୁ ସକାଳୁ ଗାଁ ର ଦୃଶ୍ୟ ବଦଳି ଯାଇଛି। ସାଇ ଭିତର ଟିକିଏ ଗହଳି ଚହଳି ଲାଗିଛି। ପଡିଶା ଘରେ ତାଙ୍କ ନୁଆ ବୋହୁର ବାପା, ନୁଆ ଧୋତି ପିନ୍ଧି କାନ୍ଧରେ ଗୋଟେ ଗଣ୍ଠିଲି ପକେଇ ଘର ଅଗଣାକୁ ପସୁଛନ୍ତି। ସେପାଖେ କଲରା ନାନୀ ବାପା ସଜବାଜ ହେଇ କାନ୍ଧରେ ଗଣ୍ଠିଲି ଟିଏ ପକେଇ ବାହାରିଲେଣି ଝିଅ ଘରକୁ। ବୁଲି ନାନୀ ର ଭାଇ ସାଇକେଲ କ୍ୟାରିୟର ରେ ଗଞଟେ ବଡ ଗଣ୍ଠିଲି ବାନ୍ଧୁଛନ୍ତି। ସବୁଠି ପୋଡ଼ ପିଠାର ମହ ମହ ବାସ୍ନା। ମୁଢ଼ି, ଉଖୁଡା ର ଗଣ୍ଠିଲି, ପାଚିଲା ଆମ୍ବ ପଣସ ର ବାସ୍ନା।
ଆମର ବୁଦ୍ଧିଆ ଭାଇ, ସାଇକେଲ ରେ ଦିଇଟା ଗଣ୍ଠିଲି ବାନ୍ଧି ପାହାନ୍ତି ପହରୁ ଘାଟକୁ ଗଲାଣି। ନଦୀ ପାର ହେଇ ନାନୀ ଘରକୁ ଯିବ। ଜମ୍ଵେଇ ମାମୁଁ ଗୋଟେ ବଡ ଗଣ୍ଠିଲି ଧରି ଆମ ଅଗଣାରେ ପସିଲେ। ଖୁଡି ଆଉ ବୋଉ ତାଙ୍କୁ ମୁଣ୍ତିଆ ମାରି ତାଙ୍କ ଚର୍ଚ୍ଚା ରେ ଲାଗିଲେ। ମାମୁଁ କହିଲେ ଗଣ୍ଠିଲି ଟା ଖୋଲି ଦବ ମାଛ ଅଛି। ପୋଡ଼ ପିଠା ତ ପୋଡ ପିଠା ଗଣ୍ଠିଲି ରୁ ବାହାରିଲା ଦିଇଟା ବଡ଼ ମାଛ। ଗୋଟିକ ଚାରି ପାଞ୍ଚ କିଲୋ ହବ। ମାମୁଁ କହିଲେ, ଗାଁ ପୋଖରୀ ରୁ ମାଛ ମରା ହେଲାତ ନେଇ ଆସିଲି। ମାଛ ଭଜା ହେଲା। ମାଛ ସାଇରେ ବଣ୍ଟାହେଲା।
ଇଏ ଗଲା ସକାଳର ଦୃଶ୍ୟ। ଦିପହରେ ଗଲି ଆମ୍ବ ବଗିଚା କୁ ଦୋଳି ଖେଳି ବା ପାଇଁ। ଆମେ ଭାଇ ଭଉଣୀ ଦଳେ, ତା ବାଦ ଆଉ କିଛି ପିଲା ଆସିଗଲେ। ସମସ୍ତେ ନୁଆ ପିନ୍ଧି ରଜ ସଉକି ହେଇଛନ୍ତି। ଝିଅ ମାନେ ସମସ୍ତେ ଅଳତା ଲଗେଇଛନ୍ତି। ପାଖ ଆମ୍ଵ ତୋଟା ବି ଗହଳି ଲାଗୁଛି। ସେଠି ବି ଦୋଳି ଲାଗିଛି। ଅନ୍ୟ ପାଖରେ ସ୍ଵାଇଁ ସାଇ ପଖ ତୋଟାରୁ କୋଳାହଳ ଶୁଭୁଚି। ସେଠି ବି ଦୋଳି ଲାଗିଛି।
ସମସ୍ତେ ତାଙ୍କ କ୍ଷମତା ଅନୁସାରେ ନୁଆ ରଙ୍ଗ ବେରଙ୍ଗ ଡ୍ରେସ୍ ପିନ୍ଧି ବାହାରି ଆସିଛନ୍ତି। କିଛି ଫ୍ରକ୍ ପିନ୍ଧା ଝିଅ ଆଜି ଶାଢ଼ୀ ପିନ୍ଧି ଅଳତା ନାଇ ବାହାରି ଆସିଛନ୍ତି। ଖିଲି ଖିଲି ହସ ଆଉ ଦୋଳି ଖେଳରେ ତୋଟା ଫାଟୁଚି। ସତେ ଯେମିତି ସବୁ ପ୍ରଜାପତି ଏକାଥରେ କୋଷା ରୁ ବାହାରି ପଡିଛନ୍ତି ଆଉ ବଗିଚା ରେ ଖେଳି ବୁଲୁଛନ୍ତି। ଦୋଳି ରେ ଝୁଲିଲା ବେଳେ ଶାଢ଼ୀ ର କାନି ଉଡୁନି ଯେ ପ୍ରଜାପତି ର ଡେଣା ଖୋଲୁଚି। ଟିକିଏ ଡେରିକୁ ବୋଉ ଖୁଡି ସମସ୍ତ ଙ୍କୁ ଖୁଆଇ ଆଉ ନିଜେ ଖାଇସାରି ଆସିଲେ ବଗିଚା କୁ। ପଟା ଦୋଳିରେ ଦୋଳିଖେଳିଲେ। ବିଳାସ ନାନୀ, ସୁଷମା, ଟିକି ଆଦି ବାଉଁଶ ଦୋଳି ରେ ଧୁମ୍ ଝୁମିଲେ।
ମୁଁ ଟିକିଏ ବୁଲି ଆସିଲି ସାଇ ଆଡ଼େ। ଦେଖିଲି ପିତ ଭାଇ ତାଙ୍କ ଖଳା ବାରିରେ ଲଗେଇ ଛନ୍ତି ଚକ୍ର ଦୋଳି। ଗୋଟେ ମୋଟା କାଠ ଖୁଣ୍ଟ ପୋତି ତା ଉପରେ ଗୋଟେ ବିଅରିଙ୍ଗ ଲଗେଇ, ବିଅରିଙ୍ଗରେ ଦିଖଣ୍ଡ ବାଉଁଶ କ୍ରସ୍ କରି ଫିଟ୍ କରିଛନ୍ତି। ଦିଖଣ୍ଡ ବାଉଁଶ ର ଚାରି ମୁଣ୍ଡରେ ଚାରିଟି ଛୋଟ ପଟା ଦୋଳି ଲାଗିଛି। ଏକାଥରେ ଚାରିଜଣ ବସି ପାରିବେ। ଚାରିଦଣ ବସିଲା ପରେ ହାତରେ ବୁଲେଇ ବାକୁ ପଡେ। ଏମିତି ଦୋଳି ଘୋଡା, ହାତୀ, ଚଉକି କରି ଛତା ତଳେ ଝୁଲିବା ମେଳା ରେ ଲାଗେ। ସାଇରେ ହାତ ତିଆରି ଏମିତି ଦୋଳି ଲାଗିଥିବାରୁ, ସେଠି ସାଇ ପିଲାଙ୍କ ପ୍ରବଳ ଭିଡ଼।
ସନ୍ଧ୍ୟା ପୁର୍ବରୁ ବୋଉ ଖୁଡି ନାନୀ ସମସ୍ତେ ବସିଗଲେ ଖାଇବା ପାଇଁ। ସନ୍ଧ୍ୟା ପରେ ଆଉ ଖାଆନ୍ତିନାହିଁ। ସାନ ଦାଦା ଛୁଟିରେ ଆସିଥିଲେ, ସେ କଟାଟି କରି ଖାଇବାକୁ ଦିଅନ୍ତି। ସ୍ତ୍ରୀ ଲୋକ ଙ୍କୁ କାଟିବା ମନା। ଅଗଣାରେ ସମସ୍ତେ ଏକାଠି ଖାଇଲା ବେଳକୁ ରେଡ଼ିଓ ଟା ବାଜୁଥିଲା। ଯୁବ ବାଣି ପ୍ରୋଗ୍ରାମ ରେ ରଜ ଦୋଳି ର ଗୀତ ବାଜୁଥିଲା।
ସେ ମଉଜ ହ୍ଵାଟସ୍ଆପ୍ ରେ କାଇଁ?
ତୁଣପୁର, ବଡ଼ମ୍ବା, କଟକ, ଦୂରଭାଷ: ୭୩୯୬୭୩୯୭୫୭
ଲେଖକ ଆନ୍ଧ୍ର ପେପର ଲିମିଟେଡ୍ରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)