National Education Day 2024: ମୌଲାନା ଅବୁଲ କଲାମ ଆଜାଦଙ୍କ ମହାନ ଦାନ; UGC ଏବଂ IIT

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୦୮ରେ ପ୍ରତିଷ୍ଠିତ ‘ଜାତୀୟ ଶିକ୍ଷା ଦିବସ’ ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ ତଥା ପ୍ରଗତିଶୀଳ ଭାରତ ପାଇଁ ତାଙ୍କର ଦୃଷ୍ଟିକୁ ସମ୍ମାନିତ କରିବା। ଆସନ୍ତୁ ଜାଣିବା ତାଙ୍କର ଅବଦାନ।

ମୌଲାନା ଅବୁଲ କଲାମ ଆଜାଦଙ୍କ ମହାନ ଦାନ

ଜଣେ ପ୍ରଭାବଶାଳୀ ସ୍ୱାଧୀନତା ସଂଗ୍ରାମୀ, ପଣ୍ଡିତ ତଥା ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବୁଲ କଲାମ ଆଜାଦଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ଭାରତରେ ପ୍ରତିବର୍ଷ ‘ଜାତୀୟ ଶିକ୍ଷା ଦିବସ’ ପାଳନ କରାଯାଏ। ପ୍ରତିବର୍ଷ ନଭେମ୍ବର ୧୧ ତାରିଖରେ ଏହି ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଏ।

ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ବର୍ତ୍ତମାନ ଶିକ୍ଷା ମନ୍ତ୍ରଣାଳୟ) ଦ୍ୱାରା ୨୦୦୮ରେ ପ୍ରତିଷ୍ଠିତ ଏହି ଦିନର ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ଆଜାଦଙ୍କ ଅବଦାନ ତଥା ପ୍ରଗତିଶୀଳ ଭାରତ ପାଇଁ ତାଙ୍କର ଦୃଷ୍ଟିକୁ ସମ୍ମାନିତ କରିବା।

ଏକ ସମାନ ତଥା ସଶକ୍ତ ସମାଜ ଗଠନ ପାଇଁ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ନେଇ ‘ଜାତୀୟ ଶିକ୍ଷା ଦିବସ’ ଆମକୁ ମନେ ପକାଇଥାଏ। ‘ଜାତୀୟ ଶିକ୍ଷା ଦିବସ’ ଦେଶର ଶୈକ୍ଷିକ ଯାତ୍ରା ଏବଂ ଆକାଂକ୍ଷାକୁ ଆଲୋକିତ କରିବା ପାଇଁ ଏକ ନୂତନ ସୁଯୋଗ ଆଣିଥାଏ।

ଇତିହାସ:

‘ଜାତୀୟ ଶିକ୍ଷା ଦିବସ’ର ଇତିହାସର ମୂଳ ହେଉଛନ୍ତି ମୌଲାନା ଅବୁଲ କଲାମ ଆଜାଦଙ୍କ ଶିକ୍ଷାଗତ ସଂସ୍କାର ଏବଂ ପଦକ୍ଷେପ। ଶିକ୍ଷା ମନ୍ତ୍ରୀ ଭାବରେ ସେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏବଂ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT) ସମେତ ଭାରତର କେତେକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ତାଙ୍କର ଦୃଷ୍ଟିକୋଣ ଥିଲା ଶିକ୍ଷାକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା।

ଆଜାଦଙ୍କ ଅବଦାନଙ୍କୁ ସମ୍ମାନ ଜଣାଇବା ପାଇଁ ଭାରତ ସରକାର ୧୧ ନଭେମ୍ବରକୁ ‘ଜାତୀୟ ଶିକ୍ଷା ଦିବସ’ ଭାବରେ ୨୦୦୮ରେ ଘୋଷଣା କରିଥିଲେ। ତାଙ୍କର ଦୃଢ ବିଶ୍ୱାସ ଥିଲା ଯେ ଶିକ୍ଷା ବ୍ୟକ୍ତିବିଶେଷ ଏବଂ ସମ୍ପ୍ରଦାୟକୁ ଉନ୍ନତ କରିପାରିବ ଏବଂ ଏଥିପାଇଁ ସେ ସ୍ୱାଧୀନ ଭାରତ ପାଇଁ ଏକ ଶକ୍ତିଶାଳୀ ଶିକ୍ଷାଗତ ଢାଞ୍ଚା ପ୍ରତିଷ୍ଠା ପାଇଁ ନିରନ୍ତର କାର୍ଯ୍ୟ କରିଥିଲେ।

ବୈଜ୍ଞାନିକ ଏବଂ ବୈଷୟିକ ଶିକ୍ଷା ଉପରେ ଆଜାଦଙ୍କ ଧ୍ୟାନ ଆଜି ମଧ୍ୟ ପ୍ରାସଙ୍ଗିକ ହୋଇ ରହିଛି, ବିଶେଷକରି ଭାରତ ଏକ ବୈଶ୍ୱିକ ଜ୍ଞାନ କେନ୍ଦ୍ର ହେବା ଦିଗରେ କାର୍ଯ୍ୟ କରୁଛି।

୨୦୦୮ ପରଠାରୁ, ‘ଜାତୀୟ ଶିକ୍ଷା ଦିବସ’ ଏକ ଇଭେଣ୍ଟରେ ପରିଣତ ହୋଇଛି ଯାହା ସାକ୍ଷରତାକୁ ପ୍ରୋତ୍ସାହିତ କରେ, ଶିକ୍ଷାଗତ ଆହ୍ୱାନ ଉପରେ ଆଲୋଚନା କରେ ଏବଂ ଶିକ୍ଷା ନେଇ ଅଧିକ ସମାବେଶ କରିବାରେ ସୁଧାର ଆଣିବାକୁ ଉତ୍ସାହିତ କରେ।

ମୌଲାନା ଅବୁଲ କଲାମ ଆଜାଦଙ୍କ ଅବଦାନ:

ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଭାବରେ ସେ ସ୍ୱାଧୀନତା ପରେ ଭାରତର ଗ୍ରାମାଞ୍ଚଳର ଗରିବ ଏବଂ ବାଳିକାମାନଙ୍କୁ ଶିକ୍ଷା ପ୍ରଦାନ ଉପରେ ଧ୍ୟାନ ଦେଇଥିଲେ।

ତାଙ୍କର ପ୍ରାଥମିକତା ମଧ୍ୟରେ ବୟସ୍କ ସାକ୍ଷରତାକୁ ବଢାଇବା, ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ସୁନିଶ୍ଚିତ କରିବା, ସର୍ବଭାରତୀୟ ପ୍ରାଥମିକ ଶିକ୍ଷାକୁ ବିସ୍ତାର କରିବା ଏବଂ ଧନ୍ଦାମୂଳକ ତାଲିମ ଉପରେ ଗୁରୁତ୍ୱ ଦେଇ ମାଧ୍ୟମିକ ଶିକ୍ଷାକୁ ବିବିଧ କରିବା ଅନ୍ତର୍ଭୁକ୍ତ ଥିଲା।

ମୌଲାନା ଅବଦୁଲ କଲାମ ଆଜାଦଙ୍କ ଅବଦାନ ସ୍ୱାଧୀନତା ଆନ୍ଦୋଳନଠାରୁ ବହୁ ଆଗକୁ ଥିଲା। ଏକ ଶିକ୍ଷିତ, ଧର୍ମନିରପେକ୍ଷ ତଥା ଏକୀକୃତ ଭାରତ ପାଇଁ ତାଙ୍କର ଦୂରଦୃଷ୍ଟି ଦେଶର ଅଗ୍ରଗତିକୁ ଅନେକ ଦିଗରେ ସହାୟତା ଦେଉଛି।

ଶିକ୍ଷା ମନ୍ତ୍ରୀ ଅବୁଲ କଲାମ:

ମୌଲାନା ଅବୁଲ କଲାମ ଆଜାଦ ୧୫ ଅଗଷ୍ଟ ୧୯୪୭ରୁ ୨ ଫେବୃଆରୀ ୧୯୫୮ ପର୍ଯ୍ୟନ୍ତ ଶିକ୍ଷାମନ୍ତ୍ରୀ ଥିଲେ। ସେ ଉର୍ଦ୍ଦୁ କବିତାର ଗୁରୁ ମଧ୍ୟ ଥିଲେ ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ସହ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେ ୨୨ ଫେବୃଆରୀ ୧୯୫୮ରେ ଦିଲ୍ଲୀରେ ମୃତ୍ୟୁବରଣ କରିଥିଲେ।