Astrospeak
  • Live TV
  • Read In English

Khudurukuni Osha 2024: ସାତ ସାଧବଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ ଖୁଦୁରୁକୁଣୀ ଓଷା

ଓଡ଼ିଆ କୁଆଁରୀ ଝିଅମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭ ମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡ଼ିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ। ଭାଦ୍ରବ ମାସର ପ୍ରତି ରବିବାର ଏହି ଓଷା ପଡିଥାଏ। ସାତ ସାଧବ ଭାଇଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ କହେ ଏହି ଖୁଦୁରୁକୁଣୀ ଓଷା। ଆସନ୍ତୁ ଜାଣିବା ପୂରା କାହାଣୀ।

Khudurukuni Osha 2024 Woman education in Khudurukuni Osha
ସାତ ସାଧବଙ୍କ ଅଲିଅଳି ଭଉଣୀ ତଅପୋଇର କରୁଣ କାହାଣୀ ଖୁଦୁରୁକୁଣୀ ଓଷା

ଓଡ଼ିଶାରେ ବାର ମାସ ତେର ପର୍ବ ଭିତରୁ ଖୁଦୁରୁକୁଣୀ ଓଷା ଏକ ପାରମ୍ପରିକ ପର୍ବ। ଏହାକୁ କେହିକେହି ଭାଲୁକୁଣି ଓଷା ତ ଆଉ କିଏ ଢିଙ୍କି ଓଷା ମଧ୍ୟ କୁହନ୍ତି। କୁଆଁରୀ ଝିଅମାନେ ସାଧବ ପରମ୍ପରାକୁ ନେଇ ଭାଇଙ୍କ ଶୁଭମନାସୀ ଭାଦ୍ରବ ମାସରେ ମା’ ଖୁଦୁରୁକୁଣୀଙ୍କ ପୂଜା କରିଥାନ୍ତି। ଓଡ଼ିଶାର କୋଣ ଅନୁକୋଣରେ ଏହି ପୂଜା କରାଯାଇଥାଏ।

ଭାଇ ଭଉଣୀର ସମ୍ପର୍କକୁ ମନେପକେଇ ଦେବାର ପର୍ବଟିଏ ହେଉଛି ଏହି ଖୁଦୁରୁକୁଣୀ। ସମାଜକୁ ନାରୀର ଅବଦାନ ଓ ଶ୍ରେଷ୍ଠତ୍ୱକୁ ପ୍ରତିପାଦନ କରୁଥିବା ପର୍ବ ହେଉଛି ଏହି ଖୁଦୁରୁକୁଣୀ। ପରିବାର ଭିତରେ ସମ୍ପର୍କର ଡୋରି ବାନ୍ଧିବାର ପର୍ବ ହେଉଛି ଏହି ଖୁଦୁରୁକୁଣୀ।

ଏନେଇ ଓଡ଼ିଶାର କୁମାରୀମାନେ ଭାଦ୍ରବର ପ୍ରତି ରବିବାରରେ ନିଜ ଭାଇର ନିରାମୟ ଜୀବନ, ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଆୟୁ କାମନା କରି ମା’ ମଙ୍ଗଳାକୁ ସ୍ମରଣ କରିଥାନ୍ତି । ଓଡ଼ିଆ ଘରର ବୋହୂମାନେ ବି ଏହି ବ୍ରତକୁ ପାଳନ କରନ୍ତି। ଭାଦ୍ରବ ମାସର ପ୍ରତି ରବିବାରରେ ଖୁଦୁରୁକୁଣୀ ଓଷା ପାଳିତ ହୁଏ।

ସାଧବ ପୁଅଙ୍କ କଥା:

ଆଗକାଳରେ ଓଡ଼ିଆ ସାଧବ ପୁଅମାନେ ବିଦେଶକୁ ବଣିଜ କରିବାକୁ ଯାଉଥିଲେ। ସେହି ସମୟରେ ସାତଜଣ ସାଧବ ଭାଇ ଦୂରଦେଶକୁ ବଣିଜ କରିବାକୁ ଯାଇଥିଲା ବେଳେ ଘରେ ତାଙ୍କର ଘରଣୀ ଓ ଏକମାତ୍ର ସାନ ଭଉଣୀ ତଅପୋଇ ରହିଥିଲେ। କେବଳ ସାନ ଭାଉଜଙ୍କୁ ଛାଡ଼ି ତଅପୋଇ ପ୍ରତି ବାକି ସବୁ ଭାଉଜ ଅନାଚାର କରୁଥିଲେ। ଅଲିଅଳରେ ବଢ଼ିଥିବା ତଅପୋଇକୁ ଘରକାମ କରେଇବା ସହିତ ଛେଳି ଚରେଇବା ପାଇଁ ପଠାଉଥିଲେ।

ଓଡ଼ିଆ ସାଧବ ପୁଅମାନେ ବିଦେଶକୁ ବଣିଜ କରି ଫେରିବାର ପଟ୍ଟଚିତ୍ର

ତଅପୋଇର ପ୍ରାର୍ଥନା:

ଭାଇମାନେ ଦୂରରେ ଥିବାରୁ ତଅପୋଇ ଏସବୁ କଥା ଆଉ କାହା ପାଖରେ କହିପାରୁ ନଥିଲା। ଏପରିକି ଭାତ ବଦଳରେ ଖୁଦ ଖାଇବାକୁ ଦେଉଥିଲେ। କେବଳ ସାନଭାଉଜ ତାକୁ ଲୁଚାଇ ଲୁଚାଇ ଖାଇବାକୁ ଦେଉଥିଲେ ଓ ସ୍ନେହ କରୁଥିଲେ। ଅନେକ ଦିନ ପରେ ଭାଇମାନେ ବିଦେଶରୁ ଫେରିବାରେ ଡେରି ହେବାରୁ ତଅପୋଇ ନଦୀ ବାଲି ଉପରେ ମାଟିରେ ମୂର୍ତ୍ତି ଗଢ଼ି ଖୁଦୁରୁକୁଣୀ ଓଷା କରି ଭାଇମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରାର୍ଥନା କରିଥିଲା।

ଶେଷରେ ଭାଇମାନେ ଫେରିଥିଲେ। ଭାଇମାନଙ୍କୁ ବନ୍ଦାପନା କରିବା ପାଇଁ ସବୁ ଭାଉଜ ଯାଇଥିବା ବେଳେ ତଅପୋଇକୁ ଘରକୋଣରେ ବାନ୍ଧି ଦେଇଥିଲେ। ତଅପୋଇ ନ ଆସିଲେ ସେମାନେ ବୋଇତରୁ ଓହ୍ଲାଇବେ ନାହିଁ କହିବାରୁ ସାନଭାଉଜ ସବୁ ଗୋପନ କଥା ଭାଇମାନଙ୍କ ଆଗରେ ଫିଟାଇ କହିଦେଲେ।

ସାଧବ ପୁଅଙ୍କୁ ବନ୍ଦାବନ୍ଦି ଦୃଶ୍ୟ

ଭାଉଜଙ୍କୁ ଦଣ୍ଡ:

ଦଣ୍ଡ ସ୍ୱରୁପ କେବଳ ସାନ ଭାଉଜଙ୍କୁ ଛାଡ଼ି ସାତ ସାଧବ ବାକି ସମସ୍ତଙ୍କର ନାକ କଟାଇଥିଲେ। ଓଡ଼ିଆ ଚଳଣିର ଏହି ଲୋକକଥାକୁ ନେଇ କୁଆଁରୀ ଝିଅମାନେ ଭାଇମାନଙ୍କ ଶୁଭମନାସି ଭାଦ୍ରବ ମାସରେ ଏହି ଖୁଦୁରୁକୁଣି ଓଷା କରିଥାନ୍ତି।

ଲୋକଶିକ୍ଷା:

ଆଜିର ସମାଜ ଏହି ଲୋକକଥାରୁ ଅନେକ କଥା ଶିଖିବାର ଅଛି। ଏହି କାହାଣୀ ଆମକୁ ପରିବାର ସହ ଗୋଟେ ଛାତତଳେ ଏକାଠି ରହିବାର ପ୍ରେରଣା ଦେବା ସହ ଭାରତୀୟ ଜୀବନର ମୂଲ୍ୟବୋଧକୁ ଦର୍ଶାଏ। ଆଧୁନିକତାର ସ୍ପର୍ଶରେ ଆମେ ଏତେ ବ୍ୟସ୍ତ ହୋଇପଡିଛେ ଯେ ଆମ ପରିବାରକୁ ଆମେ ସମୟ ଦେଇପାରୁନେ।

ନାରୀର ଅବଦାନ:

ଏହି ଖୁଦୁରୁକୁଣୀ ଓଷା ଆମକୁ ସମାଜରେ ନାରୀର ଅବଦାନ ବିଷୟରେ ଆଲୋକପାତ କରେ। ନାରୀର ମହତ୍ୱକୁ ପ୍ରତିପାଦନ କରେ। ତଅପୋଇକୁ ତା’ ପରିବାର ଲୋକେ ଅର୍ଥାତ, ତା’ ଭାଉଜମାନେ ନିଜେ ନାରୀ ହୋଇ ମଧ୍ୟ ତାକୁ ନିର୍ଯାତନା ଦେଉଥିଲେ। ସେ କିନ୍ତୁ ନିଜର ଦୃଢ ମନୋବଳ ଦ୍ୱାରା ମା’ ମଙ୍ଗଳାକୁ ସ୍ମରଣକରି ଦୁଃଖ-ଦୁର୍ଦ୍ଦଶା ସହି ଶେଷରେ ଜୀବନ ସଂଗ୍ରାମରେ ବିଜୟୀ ହୋଇଥିଲା।

ମା’ ଖୁଦୁରୁକୁଣୀଙ୍କ ପୂଜା

ନାରୀ ଶିକ୍ଷା:

ଆଜିର ସମାଜରେ ନାରୀକୁ ତଅପୋଇର ଜୀବନଗାଥାରୁ ଅନେକ କିଛି ଶିଖିବାର ଅଛି। ଜୀବନର ପ୍ରତି ମୁହୂର୍ତ୍ତରେ କିପରି ନିଜକୁ ସୁଦୃଢ କରିହେବ ତା’ ମଧ୍ୟ ଶିଖିବାର ଅଛି। ପୁରୁଷ ପ୍ରାଧାନ୍ୟ ସମାଜରେ ନିଜ ସ୍ଥିତିକୁ କିପରି ବଜାୟ ରଖିହେବ ତାହା ଏହି ତଅପୋଇର କରୁଣ କାହାଣୀ ଶିଖାଏ।

ଭାଇ ଓ ଭଉଣୀ ପ୍ରେମ:

ଏହି ଓଷାରୁ ଆମକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ଭଲପାଇବା ବିଷୟରେ ମଧ୍ୟ ଶିଖିବାର ଅଛି। ନିଜ ଭାଇଙ୍କ ପାଇଁ ତଅପୋଇ ଠାକୁରାଣୀଙ୍କ ପାଖରେ ମାନସିକ ରଖିଥିଲା ଓ ଭାଇମାନଙ୍କ ଆସିବା ବାଟକୁ ଚାହିଁ ବସିଥିଲା। ସେହିପରି ତା’ ଭାଇ ମାନେ ସର୍ବଦା ତାକୁ ଭଲ ପାଉଥିଲେ ଆଉ ବିଦେଶରୁ ଫେରିବା ମାତ୍ରେ ତାକୁ ଖୋଜିଥିଲେ।

ଏହି ଭଲ ପାଇବା ଆଜି ମଧ୍ୟ ଜୀବିତ ଅଛି, ମାତ୍ର ସେହି ସମ୍ପର୍କ ଏତେ ସୁଦୃଢ ହେବା ଦେଖାଯାଏ ନାହିଁ । ଧନ, ସମ୍ପତ୍ତି ଲୋଭରେ ଭାଇ ଭଉଣୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଇଛି। ସମ୍ପର୍କ ଟଙ୍କା, ପଇସାର ନିକିତିରେ କିଣା-ବିକା ହେଉଛି। ସମାଜରେ ଉଚ୍ଚକୁ ଯିବାକୁ ହେଲେ ସମସ୍ତଙ୍କୁ ଏକାଠି ରହିବାକୁ ପଡିବ ଓ ସମ୍ପର୍କକୁ ସୁଦୃଢ କରିବାକୁ ପଡିବ, ଏହା ଶିଖାଏ ତଅପୋଇର ଏହି କାହାଣୀ।