How is Dashara celebrated in Odisha's main Shaktipeeth
ଓଡ଼ିଶାର କେତେକ ଶକ୍ତିପୀଠରେ ମା’ଙ୍କ ପୂର୍ବରୁ ଥିବା ମୂର୍ତ୍ତିକୁ ଆରାଧନା କରାଯାଏ। ଅନେକ ଶକ୍ତିପୀଠ ମଧ୍ୟରେ ମା’ ଗଡ଼ଚଣ୍ଡୀଙ୍କ ପୀଠ ଅନ୍ୟତମ। ଐତିହାସିକ ବାରବାଟୀ ଦୁର୍ଗ ବା ଗଡ଼ ମଧ୍ୟରେ ମା’ଙ୍କ ଆସ୍ଥାନ ଥିବାରୁ ଲୋକେ ଏହାକୁ ଗଡ଼ଚଣ୍ଡୀ ବୋଲି କୁହନ୍ତି।
ପୂର୍ବରୁ ରାଜ ପରିବାରମାନେ ନିଜ ବଂଶର ଆରାଧ୍ୟ ଦେବଦେବୀଙ୍କ ପୀଠ ସ୍ଥାପନା କରୁଥିଲେ। ରାଜା ପ୍ରତାପରୁଦ୍ର ଦେବ ବା ଅନଙ୍ଗଭୀମ ଦେବ କିମ୍ବା ଲାଙ୍ଗୁଳା ନରସିଂହଦେବଙ୍କ ଶାସନ କାଳରେ ଗଡ଼ଚଣ୍ଡୀଙ୍କ ମୂର୍ତ୍ତି ଓ ପୀଠ ସ୍ଥାପନ କରାଯାଇଥିବା ବିଶ୍ୱାସ କରାଯାଏ।
କିମ୍ବଦନ୍ତୀ ଅନୁସାରେ ରାଜା ମୁକୁନ୍ଦଦେବଙ୍କ ସମୟରେ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ଭାବେ ମା’ ଗଡ଼ଚଣ୍ଡୀଙ୍କ ମୂର୍ତ୍ତି ପୂଜା କରାଯାଉଥିଲା। କେବଳ ପୂଜାର୍ଚ୍ଚନା ପାଇଁ ନୁହେଁ, ବାହ୍ୟଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ରାଜା ଗଡ଼ଚଣ୍ଡୀଙ୍କ ଆରାଧନା କରୁଥିଲେ।
ଏହା ବ୍ୟତୀତ ଓଡିଶାରେ ଅନ୍ୟ ଶକ୍ତିପୀଠରେ ମଧ୍ୟ ଦଶହରା ଅବସରରେ ଭିନ୍ନ ଭିନ୍ନ ଧରଣର ଦେବୀ ପୂଜା ପରମ୍ପରା ରହିଛି। ସେ ବିଷୟରେ ଆସନ୍ତୁ ଜାଣିନେବା।
ସମଲେଶ୍ୱରୀ:
ଆଶ୍ୱିନ ମାସ କୃଷ୍ଣ ପକ୍ଷ ମୂଳାଷ୍ଟମୀ ତିଥିରୁ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଷୋଳହ ପୂଜା ଆରମ୍ଭ ହୋଇଥାଏ। ଅମାବାସ୍ୟା ତଥା ମହାଳୟା ଦିନ ଦେବୀ ଧବଳମୁଖୀ ଓ ଗଙ୍ଗାଦର୍ଶନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। ଏହି ଦିନ ଭୋର ତିନିଟା ସମୟରେ ମନ୍ଦିର, ଗମ୍ଭୀରାର ଦରଜା ଖୋଲା ଯାଇଥାଏ। ରାତ୍ରି ୨ଟାରେ ମନ୍ଦିର ବନ୍ଦ କରାଯାଏ। ଏହି ରୂପରେ ଦେବୀ ଅଢେଇଦିନ ପୂଜିତ ହୁଅନ୍ତି। ଧବଳମୁଖୀ ରୂପରେ ଥାଇ ସମଲେଶ୍ୱରୀ ଶୈଳପୁତ୍ରୀ ବେଶ ଧାରଣ କରନ୍ତି। ପରେ ଦଶମୀ ପର୍ଯ୍ୟନ୍ତ ମା’ ସମଲେଶ୍ୱରୀ ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ, ମହିଷାମର୍ଦ୍ଦିନୀ ଭାବରେ ପୂଜିତ ହୁଅନ୍ତି।
କାକଟପୁର ମଙ୍ଗଳା:
ଆଶ୍ୱିନ ମାସର ମୂଳାଷ୍ଟମୀ ତିଥିଠାରୁ ମା ’ ମଙ୍ଗଳାଙ୍କ ମନ୍ଦିରରେ ପାରମ୍ପରିକ ପ୍ରଥା ଅନୁସାରେ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ହେଇ ବିଜୟାଦଶମୀ ଦିନ ଶେଷ ହୋଇଥାଏ। ପ୍ରଥମ ଦିନ କଳସ ପୂଜା ଆରମ୍ଭ ହେଇ ସହସ୍ରାକୁମ୍ଭାଭିଷେକ ନୀତି ଅନୁଷ୍ଠିତ ହୁଏ। ବିଧି ଅନୁସାରେ ୧୦୭ କଳସ ଜଳରେ ମା’ଙ୍କୁ ସ୍ନାନ କରାଯାଏ। ଏହା ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଏ। ସନ୍ଧ୍ୟାକୁ ସକାଳ ଧୂପ ହୁଏ। ପରେ ସନ୍ଧ୍ୟା ଆଳତି, ସ୍ନାନ ମାର୍ଜଣା ହୁଏ ଏବଂ ମା’ଙ୍କୁ ସାଧାରଣ ବେଶରେ ସଜାଇ ଦର୍ଶନ ପାଇଁ ମନ୍ଦିରର ସାହାଣ ମେଲା କରାଯାଏ
ମୂଳାଷ୍ଟମୀ ଠାରୁ ତୃତୀୟା ପର୍ଯ୍ୟନ୍ତ ଏହି ପରି ନୀତି ଅନୁଷ୍ଠିତ ହେଇଥାଏ। ଚତୁର୍ଥୀ ତିଥି ସନ୍ଧ୍ୟାରେ ମା’ଙ୍କୁ କଲିବେଶରେ ସଜ୍ଜିତ କରାଯାଏ। ପଞ୍ଚମୀ ତିଥିରେ ମା’ଙ୍କୁ ତୀରକମାଣ ବା ରଘୁନାଥ ବେଶରେ ସଜ୍ଜିତ କରାଯାଏ। ପଞ୍ଚମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମଙ୍ଗଳାଙ୍କ ମନ୍ଦିରରେ ପ୍ରମଣି ନୀତି ନାମକ ଏକ ସ୍ୱତନ୍ତ୍ର ନୀତି ପାଳନ ହୋଇଥାଏ।
ଭଗବତୀ ପୀଠ:
ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ଙ୍କର ଶାରଦୀୟ ଦୁର୍ଗାତ୍ସବର ପୀଠ ରୀତିନୀତି ଖୁବ ରହସ୍ୟମୟ। ଭଗବତୀ ସଂସ୍କୃତିରେ ଉଭୟ ବନଦୁର୍ଗା ଏବଂ କନକଦୁର୍ଗାଙ୍କ ଚଳନ୍ତି ପ୍ରତିମାଙ୍କର ଉପାସନା କରାଯାଏ। ମୂଳାଷ୍ଟମୀ ଠାରୁ ପର୍ବ ଆରମ୍ଭ ହେଇ ଦଶହରାରେ ସମାପ୍ତ ହୁଏ। ସପ୍ତମୀ, ଅଷ୍ଟମୀ ଓ ନବମୀରେ ତ୍ରିକାଳ ପୂଜା କରାଯାଏ।
ଭଗବତୀ ପୀଠର ବିଶେଷତ୍ୱ ଯେ ମହାନବମୀ ପୂଜାରେ ମଧ୍ୟରାତ୍ରରେ ମହିଷ ବଳି ସହିତ ଇନ୍ଦ୍ର ଓ ଇନ୍ଦ୍ରାଣି ପୂଜା ହୁଏ। ମହାଅଷ୍ଟମୀ ପୂଜାରେ ଭଗବତୀଙ୍କର ପ୍ରଥମ ଯଜମାନ ପାରିକୁଦ ରାଜା ଦେବୀଙ୍କର ଆମିଷ ଭୋଗ ନିମନ୍ତେ ତିନୋଟି ଛେଳି ପ୍ରଦାନ କରନ୍ତି। ମହାଷ୍ଟମୀରେ ମଧ୍ୟରାତ୍ରିରେ ମହିଷ ଆମିଷ ଭୋଗ ରୂପେ ଏବଂ ନବମୀ ଦଶମୀ ସନ୍ଧି ବ୍ରାହ୍ମମୁହୂର୍ତ୍ତ ପୂଜାରେ ମାଛ, ମାଂସ, ବେଲପତ୍ର , ମହାପ୍ରସାଦ, ତୁଳସୀ, ରୁଧିର ଏକତ୍ର ପୂଜା ହୁଏ। ଏହାକୁ ଇନ୍ଦ୍ରପୂଜା କୁହାଯାଏ।
ବିମଳା ଶକ୍ତିପୀଠ
ମା’ ବିମଳାଙ୍କ ଅବସ୍ଥିତି ଯୋଗୁଁ ଶ୍ରୀକ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତିପୀଠ ଭାବେ ପ୍ରସିଦ୍ଧି ଲାଭ କରିଛି। ଦେବୀ ବିମଳାଙ୍କ ଆଶ୍ୱିନ ମାସର ସାର୍ବଜନିନ ଦୁର୍ଗା ପୂଜାର ଷୋଳହ ଦିନ ବ୍ୟାପି ପୂଜାବିଧି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆଶ୍ୱିନ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଠାକୁରାଣୀଙ୍କର ସହସ୍ରାକୁମ୍ଭାଭିଷେକର ସ୍ୱତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇ ଷୋଳ ଦିବସୀୟ ଦୁର୍ଗାପୂଜାର ଦୈନଦିନ ପୂଜାବିଧି ଅନୁଷ୍ଠିତ ହୁଏ।
ପଣ୍ଡା ସେବାୟତ ଷୋଡ଼ଷ ଉପଚାରରେ ଶୀତଳ ଭୋଗ ଅର୍ପଣ କରାଯାଏ। ପରେ ବିମଳା ମନ୍ଦିରରେ ବିଜେହୋଇଥିବା ଠାକୁରଠାକୁରାଣୀ ମନ୍ଦିର ଖଟ ଉପରେ ବିଜେ କରନ୍ତି। ମହାପ୍ରଭୁଙ୍କ ରାତ୍ର ଚନ୍ଦନଲାଗି ଶେଷ ହେବା ପରେ ବିମାନବଡୁମାନେ ଦିଅଁମାନଙ୍କୁ ବାହୁଡା ବିଜେ କରାନ୍ତି। ଶ୍ରୀବାଳ ପୁରୁଷୋତ୍ତମ ଦେବ ଏବଂ ଦୁର୍ଗା ଦେବୀଙ୍କର ରୁନ୍ଧା ମୂର୍ତ୍ତି ୧୬ ଦିନ ଧରି ରହୁଥିବା ବିଧାନ ଥିବାବେଳେ ଦଶହରା ବିସର୍ଜନ ଦିନ ରୁନ୍ଧା ଫିଟିଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663423115.jpg)