ଶଙ୍ଖ ବାଜୁଛି, ହୁଳହୁଳି ପଡୁଛି...କୀର୍ତ୍ତନରେ ଏରିଆ କମ୍ପୁଛି । କାରଣ ଶ୍ରୀଜିଉଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ଯାଉଛି କାଠ । ଗୋଟିଏ ଦିନ ପରେ ସ୍ନାନପୂର୍ଣ୍ଣିମା...ରତ୍ନବେଦୀ ଛାଡି ସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ହେବେ ଶ୍ରୀଜିଉ । ଆଉ ଏତିକିବେଳେ ଶ୍ରୀଅଙ୍ଗକୁ ସୁରକ୍ଷା ଦେବ ବଉଳ କାଠ । ତେଣୁ ଏମିତି ଆଧ୍ୟାତ୍ମିକ ପରିବେଶରେ ପୁରୀ ଯାଉଛି ବଉଳ କାଠ ।
ସ୍ନାନପୂର୍ଣ୍ଣିମା ପରେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ପାଇଁ ରତ୍ନ ସିଂହାସନରୁ ଓହ୍ଲାଇ ଆସିବେ ତିନିଠାକୁର । ପହଣ୍ଡି ସମୟରେ ଠାକୁରଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକ ପଡ଼ିଥାଏ ସେନାପଟ୍ଟା ଓ ବାହାଟ । ଆଉ ଏହି ସେନାପଟ୍ଟା ଓ ବାହାଟ ବକୁଳ କାଠରେ ତିଆରି ହୋଇଥାଏ । ପବିତ୍ର ନିର୍ଜଳା ଏକାଦଶୀ ଅବସରରେ ମହାପ୍ରଭୁଙ୍କ ଭୋଇ ସେବାୟତ ଶଗଡ଼ ଧରି ପହଂଚିଥାନ୍ତି ବକୁଳବନରେ ।
Also Read
ସେବାୟତ ପହଞ୍ଚିବା ପରେ ନଡ଼ିଆ ଦେଇ ଧୂପଦୀପରେ ପୂଜାର୍ଚ୍ଚନା କରାଯିବା ପରେ ଆରମ୍ଭ ହୋଇଥାଏ ଗଛକଟା ପର୍ବ । ତିନିଠାକୁରଙ୍କ ଲାଗି ତିନିଖଣ୍ଡ କାଠ ଯାଏ ଶ୍ରୀମନ୍ଦିର । ତେବେ ପ୍ରତିବର୍ଷ ଶ୍ରୀଜିଉଙ୍କ ଲାଗି ବକୁଳବନରୁ ଯାଏ ବଉଳକାଠ ।
ବକୁଳ କାଠ ବ୍ୟବହାର ପଛରେ ରହିଛି କିମ୍ବଦନ୍ତୀ । ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ର ଦିନେ ସାକ୍ଷୀଗୋପାଳ ବକୁଳବନକୁ ପଣସ ଖାଇବାକୁ ଆସିଥିଲେ । ଅଜା ସିଦ୍ଧ ପୁରୁଷ ବଳରାମଙ୍କ ତପସ୍ୟା ପରୀକ୍ଷା କରିବା ପାଇଁ ପଣସ ଖାଇ ତାଙ୍କ ମୁଣ୍ଡରେ ଅଠା ବୋଳିଥିଲେ । ଏହା ପରେ ବଳରାମ ଜଗନ୍ନାଥ ଏବଂ ବଳଭଦ୍ରଙ୍କୁ ବଉଳ ଗଛରେ ବାନ୍ଧିଥିଲେ । ପରେ ଘୋଷଯାତ୍ରାରେ ବଉଳକାଠ ଲାଗିବ ବୋଲି କହିବା ପରେ ମୁକୁଳିଥିଲେ ଦୁଇଭାଇ । ବାସ୍ ସେହି ଦିନଠାରୁ ବକୁଳକାଠ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିବାର ବିଧି ରହିଛି । ଆଉ ସେହିଦନଠାରୁ ପହଣ୍ଡି ସମୟରରେ ଶ୍ରୀଅଙ୍ଗରେ ଲାଗି ହୁଏ ବଉଳ କାଠ ।