କାହିଁକି ବାହାର ମୁହାଁ ହେଉଛନ୍ତି ସିଭିଲ ସର୍ଭିସ ଆଶାୟୀ ?

ଆଇଏଏସ କୋଚିଂ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ହେଲେ ଫଳ ଶୂନ। ତଥ୍ୟ କହୁଛି ୨୦୧୬ରୁ ୨୦୧୮ ଯାଏଁ ରାଜ୍ୟରେ ୫୦ରୁ ଅଧିକ ଡିଗ୍ରୀ କଲେଜ ଏବଂ ୮ଟି ବିଶ୍ୱବିଦ୍ୟାଳୟରେ ମାଗଣା କୋଚିଂ ସେଣ୍ଟର ଖୋଲିଥିଲେ ସରକାର। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧ କୋଟି ୮୨ ଲକ୍ଷ।

why civil service aspirants not preferring free coaching provided by odisha govt

କେନ୍ଦ୍ରୀୟ ଲୋକସେବା ଆୟୋଗ ବା UPSC ସିଭିଲ ସର୍ଭିସ ପରୀକ୍ଷାରେ ଏଥର ୨୫ରୁ ଅଧିକ ଓଡ଼ିଆ ପିଲାଙ୍କ କୃତିତ୍ୱ ରେକର୍ଡ ସୃଷ୍ଟି କରିଛି। କିନ୍ତୁ ବିଡ଼ମ୍ବନାର କଥା ହେଲା ସଫଳତା ପାଇଥିବା ଅଧିକାଂଶ କୋଚିଂ ନେଉଥିଲେ ରାଜ୍ୟ ବାହାରେ। ତେଣୁ ଓଡ଼ିଶାରେ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା କୋଚିଂକୁ ନେଇ ପ୍ରଶ୍ନ ଉଠିଲାଣି। UPSC କୋଚିଂ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର, ହେଲେ ଜଣେ କେହି ବି ପାସ କରି ପାରୁନାହାନ୍ତି। ଯାହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଶିକ୍ଷାବିତ ଓ ଛାତ୍ରଛାତ୍ରୀ।

ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଓଡ଼ିଆ ପିଲାଙ୍କ ସଫଳତାକୁ ନେଇ ବଢିଛି ଚର୍ଚ୍ଚା। ହେଲେ ତା ଠୁ ଅଧିକ ଆଲୋଚନା ଆଉ ସମାଲୋଚନା ସିଭିଲ ସର୍ଭିସ କୋଚିଂକୁ ନେଇ । କାହିଁକି ନା ଏଥର ୟୁପିଏସସିରେ ସଫଳ ହୋଇଥିବା ଅଧିକାଂଶ, ରାଜ୍ୟ ବାହାରେ କୋଚିଂ ନେଇଛନ୍ତି। ତେଣୁ ଏବେ ପ୍ରଶ୍ନ ଉଠିଲାଣି, ରାଜ୍ୟ ଭିତରେ ଦିଆଯାଉଥିବା କୋଚିଂ ଫଳପ୍ରଦ ହେଉନି ନା ଆଶାୟୀମାନଙ୍କ ଭରସା ପାଉନି ? କାହିଁକି ବାହାର ମୁହାଁ ହେଉଛନ୍ତି ସିଭିଲ ସର୍ଭିସ ଆଶାୟୀ?

ଭିତ୍ତିଭୂମିର ଅଭାବ ନା ଗୁଣାତ୍ମକ ଶିକ୍ଷାର ଅଭାବ ? ଏହା ବାଦ୍ ଓଡିଶା ସରକାର ଦେଉଥିବା ସିଭିଲ ସର୍ଭିସ କୋଚିଂ ଖାଲି ଭେଳିକି କି ? ଘରୋଇ କଥା ଛାଡନ୍ତୁ ଖୋଦ୍ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି କୋଚିଂ କରୁଥିବା ବେଳେ କିନ୍ତୁ ଜଣେ ବି କ୍ଲିୟର କରିପାରି ନାହାନ୍ତି। ତେଣୁ ଖାଲି ଭିତ୍ତିଭୂମି ନୁହଁ କ୍ବାଲିଟି ଟିଚିଂ ଏବଂ ଉତ୍ତମ ବାତାବରଣ ଉପରେ ଧ୍ୟାନ ଦେବାକୁ କହିଛନ୍ତି ଛାତ୍ରଛାତ୍ରୀ।

ଆଇଏଏସ କୋଚିଂ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ହେଲେ ଫଳ ଶୂନ। ତଥ୍ୟ କହୁଛି ୨୦୧୬ରୁ ୨୦୧୮ ଯାଏଁ ରାଜ୍ୟରେ ୫୦ରୁ ଅଧିକ ଡିଗ୍ରୀ କଲେଜ ଏବଂ  ୮ଟି ବିଶ୍ୱବିଦ୍ୟାଳୟରେ ମାଗଣା କୋଚିଂ ସେଣ୍ଟର ଖୋଲିଥିଲେ ସରକାର। ଏଥିପାଇଁ ଖର୍ଚ୍ଚ ହୋଇଥିଲା ୧ କୋଟି ୮୨ ଲକ୍ଷ। ପୁଣି ୨୦୧୯ରେ ଧ୍ୟେୟ ଇନ୍ୟୁଷ୍ଟିଚ୍ୟୁଟ ସହ ଚୁକ୍ତି ସ୍ବାକ୍ଷର କରି ଭୁବନେଶ୍ବରରେ କୋଚିଂ ହବ୍ ମଧ୍ୟ ପ୍ରତିଷ୍ଠା କରି ୯୯ ଜଣ ପିଲାଙ୍କୁ କୋଚିଂ ଦେଇଥିଲେ। ମୋଟ୍  ଉପରେ କୋଚିଂ ବାବଦକୁ ୨ କୋଟି ୪୨ ଲକ୍ଷ ଖର୍ଚ୍ଚ ହୋଇଥିବା ତଥ୍ୟ କହୁଛି।

ନିକଟରେ ACQ ଆଇଏଏସ ଏକାଡେମୀ ସହ ଚୁକ୍ତି କରି ପୁଣି ଆରମ୍ଭ କରିଛନ୍ତି ଆଇଏଏସ କୋଚିଂ। ଚଳିତ ଥର ୨୦୦ ପିଲା ଆଡମିଶନ ନେଇଛନ୍ତି। ତେବେ ଶିକ୍ଷାବିତଙ୍କ ମତରେ ଖାଲି ଭିତ୍ତିଭୂମି ନୁହେଁ, ଭଲ ଶିକ୍ଷକ ସହ ଉତ୍ତମ ବାତାବରଣ ସୃଷ୍ଟି କରିବା ଦରକାର।

ଆଶ୍ବସ୍ତିର କଥା ହେଉଛି ଚଳିତ ବର୍ଷ ବଢିଛି ସଫଳ ଓଡିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା। ଅର୍ଥାତ ଓଡିଆ ପିଲାଙ୍କ ପାଖରେ ଦକ୍ଷତା ଅଛି। ହେଲେ ଉତ୍ତମ କୋଚିଂ ବ୍ୟବସ୍ଥା ହେଲେ ଏ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି।