Astrospeak
  • Live TV
  • Read In English

ଗୋଟିଏ କଳାପଟା, ଦୁଇଟି କ୍ଲାସ୍‌: କଳାପଟାକୁ ଭାଗ ଭାଗ କରି ପାଠ ପଢ଼ାଉଛନ୍ତି ଇଂରାଜୀ ଓ ଗଣିତ ଦିଦି

ଏକାଠି ଗୋଟିଏ ସମୟରେ ଆସନ୍ତାକାଲିର ଭବିଷ୍ୟତକୁ ଗଢୁଛନ୍ତି ଓ କଳାପଟାକୁ ଭାଗ ଭାଗ କରି ପାଠ ପଢ଼ାଉଛନ୍ତି ଇଂରାଜୀ ଓ ଗଣିତ ଦିଦି। ଗୋଟିଏ ଘରେ ଚାଲିଛି ଦୁଇଟି କ୍ଲାସ୍।

Students Taught On Same Blackboard For Two Different Class
ଗୋଟିଏ କଳାପଟା, ଦୁଇଟି କ୍ଲାସ୍‌

ଶ୍ରେଣୀ ଗୃହ ଗୋଟିଏ, କଳାପଟା ବି ଗୋଟିଏ। କଳାପଟା ଉପରେ କିନ୍ତୁ ଦୁଇ ଜଣ ଶିକ୍ଷୟିତ୍ରୀଙ୍କ ରହିଛି ଭାଗ। ଏକାଠି ଗୋଟିଏ ସମୟରେ ଆସନ୍ତାକାଲିର ଭବିଷ୍ୟତକୁ ଗଢୁଛନ୍ତି ଓ କଳାପଟାକୁ ଭାଗ ଭାଗ କରି ପାଠ ପଢ଼ାଉଛନ୍ତି ଇଂରାଜୀ ଓ ଗଣିତ ଦିଦି। ଗୋଟିଏ ଘରେ ଚାଲିଛି ଦୁଇଟି କ୍ଲାସ୍। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲରେ ଏଭଳି ଅସୁବିଧା କାହିଁ କେବେଠୁ ଲାଗି ରହିଛି। ଦେଢ଼ ବର୍ଷରୁ ନୂଆ କୋଠା ତିଆରି ସରିଛି ହେଲେ ଉପଯୋଗ ହୋଇପାରୁନି। ବାଧ୍ୟ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି। ରାୟଗଡ଼ା ଜିଲ୍ଲାରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଛି।

କଳାପଟାକୁ ଭାଗ ଭାଗ କରି ଇଂରାଜୀ ଓ ଗଣିତ ଦିଦି ପାଠ ପଢ଼ାଉଛନ୍ତି। ମଝିରେ ମଝିରେ ପିଲାଙ୍କ ପ୍ରଶ୍ନର ଉତ୍ତର ବି ଦେଉଛନ୍ତି ଦିଦି। ଏଇଠୁ ଅନୁମାନ କରନ୍ତୁ ଏଠାରେ କେମିତି ଚାଲିଛି ପାଠପଢ଼ା। ଆଉ କେତେ ସୁସ୍ଥ ଏଠାକାର ଶୈଖିବ ବାତାବରଣ। ଶିକ୍ଷା ଦାନରେ ବାଟ ହୁଡ଼ିଥିବା ଏହି ବିଦ୍ୟାଳୟ ହେଉଛି ଜୟପୁର ବ୍ଲକ ହାଡିଆ ଉଚ୍ଚ ମାଧ୍ୟମିକ ସ୍କୁଲ୍‌। କେବଳ ଏହି ଗୋଟିଏ ଶ୍ରେଣୀ ଗୃହ ନୁହେଁ ବିଦ୍ୟାଳୟର ସବୁ ଶ୍ରେଣୀର ପ୍ରାୟତଃ ସମାନ ଚିତ୍ର ଦେଖିବାକୁ ମିଳିଛି। ୩ଟି ଶ୍ରେଣୀ ଗୃହରେ ୭ଟି କ୍ଲାସର ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ଦିନ ପାଠ ପଢାଉଛନ୍ତି ଶିକ୍ଷକ, ଶିକ୍ଷୟତ୍ରୀ।  

 

ଦେଢ ବର୍ଷ ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ କୋଠା ନିର୍ମାଣ ସରିଛି। ଗତ ଡିସେମ୍ବର ମାସରେ ଏହାର ଉଦ୍‌ଘାଟନ ବି ସରିଛି। ହେଲେ ବିଡ଼ମ୍ବନାର ବିଷୟ ଯେ, ଅତି ନିମ୍ନମାନର ନିର୍ମାଣ ଦ୍ୱାରା ସ୍କୁଲର ଏହି ନୂଆ ବିଲ୍ଡିଂ ବ୍ୟବହାର ଉପଯୋଗୀ ହୋଇପାରୁନି।  ଏସମସ୍ତ ବିଷୟ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବା ପାଇଁ ମନା କରି ଦେଇଛନ୍ତି।

ରାୟଗଡ଼ା ଜିଲ୍ଲାରେ ଅତି ବିପଦ ଶଙ୍କୁଳ ସ୍ଥିତିରେ ଶିକ୍ଷାଦାନ ଚାଲିଛି। କୋଲନରା ବ୍ଳକ୍‌ ଅନ୍ତର୍ଗତ କାର୍ଲାକଣା ସରକାରୀ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବରୁ ବାରଣ୍ଡାରେ ବସି ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ସେହିପରି ହାଲୁଆ ବିଦ୍ୟାଳୟରେ ଶିକ୍ଷାଦାନରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟ ପାଇଁ ୭ ବର୍ଷ ପୂର୍ବେ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏଠାରେ ବି ହୋଇଛି ଦୁର୍ନୀତି। ଏପରିକି ବିଦ୍ୟାଳୟର ହସ୍ତାନ୍ତର ପ୍ରକ୍ରିୟା ବି ସରି ନାହିଁ।  କାର୍ଲାକଣା ଓ ହାଲୁଆ ହାଇସ୍କୁଲ ଅବ୍ୟବସ୍ଥା ନେଇ ରାୟଗଡ଼ା ଡିପିସି ଅବଗତ ଅଛନ୍ତି। ତୁରନ୍ତ ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। .

ଉପାନ୍ତ ଅଞ୍ଚଳରେ ଶିକ୍ଷାର ଏ ଚିତ୍ର ଦେଖିବା ପରେ ପ୍ରଚାର ସର୍ବସ୍ୱ ଗୁଣାତ୍ମକ ଶିକ୍ଷାଦାନର କଥା କହୁଥିବା  ୫ଟି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ।   

(ଜୟପୁରରୁ କ୍ୟାମେରା ପର୍ସନ ସନ୍ଦୀପ ଦଳାଇ ଓ ଟି.ଗୌରୀ ଶଙ୍କର ଏବଂ ରାୟଗଡ଼ାରୁ ମାଉଡି ବାରିକଙ୍କ ରିପୋର୍ଟ)