ଏହା ଏମିତି ଏକ ଗାଁ ଯେଉଁ ଗାଁରେ ଆଜକୁ ୧୦୦ ବର୍ଷ ହେଲାଣି କେହି ଜଣେ ହେଲେବି ମାଟ୍ରିକ୍ ପରୀକ୍ଷାରେ ପାସ୍ କରିନାହାନ୍ତି । ହୁଏତ ଏହି ଘଟଣା ଶୁଣିବା ପରେ ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥା ଟି ପୂରା ସତ । କାରଣ ଏହି ଗାଁର ପିଲାମାନେ ପିଲା ବେଳୁ ହିଁ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଆନ୍ତି । ଯଦି କେହି ବି ସ୍କୁଲରେ ପଢନ୍ତି ତେବେ ମାଟ୍ରିକ୍ ପର୍ଯ୍ୟନ୍ତ ପହଞ୍ଚିପାରନ୍ତି ନାହିଁ । ଗାଁର ଅନେକ ପିଲା ଅଧାରୁ ପାଠ ଛାଡ଼ି ଦାଦନ ଚାଲିଯାଆନ୍ତି ।
ଗାଁରେ ପ୍ରଥମଥର ପାଇଁ ମାଟ୍ରିକ୍ ପାସ୍ କରିଛନ୍ତି ଗାଁର ଆଦିବାସୀ ପରିବାରର ରାଜୁ ମାଝୀଙ୍କ ପୁଅ ସନ୍ଦୀପ ମାଝୀ । କଳାହାଣ୍ଡି ଲାଞ୍ଜିଗଡ଼ ଆଦିବାସୀ ଗାଁ ଜାରେଙ୍ଗପଟାରେ ରୁହନ୍ତି ସନ୍ଦୀପ । ଆଉ ତାଙ୍କର ସଫଳତାକୁ ନେଇ ସାରା ଅଂଚଳରେ ଖୁସିର ପରିବେଶ ଦେଖାଦେଇଛି । ସ୍ଥାନୀୟ ପୋଖରୀବନ୍ଧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢି ମାଟ୍ରିକ୍ ପାସ୍ ସଫଳତା ହାସଲ କରିଛନ୍ତି ସନ୍ଦୀପ । କଲେଜରେ ପାଠ ପଢିବାକୁ ବି ସନ୍ଦୀପଙ୍କ ଭାରି ଇଚ୍ଛା। କିନ୍ତୁ ଆର୍ଥିକ ପ୍ରତିବନ୍ଧକ ଥିବାରୁ କେମିତି ପାଠ ପଢିବେ ସେନେଇ ଚିନ୍ତାରେ ପୂରା ପରିବାର। କିନ୍ତୁ ସରକାରୀ ସହୟତା ମିଳିଲେ ପୁଅ ପାଠ ପଢିବ ବୋଲି ବାପା-ମାଆଙ୍କ ଆଶା ରହିଛି ।
Also Read
ଗାଁ ଗାଁରେ ଶିକ୍ଷା ପହଞ୍ଚାଇବାକୁ ସରକାର ଅନେକ ଯୋଜନା ମଧ୍ୟ କରୁଛନ୍ତି । ହେଲେ ପ୍ରକୃତରେ ଉପାନ୍ତ ଅଂଚଳରେ ଯୋଜନା ପହଞ୍ଚୁ ହିଁ ନାହିଁ। ଯାହାର ଜଳ୍ୱନ୍ତ ଉଦାହରଣ ହେଉଛି ରାଜୁଙ୍କ ଗାଁ । ଗାଁର ଛାତ୍ରଛାତ୍ରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାଟ୍ରିକ ପାସ କିମ୍ବା କଲେଜ ଯାଇ ନଥିବା ଘଟଣା ବୁଦ୍ଧିଜୀବୀଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ତେବେ ସନ୍ଦୀପ ମାଟ୍ରିକ ପାସ୍ କରିବା ଆମ ପାଇଁ ଗୌରବର କଥା ବୋଲି କଗିଛନ୍ତି ପ୍ରଧାନଶିକ୍ଷୟିତ୍ରୀ କଳ୍ପନା ସ୍ୱାଇଁ ।
ସନ୍ଦୀପ କଲେଜ ଯିବା ପାଇଁ ଯେଉଁ ଆଗ୍ରହ ଦେଖାଉଛନ୍ତି । ଯଦି ତାଙ୍କୁ କଲେଜ ପଢିବାରେ ସରକାର କି ପ୍ରଶାସନ ସାହାଯ୍ୟ କଲେ ସେ ଦେଖିଥିବା ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ପରିବାର।
ରିପୋର୍ଟର- ରାଜକୁମାର ସିଂହଦେଓ