Mining Loot: ହରଦମ ଲୁଟ ହେଉଛି ଖଣିଖାଦାନ...ବନ୍ଦ ହେଉନି ପ୍ରକୃତି ଉପରେ ଅତ୍ୟାଚାର

ନିକଟରେ ଥିବା ଗାଁ ଉଚ୍ଛବପାଲି ଆଉ ବାସ ଉପଯୋଗୀ ହୋଇ ରହିନାହିଁ । ବ୍ଳାଷ୍ଟିଂ ପାଇଁ ଘରେ ଫାଟ ! ସ୍କୁଲରେ ଫାଟ ! ଭୟଭୀତ ଗାଁ ଲୋକେ । କିନ୍ତୁ ରାଜସ୍ବ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଳାପାଳ କହୁଛନ୍ତି, ଖଣି ଅଧିକାରୀଙ୍କୁ କହିକି ତଦନ୍ତ କରାଇବେ । ହେଲେ ଖଣି ଅଧିକାରୀ ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରିଦେଇଛନ୍ତି ।

ବେଆଇନ ଖଣିଖନନ...ବିନ୍ଦାସ ପ୍ରଶାସନ

ମାଘ ମାସରେ ବାଘ ପରି ଖରା । ପୂରା ରାଜ୍ୟରେ ବଲାଙ୍ଗିରରେ ଅଧିକ ତାତି । କାରଣ ବି ସ୍ପଷ୍ଟ । ପ୍ରକୃତି ଉପରେ ଦାଉ ସାଧୁଛି ଦଲାଲ । ହରଦମ ଲୁଟ ହେଉଛି ଖଣିଖାଦାନ । ବନ୍ଦ ହେଉନି ପ୍ରକୃତି ଉପରେ ଅତ୍ୟାଚାର । ସରକାରୀ ତଥ୍ୟ ଅନୁଯାୟୀ, ଜିଲ୍ଳାରେ ପାଖାପାଖି ୧୦୦ ଟି କ୍ରସର ପଂଜିକୃତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୦ ପ୍ରତିଶତ କ୍ରସରର ଆଇନଗତ ଦଲିଲ ଦସ୍ତାବିଜ ନାହିଁ । କିନ୍ତୁ ଦଶନ୍ଧୀ ଦଶନ୍ଧୀ ଧରି ଗୁଣ୍ଡ କଲେଣି ଜିଲ୍ଳାର ପାହାଡ ପର୍ବତ ଓ ଜଂଗଲ । ଗଣମାଧ୍ୟମରେ ଖବର ପ୍ରକାଶିତ ହେଲେ ବି ନିଦାବିଷ୍ଣୁ ଦାୟିତ୍ବରେ ଥିବା ଅଧିକାରୀ । ବେଆଇନ ବ୍ଳାଷ୍ଟିଂ ହୋଇ, ଖଣିଖନନ କରୁଛନ୍ତି ମାଫିଆ । କିନ୍ତୁ ବିନଦାସ ପ୍ରଶାସନ । ବଲାଙ୍ଗିରରୁ ଆମର ଏକ୍ସକ୍ଳୁସିଭ ରିପୋର୍ଟ ।

ଗତ ଜାନୁୟାରୀ ୧୧ ତାରିଖ । ଓଟିଭିରେ ପ୍ରକାଶିତ ବେଆଇନ କ୍ରସର ସଂର୍ପକିତ ଖବରକୁ ଦେଖିଲେ, ଖଣି ଅଧିକାରୀ ବୀରକିଶୋର ତୀର୍କି । ଅବଶ୍ୟ ଏଭଳି ଲୁଟକୁ ନେଇ, ଅସନ୍ତୋଷ ପ୍ରକାଶ କଲେ । କିନ୍ତୁ ପ୍ରତିକ୍ରିୟା ଦେବାକୁ ମନା କରିଦେଲେ । ଖବର ପ୍ରସାରଣର ଗୋଟିଏ ମାସ ପୁରିବା ଉପରେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନି ଜିଲ୍ଳା ପ୍ରଶାସନ । ଏବେ ବି ସଦରଥାନା ଅର୍ନ୍ତଗତ ଉଚ୍ଛବପାଲିରେ ମୁକେଶ ପଟେଲଙ୍କ ମାଳିକାନାରେ ଚାଲିଛି ବେଆଇନ କ୍ରସର । ଦିନ ତମାମ ବ୍ଳାଷ୍ଟିଂ ପାଇଁ ମେସିନ ଲଗାଇ ହୋଲ କରାଯାଉଛି । ରାତିରେ ବ୍ଳାଷ୍ଟିଂ ହେଉଛି । ଦିନରାତି କ୍ରସର ଚାଲି ଖଣି ଲୁଟ କରୁଛି ମାଲିକ ।

କିନ୍ତୁ ପ୍ରଦୁଷଣ ବିଭାଗର ତାଲିକାରେ, କ୍ରସରର ନାଁ ଗନ୍ଧ ନାହିଁ । ଏପରିକି ଦିଆଯାଇଥିବା ଟାର୍ଗେଟ ଠାରୁ ଲକ୍ଷ ଗୁଣ ଖଣି ଖନନ ହେଉଛି । ଦୀର୍ଘ ତିନି ଦଶନ୍ଧୀରୁ ଅଧିକ ସମୟ ଧରି କ୍ରସର କରି, ଲୁଟ କରୁଛି ମାଲିକ ମୁକେଶ ପଟେଲ । ମୁକେଶର ଏଭଳି କାରନାମାକୁ ଦେଖି, ଉତ୍ସାହିତ ଅନ୍ୟ ଖଣି ମାଫିଆ । ତେଣୁ ବିନା ଦଲିଲରେ ଆଉ ଦୁଇଟି କ୍ରସର ବି ଲାଗିଲାଣି । ଲୁଟ ହେଉଛି ପ୍ରାକୃତିକ ସଂପଦ । ନିକଟରେ ଥିବା ଗାଁ ଉଚ୍ଛବପାଲି ଆଉ ବାସ ଉପଯୋଗୀ ହୋଇ ରହିନାହିଁ । ବ୍ଳାଷ୍ଟିଂ ପାଇଁ ଘରେ ଫାଟ ! ସ୍କୁଲରେ ଫାଟ ! ଭୟଭୀତ ଗାଁ ଲୋକେ । କିନ୍ତୁ ରାଜସ୍ବ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଳାପାଳ କହୁଛନ୍ତି, ଖଣି ଅଧିକାରୀଙ୍କୁ କହିକି ତଦନ୍ତ କରାଇବେ । ହେଲେ ଖଣି ଅଧିକାରୀ ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା କରିଦେଇଛନ୍ତି ।

ଏଠରେ କ୍ରସର ପାଇଁ ଦରକାର ଦଲିଲ ଦସ୍ତାବିଜ ଉପରେ ଆଲୋଚନା କରାଯାଇପାରେ । ଯେକୌଣସି ପଥର କ୍ରସର ସ୍ଥାପନ କରିବା ପାଇଁ ପ୍ରଥମେ ଜିଲ୍ଳା ପ୍ରଶାସନ ପାଖରୁ ସି.ଟି.ଇ ବା କନସର୍ନ ଟୁ ଏଷ୍ଟାବ୍ଳିସମେଣ୍ଟ ଦିଆଯାଇଥାଏ । ଆଉ ନିୟମ ମୁତାବକ କ୍ରସର ସ୍ଥାପନ ହେଲା ପରେ, ଜିଲ୍ଳାପାଳ ସି.ଟି.ଓ ବା କନସର୍ନ ଟୁ ଅପରେସନ ପାଇଁ ଅନୁମତି ଦେଇଥାନ୍ତି । କିନ୍ତୁ ଜିଲ୍ଳାର ନବେ ପ୍ରତିଶତ କ୍ରସରର ସିଟିଓ ନାହିଁ । ଆଉ ସି.ଟି.ଓ ଥିଲେ ବି ଦରକାର ମୁତାବକ ଆନୁସଂଗିକ ବ୍ୟବସ୍ଥା ନାହିଁ ।

ଏଠି ପ୍ରଦୁଷଣ ବିଭାଗର ନିୟମ କଥା ମଧ୍ୟ ନକହିବା ଭଲ। ନିୟମ କହୁଛି, କୌଣସି ଗାଁ ଠାରୁ ଏକ କିଲୋମିଟର ଭିତରେ କ୍ରସର ରହିପାରିବ ନାହିଁ । କିନ୍ତୁ ଉଚ୍ଛବପାଲିରେ ମୁକେଶ ପଟେଲଙ୍କ ମନମାନି ନିଆରା ନିୟମ । ଖାଲି ସେତିକି ନୁହେଁ, ରାଜସ୍ବ ବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାନ୍ୟବର ହାଇକୋର୍ଟଙ୍କ କଡା ନିର୍ଦେଶ ରହିଛି । ପ୍ରଦୂଷଣ ବିଭାଗର ନିୟମ ଅବମାନନା କରିଥିଲେ, ଓଡିଶା ରାଜ୍ୟ ଭିତରେ କ୍ରସର ଚାଲିପାରିବ ନାହିଁ ।

ଏଭଳି ବେଆଇନ କ୍ରସରକୁ ତୁରନ୍ତ, ଜିଲ୍ଳା ଓ ପୋଲିସ ପ୍ରଶାସନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେବେ । ଏଭଳି ବେଆଇନ କ୍ରସରକୁ ତୁରନ୍ତ ବନ୍ଦ କରିଦେବା ପାଇଁ ମାନ୍ୟବର ହାଇକୋର୍ଟଙ୍କ କଡା ନିର୍ଦେଶ ରହିଛି । କିନ୍ତୁ ଏସବୁ ସତ୍ତ୍ୱେ ଦିନ ଗଡାଉଛି ଜିଲ୍ଳା ପ୍ରଶାସନ । ଉପଜିଲ୍ଳାପାଳ କହୁଛନ୍ତି, ଆମେ ଭେରିଫିକେସନ କରୁଛୁ । ପ୍ରଦୁଷଣ ଅଧିକାରୀ କହୁଛନ୍ତି ଆମକୁ ଲିଖିତ ଅଭିଯୋଗ ଦିଅ । ତେଣୁ ଜିଲ୍ଳାରେ ଘୋ..ଘୋ ଚାଲିଛି ବେଆଇନ କ୍ରସର । ଲୁଟ ହେଉଛି ଖଣି ! କାହାକୁ କହିବା ? କିଏ ନେବ କାର୍ଯ୍ୟାନୁଷ୍ଠାନ?