କ୍ରିକେଟ ଖେଳରୁ ହତ୍ୟା ! କାହିଁକି ଆଉଟ୍ କଲୁ କହି ଦୁଇ ଭାଇ ମିଶି ନାବାଳକର ତଣ୍ଟି ଚିପିଦେଲେ

ତଣ୍ଟି ଚିପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଦୁଇ ଅଭିଯୁକ୍ତ ।

Murder In Cricket Match

ଝିମିଟି ଖେଳରୁ ମହାଭାରତ ଭଳି କ୍ରିକେଟ ଖେଳରୁ ହତ୍ୟାକାଣ୍ଡ । କାହିଁକି ଆଉଟ୍‌ କରିଦେଲୁ କହି ତଣ୍ଟିଚିପି ହତ୍ୟା କରିଦେଲା ବ୍ୟାଟ୍ସମ୍ୟାନ୍‌ । କଥାଟା ଆପଣଙ୍କୁ ଚକିତ କରୁଥିଲେ ବି ସତ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶ କାନପୁରର ଘାଟମପୁର ଗାଁରୁ ।

ଏଠାରେ ଗାଁ ପିଲାଙ୍କ ମଧ୍ୟରେ ଚାଲିଥିଲା ଏକ ଫ୍ରେଣ୍ଡଲି ମ୍ୟାଚ୍‌ । ଆଉ ଅଚାନକ ଘଟିଗଲା ହତ୍ୟାକାଣ୍ଡ । ୧୪ ବର୍ଷର ଜଣେ ବାଳକକୁ ହତ୍ୟା କରିଛି ୧୭ ବର୍ଷର ଜଣେ ବାଳକ । ତାହା ପୁଣି କ୍ରିକେଟ ଖେଳରେ ପାଟିତୁଣ୍ଡକୁ ନେଇ । ହରଗୋବିନ୍ଦ ନାମକ ଜଣେ ବାଳକ ବ୍ୟାଟିଂ କରୁଥିଲା । ଅନ୍ୟପଟୁ ସଚିନ ନାମକ ଜଣେ ବାଳକ ବୋଲିଂ କରୁଥିଲା । ସଚିନ୍‌ର ଏକ ବଲ୍‌କୁ ହରଗୋବିନ୍ଦ ଖେଳିପାରିନଥିଲା ଏବଂ କ୍ଲିନ୍‌ ବୋଲ୍ଡ ହୋଇଯାଇଥିଲା । ଏଥିରେ ରାଗିଯାଇଥିଲା ହରଗୋବିନ୍ଦ । ଆଉ ବୋଲର ପାଖକୁ ଆସି ତାର ତଣ୍ଟି ଚିପି ଦେଇଥିଲା । ଏତେ ଜୋରରେ ସେ ତଣ୍ଟି ଚିପିଥିଲା ଯେ, ଘଟଣାସ୍ଥଳରେ ହିଁ ବୋଲର ସଚିନ୍‌ର ଜୀବନ ଚାଲିଯାଇଥିଲା । ଆଉ ଏଥିରେ ସହଯୋଗ କରିଥିଲା ହରଗୋବିନ୍ଦର ଭାଇ । ତଣ୍ଟି ଚିପି ହତ୍ୟା କରିବା ପରେ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । 

ସୋମବାର ସନ୍ଧ୍ୟାରେ ଗାଁର କିଛି ପିଲା କ୍ରିକେଟ ଖେଳିବା ପାଇଁ ପଡ଼ିଆରେ ଏକାଠି ହୋଇଥିଲେ । ପରେ କ୍ରିକେଟ ଖେଳ ଆରମ୍ଭ ହୋଇଥିଲା । ଏଥିରେ ସଚିନ ବୋଲିଂ କରୁଥିବା ବେଳେ ହରଗୋବିନ୍ଦ କ୍ଲିନ୍‌ ବୋଲ୍ଡ ହୋଇଥିଲା । ହେଲେ ଆଉଟ ହେବା ପରେ ବି ହରଗୋବିନ୍ଦ ଆହୁରି ବ୍ୟାଟିଂ କରିବାକୁ ଜିଦି କରିଥିଲା । ଏମିତିକି କ୍ରିଜ୍‌ ଛାଡ଼ିନଥିଲା । ଯାହାଫଳରେ ଅନ୍ୟ ଖେଳାଳିଙ୍କ ସହ ତାର ବଚସା ହୋଇଥିଲା । ଏହି କ୍ରମରେ ସଚିନ୍‌ ସହ ବି ତାର ବଚସା ହେଲା । ଆଉ ଏହାରି ଭିତରେ ହରଗୋବିନ୍ଦ ଅତି ରାଗିଯିବା ସହ ସଚିନ୍‌ର ତଣ୍ଟି ଚିପି ଦେଇଥିଲା । ଘଟଣାସ୍ଥଳରେ ହିଁ ସଚିନ୍‌ର ଜୀବନ ଚାଲିଗଲା ।

ଖବର ପାଇ ସଚିନ୍‌ର ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ତାକୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସରେ ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି । ସ୍ଥାନୀୟ ଏସ୍‌ପି କହିଛନ୍ତି, ଉଭୟ ଅଭିଯୁକ୍ତ ବଞ୍ଜାରା ସମୁଦାୟର ଏବଂ ସେମାନେ ସମ୍ପର୍କୀୟ ।