ପିଟି ପିଟି ମାରି ଦେଇଥିଲେ ବାପା ଓ ଭାଇ, ଏବେ ଜେଲ୍‌ରେ କଟିବ ଜୀବନ

ସାମାନ୍ୟ ଜମି ପାଇଁ ନିଜ ଜନ୍ମ କଲା ପୁଅକୁ ପିଟି ପିଟି ମାରିଦେଲେ ବାପା ଓ ଭାଇ। ସମ୍ପତ୍ତି ଭାଗବଣ୍ଟାକୁ ନେଇ ୨ ବର୍ଷ ପୂର୍ବେ ଘଟିଥିଲା ରକ୍ତପାତ। ଦୀର୍ଘ ୨ ବର୍ଷରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମୃତକଙ୍କ ବାପା ଓ ୩ ଭାଇଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି।

ପିଟି ପିଟି ମାରି ଦେଇଥିଲେ ବାପା ଓ ଭାଇ

ସାମାନ୍ୟ ଜମି ପାଇଁ ନିଜ ଜନ୍ମ କଲା ପୁଅକୁ ପିଟି ପିଟି ମାରିଦେଲେ ବାପା ଓ ଭାଇ। ସମ୍ପତ୍ତି ଭାଗବଣ୍ଟାକୁ ନେଇ ୨ ବର୍ଷ ପୂର୍ବେ ଘଟିଥିଲା ରକ୍ତପାତ। ଦୀର୍ଘ ୨ ବର୍ଷରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ମୃତକଙ୍କ ବାପା ଓ ୩ ଭାଇଙ୍କୁ ମିଳିଛି ଆଜୀବନ କାରାଦଣ୍ଡ। ନବରଙ୍ଗପୁର ଜିଲ୍ଲାରେ ଏହି ଘଟଣା ଘଟିଛି। ମୃତକ ହେଲେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ଗୁମଣ୍ଡଳୀ ଗାଁର ପଦ୍ମନ ନାୟକ। ଅଭିଯୁକ୍ତମାନେ ହେଲେ ମୃତକ ପଦ୍ମନଙ୍କ ବାପା ଦାମୋଦର ନାୟକ, ଭାଇ ପ୍ରେମନାଥ ନାୟକ, ଶ୍ରୀଧର ନାୟକ ଓ ଶ୍ୟାମସୁନ୍ଦର ନାୟକ। 

ସୂଚନା ଅନୁସାରେ, ଦାମୋଦରଙ୍କର ୪ ପୁଅ ଥିବାବେଳେ ତାଙ୍କ ନିକଟରେ ୪ ଏକର ଜମି ଥିଲା। ବଡ଼ ୩ ଜଣ ୩ ଏକର ଜମି ନେଇ ସାରି ଥିବାବେଳେ ଆଉ ୧ ଏକର ଦାମୋଦରଙ୍କ ନିକଟରେ ଥିଲା। ଉକ୍ତ ଜମିରେ ନିଜ ହକ୍‌ ଥିବା କହି ପଦ୍ମନ ସେଥିରେ ଆଖୁ ଚାଷ କରିଥିଲେ। ହେଲେ ଏହାକୁ ନେଇ ଗଣ୍ଡଗୋଳ ଲାଗି ରହୁଥିଲା।

୨୦୧୯ ମସିହା ଏପ୍ରିଲ ୫ ତାରିଖରେ  ଜମି ଭାଗବଣ୍ଟାକୁ ନେଇ ଦାମୋଦର ଓ ପଦ୍ମନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଖବପରପାଇ ଘଟଣାସ୍ଥଳକୁ ୩ ଭାଇ ଆସିଥିଲେ। ଏହାପରେ ବାପା ଓ ୩ ପୁଅ ପଦ୍ମନଙ୍କୁ ନିର୍ଧୂମ ପିଟିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କୋଟପାଡ଼ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ମୃତ ପଦ୍ମନଙ୍କ ପତ୍ନୀଙ୍କ ଅଭିଯୋଗକୁ ଆଧାର କରି କୋଷାଗୁମୁଡା ପୋଲିସ୍‌ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା। ଆଜି ମାମଲାର ଶୁଣାଣି କରି ଜିଲ୍ଲା ଦୌରା ଜଜ୍‌ ସଞ୍ଜୀବ ଦୁବେ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି।ଏଥିସହ ୨୦ ହଜାର  ଲେଖାଏ ଜରିମାନା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୨୨ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏହି ଶୁଣାଣି ହୋଇଛି।