ନୂଆ ଚାକିରିଆଙ୍କୁ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହିବା କଷ୍ଟ, ପଢ଼ନ୍ତୁ କ’ଣ ରହିଛି ଟ୍ରେଣ୍ଡ..

ବଡ଼ ଚାକିରିଆଙ୍କୁ ବଡ଼ ଦରମା ଦେବାରେ ଢେର ଆଗରେ ଏହି ରାଜଧାନୀ ସହର । ଏମିତି କିଛି ତଥ୍ୟର ଖୁଲାସା କରିଛି, ଦେଶର ପ୍ରମୁଖ ପ୍ଲେସ୍‌ମେଣ୍ଟ ସଂସ୍ଥା- ରାଣ୍ଡଷ୍ଟଡ ।

Salary And Job

ନୂଆ କିମ୍ବା ମଧ୍ୟମଧରଣର ଚାକିରିଆଙ୍କ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ଭୁବନେଶ୍ୱର । କାରଣ ସେମାନଙ୍କୁ ଏଠାରେ ମିଳେନି ଭଲ ଦରମା । ହେଲେ ବଡ଼ ଚାକିରିଆଙ୍କୁ ବଡ଼ ଦରମା ଦେବାରେ ଢେର ଆଗରେ ଏହି ରାଜଧାନୀ ସହର । ଏମିତି କିଛି ତଥ୍ୟର ଖୁଲାସା କରିଛି, ଦେଶର ପ୍ରମୁଖ ପ୍ଲେସ୍‌ମେଣ୍ଟ ସଂସ୍ଥା- ରାଣ୍ଡଷ୍ଟଡ । ଏପଟେ ଚାକିରି ଆଶାୟୀଙ୍କ ମତ, ଭୁବନେଶ୍ୱରରେ ଚାକିରି କଲେ, ପରିବାର ପେଟରେ ଦାନା ଦେବା ବି କଷ୍ଟକର ହୋଇପଡ଼ିବ ।

ମୟୂରଭଞ୍ଜର କୃଷ୍ଣାଂଶୁ ଗିରି ହୁଅନ୍ତୁ କି ଚାକିରି ଆଶାରେ ସାଙ୍ଗମାନଙ୍କ ସହ ପ୍ରତିଦିନ ରାଜଧାନୀର ଏମ୍ଏଲ୍ଏ କଲୋନି ସ୍ଥିତ ପାର୍କକୁ ଆସି କମ୍ପିଟିଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଭଦ୍ରକର ବିଶ୍ୱଜିତ୍ ମହାନ୍ତି । ଭୁବନେଶ୍ୱରରେ ନୂଆ ଚାକିରିଜୀବୀଙ୍କ ଦରମାକୁ ନେଇ ଏମାନଙ୍କ ଏଇ ଧାରଣା । ଏଠି ଚାକିରି କଲେ ପରିବାର ପୋଷି ହେବନି । ସେଇଥିପାଇଁ ବୟସ ଗଡ଼ିଯିବା ପୂର୍ବରୁ ସରକାରୀ ଚାକିରି ଖଣ୍ଡେ ପାଇଁ କିଏ ୩ ତ କିଏ ୫ ବର୍ଷ ଧରି ଚଳାଇଛନ୍ତି କସରତ ।

ତେବେ ଭୁବନେଶ୍ୱରରେ ନୂଆ ଚାକିରିଆଙ୍କ ପାଇଁ ଭଲ ଦରମା ମିଳୁ ନଥିବା ନେଇ ଏମାନଙ୍କ ଧାରଣା ଯେ ଅମୂଳକ ନୁହେଁ, ସେ ସୂଚନା ଦେଉଛି ଦେଶର ପ୍ରମୁଖ ପ୍ଲେସ୍‌ମେଣ୍ଟ ସଂସ୍ଥା ରାଣ୍ଡଷ୍ଟଡ୍‌ର ସଦ୍ୟତମ ପ୍ରକାଶିତ ସାଲେରି ଟ୍ରେଣ୍ଡ ରିପୋର୍ଟ । ଏହି ଅନୁଯାୟୀ, ବଡ଼ ଚାକିରିଆଙ୍କୁ ମୋଟା ଦରମା ଦେବାରେ ଭୁବନେଶ୍ୱର ଦେଶର ଏକ ନମ୍ବର ଟିୟର-୨ ସହର । ୧୦ଟି ଟିୟର-୨ ସହର ମଧ୍ୟରେ ହୋଇଥିବା ସର୍ଭେରୁ ମିଳିଥିବା ତଥ୍ୟ କହୁଛି, ୧୫ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ବରିଷ୍ଠ ସ୍ତରର ଚାକିରିଆଙ୍କୁ ଏଠି ବାର୍ଷିକ ହାରାହାରି ୩୧ ଲକ୍ଷ ୧୫ ହଜାର ଟଙ୍କା ମିଳେ । ଏପରିକି ଏହି ବର୍ଗ ସହରର ଜାତୀୟ ହାର ବି ଭୁବନେଶ୍ୱରଠୁ ୨୬.୫ ପ୍ରତିଶତ କମ୍ ।

ହେଲେ କନିଷ୍ଠ ବା ମଧ୍ୟମବର୍ଗ ଚାକିରିଆଙ୍କ ବେତନ କ୍ଷେତ୍ରରେ କିନ୍ତୁ ଅଙ୍କ ପୂରା ଓଲଟା । ମାନେ ଶୂନରୁ ୫ ବର୍ଷର ଅଭିଜ୍ଞତା ବିଶିଷ୍ଟ କନିଷ୍ଠ ବର୍ଗର ଚାକିରିଆଙ୍କ କ୍ଷେତ୍ରରେ ଭୁବନେଶ୍ୱରର ବାର୍ଷିକ ହାରାହାରି ଦରମା ମାତ୍ର ୪ ଲକ୍ଷ ୧୧ ହଜାର । ସ୍ଥାନ ବି ସପ୍ତମ । ଆଉ ଏକ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବା ଚଣ୍ଡିଗଡ଼ଠୁ ୨୭.୬ ପ୍ରତିଶତ କମ୍ ।

ତେବେ ୬ରୁ ୧୪ ବର୍ଷ ଅଭିଜ୍ଞତାଧାରୀ ମଧ୍ୟମ ବର୍ଗ ଚାକିରିଆଙ୍କ ବେତନ କ୍ଷେତ୍ରରେ ଭୁବନେଶ୍ୱର ସ୍ଥିତି ଆହୁରି ଖରାପ । ଏହି କ୍ଷେତ୍ରରେ ସ୍ଥାନ ତଳ ଆଡୁ ଦୁଇ ନମ୍ବର । ବଜାର ବିଶେଷଜ୍ଞଙ୍କ ମତରେ ରାଜ୍ୟର କନିଷ୍ଠ ବର୍ଗରେ ପର୍ଯ୍ୟାପ୍ତ ମାନବ ସମ୍ବଳ ଥିବା ବେଳେ ଚାକିରିର ଘୋର ଅଭାବରୁ ଏଭଳି ସ୍ଥିତି ।