ବଦଳିପାରେ GST ସ୍ଲାବ୍ : ୫% ରେଟ୍‌କୁ ହଟାଇବ କାଉନ୍‌ସିଲ୍‌ ?

ଆସନ୍ତା ମାସରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ସାଙ୍କେତିକ ଚିତ୍ର

GST ସ୍ଲାବରେ ପରିବର୍ତ୍ତନ ହୋଇପାରେ । କେନ୍ଦ୍ର ଉପରେ ରାଜ୍ୟଗୁଡିକର ନିର୍ଭରଶୀଳତା ହ୍ରାସ କରିବା ଏବଂ ରାଜସ୍ୱ ବୃଦ୍ଧି ପାଇଁ ଜିଏସଟି ପରିଷଦ ସ୍ଲାବ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଯେଉଁ ୫%ର ସ୍ଲାବ୍ ରହିଛି, ତାହା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ ହେବାର ଅନେକ ସମ୍ଭାବନା ରହିଛି । ଆସନ୍ତା ମାସରେ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପରିଷଦର ବୈଠକରେ ପାଞ୍ଚ ପ୍ରତିଶତ ଟିକସ ସ୍ଲାବ ରଦ୍ଦ କରିବାକୁ ପ୍ରସ୍ତାବକୁ ବିଚାର କରାଯାଇପାରେ । ଏହାସହିତ କିଛି ଅଧିକ ଖର୍ଚ୍ଚ ହେଉଥିବା ଉତ୍ପାଦକୁ ୩ ପ୍ରତିଶତ ସ୍ଲାବରେ ଏବଂ ଅବଶିଷ୍ଟକୁ ଆଠ ପ୍ରତିଶତ ସ୍ଲାବରେ ରଖାଯାଇପାରେ ବୋଲି ସୂଚନା ମିଳିଛି ।

ତେବେ ରାଜସ୍ୱ ବୃଦ୍ଧି ଉପରେ ଅଧିକାଂଶ ରାଜ୍ୟ ସମାନ ମତ ରଖିଛନ୍ତି, ଯାହାଦ୍ୱାରା ସେମାନଙ୍କୁ କ୍ଷତିପୂରଣ ପାଇଁ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଫଳରେ ବାର୍ଷିକ ଦେଢ଼ ଲକ୍ଷ କୋଟିରୁ ଅଧିକ ରାଜସ୍ୱ ମିଳିବ । ନୂତନ ବ୍ୟବସ୍ଥାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପକୃତ ‌ହେବେ ।

ବର୍ତ୍ତମାନ ଜିଏସ୍‌ଟିରେ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ଚାରୋଟି ଟ୍ୟାକ୍ସ ସ୍ଲାବ ରହିଛି। ଏହାବ୍ୟତୀତ ସୁନା ଏବଂ ସୁନା ଅଳଙ୍କାର ଉପରେ ୩% ଟ୍ୟାକ୍ସ ଦେବାକୁ ପଡୁଛି। ଏହାବ୍ୟତୀତ କିଛି ବିନା ବ୍ରାଣ୍ଡ ଯୁକ୍ତ ଏବଂ ବିନା ପ୍ୟାକିଂ ଯୁକ୍ତ ଉତ୍ପାଦ ଅଛି, ଯାହା ଉପରେ ଜିଏସ୍‌ଟି ଲାଗୁ ହେଉ ନାହିଁ । ତେବେ ଟିକସ ସଂଗ୍ରହ ବଢ଼ାଇବା ଲାଗି ସେହି ସାମଗ୍ରୀ ଉପରେ ୩% ଜିଏସଟି ଲାଗୁ କରିବା ପାଇଁ ଜିଏସ୍‌ଟି ପରିଷଦ ବିଚାର କରୁଥିବା ସୂତ୍ରରୁ ପ୍ରକାଶ ।

ସେହିପରି ପାଞ୍ଚ ପ୍ରତିଶତ ସ୍ଲାବକୁ ୭, ୮ ଅବା ୯ ପ୍ରତିଶତକୁ ବୃଦ୍ଧି କରିବାକୁ ଆଲୋଚନା ଚାଲିଛି । ତେବେ ପରିଷଦ ଏସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ଜିଏସଟି ପରିଷଦରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ଅଛନ୍ତି । ଆସନ୍ତା ମେ’ ମାସର ମଧ୍ୟ ଭାଗ ଆଡକୁ ଜିଏସଟି ପରିଷଦ ବୈଠକ ବସିବା ସମ୍ଭାବନା ରହିଛି ।

ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଥିବାବେଳେ ଅଧିକାଂଶ ସାମଗ୍ରୀ ପାଇଁ ପରିଷଦ ଆଠ ପ୍ରତିଶତ ଜିଏସଟି ଉପରେ ସହମତ ହେବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଏହି ଉତ୍ପାଦଗୁଡିକ ଉପରେ ଜିଏସଟି ହାର ପାଞ୍ଚ ପ୍ରତିଶତ ରହିଛି । ଜିଏସଟି ଅଧୀନରେ ଅତ୍ୟାବଶ୍ୟକ ସାମଗ୍ରୀକୁ ସର୍ବନିମ୍ନ ଟିକସ ଦିଆଯାଏ କିମ୍ବା ଟିକସରୁ ସମ୍ପୂର୍ଣ୍ଣ ଛାଡ ମିଳିଥାଏ । ତେବେ ବିଳାସପୂର୍ଣ୍ଣ ଏବଂ କ୍ଷତିକାରକ ଜିନିଷଗୁଡ଼ିକ ପାଇଁ ସର୍ବାଧିକ ଟ୍ୟାକ୍ସ ଦେବାକୁ ପଡ଼ିଥାଏ । ଏଥିପାଇଁ ୨୮ ପ୍ରତିଶତ ଟ୍ୟାକ୍ସ ସହ ଅତିରିକ୍ତ ସେସ୍‌ ଦେବାକୁ ପଡ଼ିଥାଏ ।

ତେବେ ଆକଳନ ଅନୁସାରେ ୫% ସ୍ଲାବରେ ପ୍ରତ୍ୟେକ ଏକ ପ୍ରତିଶତ ବୃଦ୍ଧି ରୂପେ ବାର୍ଷିକ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ମିଳିବ ।