• Astrospeak
  • Live TV
  • Read In English

ଦିନକରେ ଓଡ଼ିଶାରେ ୧୮ ଜଣଙ୍କ ମୁଣ୍ଡ ନେଲା କରୋନା, ଅନୁଗୁଳରେ ସର୍ବାଧିକ ୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୮ ଜଣଙ୍କର ଜୀବନ ନେଲା ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ…

coronavirus
coronavirus

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୮ ଜଣଙ୍କର ଜୀବନ ନେଲା ମହାମାରୀ କରୋନା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୩, କଳାହାଣ୍ଡି, ସୁନ୍ଦରଗଡ଼, ରାୟଗଡ଼ାରେ ୨ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୧୫କୁ ବୃଦ୍ଧି ପାଇଛି। ଗତକାଲି ରାଜ୍ୟରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ତେବେ କିଛିଦିନ ଧରି ଲଗାତାର ଭାବେ ୧୦ ହଜାର ଉପରେ ଚିହ୍ନଟ ହେଉଥିବା ନୂଆ ସଂକ୍ରମଣ ଟ୍ରେଣ୍ଡରେ ବିରାମ ଆସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ହଜାର ୭୯୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୧୧ ଜଣ ଚିହ୍ନଟ ହୋଇ ଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧,୦୧୮ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏସ୍‌ପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନରେ ଡ୍ରାଇଭ୍ ଇନ୍ ଅର୍ଥାତ ଗାଡ଼ିରେ ବସି ଟିକା ନେବାର ବ୍ୟବସ୍ଥା କରାଯାଇଛି। କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍, ସିମ୍ଫୋନି ମଲ୍‌ର ପାର୍କିଂ ଲଟ୍ ଏବଂ ପଟିଆ ସ୍ଥିତ କିଟ୍ ୟୁନିଭର୍ସିଟିର କ୍ରିକେଟ୍ ଷ୍ଟାଡିୟମ୍ ଏସବୁ ସ୍ଥାନରେ କେବଳ ୪୫ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ବୋଲି ବିଏମ୍‌ସି କହିଛି। ଆଜିଠାରୁ ୧୫ ତାରିଖ ଯାଏ ଟିକାକରଣ ଚାଲିବ। ଗୋଟିଏ ଗୋଟିଏ ସ୍ଥାନରେ ଦୈନିକ ୩୦୦ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ୧୦୦ ଟଙ୍କା ପ୍ରୋସେସିଂ ଫି’ ଦେଇ ଘରୋଇ ହସ୍ପିଟାଲରେ ଟିକା ନେଇ ହେବ ବୋଲି ସରକାର କହିଥିଲେ। ତେବେ ଅଧିକ ଟିକା ଆସି ନଥିବାରୁ ବିଏମ୍‌ସି ପକ୍ଷରୁ ଏଯାଏ ଘରୋଇ ହସ୍ପିଟାଲକୁ ଟିକା ଦିଆଯାଇନାହିଁ ବୋଲି ବିଏମ୍‌ସି କମିଶନର କହିଛନ୍ତି।

ଆଜିଠାରୁ ରାଜ୍ୟର ଅନ୍ୟ ସହରାଞ୍ଚଳରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ଲାଗି ଟିକାକରଣ ଆରମ୍ଭ ହେବ। ତେବେ ରାଉରକେଲାରେ ଗୋଟିଏ ଦିନ ବ୍ୟବଧାନରେ ଟିକା ଦିଆଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଥିବାବେଳେ ଏହାର ପରଦିନ ୪୫ ବର୍ଷରୁ ଅଧିକଙ୍କ ବ୍ୟକ୍ତିଙ୍କୁ କେବଳ ଦ୍ୱିତୀୟ ଡୋଜ ଟିକା ଦିଆଯିବ।

ମେ’ ମାସ ୧୧, ୧୩, ୧୫, ୧୮ ୨୦ ଓ ୨୨ ତାରିଖରେ ୧୮ରୁ ୪୪ ବର୍ଷ ବର୍ଗ ବୟସ୍କଙ୍କୁ ଟିକା ଦିଆଯିବ। ସେହିପରି ମେ’ ୧୨, ୧୪, ୧୭, ୧୯ ଏବଂ ୨୧ ତାରିଖରେ ରାଉରକେଲାରେ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦେବାକୁ ତାରିଖ ସ୍ଥିର ହୋଇଛି। ତେବେ ଦ୍ୱିତୀୟ ଡୋଜ୍ ଟିକା ଲାଗି ଅନ୍‌ଲାଇନ୍‌ ପଞ୍ଜୀକରଣ ବାଧ୍ୟତାମୂଳକ ନୁହଁ। ତେବେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ବାଧ୍ୟତାମୂଳକ ବୋଲି କୁହାଯାଇଛି। ରାଉରକେଲାରେ ଆଇଜିଏଚ୍, ପାନପୋଷ ୟୁସିଏଚ୍‌ସି, ରିଜର୍ଭ ପୋଲିସ ହସ୍ପିଟାଲ, ସେକ୍ଟର-୬ ହସ୍ପିଟାଲ, ଆରଜିଏଚ୍, ବନ୍ଧମୁଣ୍ଡା ରେଲ୍‌ୱେ ହସ୍ପିଟାଲ, ଫର୍ଟିଲାଇଜର ଟାଉନସିପ୍‌ର ସେଲ୍ ହେଲ୍‌ଥ୍‌ ସେଣ୍ଟର ଓ ଇଏସ୍ଆଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର କରାଯାଇଛି।