• Astrospeak
  • Live TV
  • Read In English

କରୋନା ମେଡ଼ିକାଲରୁ ଆସିଲା କର୍ତ୍ତବ୍ୟର ନିଆରା ଚିତ୍ର ଓ ସେବାରେ ସମର୍ପଣ ଭାବ

ଚାଲିଛି ମହାମାରୀ ବିରୋଧୀ ମହାଯୁଦ୍ଧ। କରୋନାକୁ ମାତ୍ ଦେବାକୁ ସବୁଠି ଅହରହ ସଂଗ୍ରାମ କରୁଛନ୍ତି କରୋନା ଯୋଦ୍ଧା। ତାହାରି ଭିତରେ କେଉଁଠି, କେତେବେଳେ ବ୍ୟତିକ୍ରମ ଘଟୁଛି, ଅବ୍ୟବସ୍ଥାର ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ହେଲେ କର୍ତ୍ତବ୍ୟ ଆଉ ସେବା କିନ୍ତୁ ଜାରି ରହିଛି ଅନବରତ।

doctors
doctors

ଭୁବନେଶ୍ୱର: ଚାଲିଛି ମହାମାରୀ ବିରୋଧୀ ମହାଯୁଦ୍ଧ। କରୋନାକୁ ମାତ୍ ଦେବାକୁ ସବୁଠି ଅହରହ ସଂଗ୍ରାମ କରୁଛନ୍ତି କରୋନା ଯୋଦ୍ଧା। ତାହାରି ଭିତରେ କେଉଁଠି, କେତେବେଳେ ବ୍ୟତିକ୍ରମ ଘଟୁଛି, ଅବ୍ୟବସ୍ଥାର ଚିତ୍ର ମଧ୍ୟ ସାମ୍ନାକୁ ଆସୁଛି। ହେଲେ କର୍ତ୍ତବ୍ୟ ଆଉ ସେବା କିନ୍ତୁ ଜାରି ରହିଛି ଅନବରତ।

ଜୀବନ-ମରଣର ଘଡ଼ିସନ୍ଧି ମୁହୂର୍ତ୍ତ। ମେଡ଼ିକାଲ୍ ଭିତରେ ଚାଲିଛି ଅହରହ ସଂଗ୍ରାମ। ସଂକ୍ରମଣ ପରଠୁ ପରିବାରଠାରୁ ଦୂରରେ ରହି ଅନେକ ରୋଗୀ ସଂଘର୍ଷ କରୁଛନ୍ତି ରୋଗ ବିରୋଧରେ। ତାହାରି ଭିତରେ କର୍ତ୍ତବ୍ୟର ନିଆରା ଚିତ୍ର, ସେବାରେ ସମର୍ପଣ ଭାବ। କେନ୍ଦ୍ରାପଡ଼ାର ରଶ୍ମିରେଖା ବିଶ୍ୱାଳ… କରୋନାରେ ସଂକ୍ରମିତ ହୋଇ ଦୀର୍ଘଦିନ ଧରି ଚିକିତ୍ସାଧିନ ଅଛନ୍ତି ବ୍ରହ୍ମପୁର ଏମକେସିଜି କୋଭିଡ୍ ମେଡ଼ିକାଲ୍-୨ରେ। ମୁଣ୍ଡରେ ତେଲ ଲଗାଇ ଦିଆଯାଉଛି, ପାନିଆରେ ଚୁଟି କୁଣ୍ଡାଇ ବି ଦିଆଯାଇଛି। ସତେ ଯେମିତି ପରିବାରର ସଦସ୍ୟଟିଏ। ତାହାରି ଭିତରେ ଗପସପ ବି ଚାଲୁଛି।

ଆଉ ଜଣେ ହେଉଛନ୍ତି ଗଞ୍ଜାମ ଆମ୍ବପୁଆର ଘନଶ୍ୟାମ ସାହୁ। ଦାଢ଼ି ବଢ଼ିଯିବା ପରେ ସେଭିଂ କରିଦିଆଯାଉଛିା ନିଜକୁ ରୋଗୀ ବୋଲି ଯେମିତି କେହିବି ଅନୁଭବ ନକରନ୍ତି, ସେଥିପାଇଁ ଏହି ଉଦ୍ୟମ କରାଯାଉଛି। ଆଉ କ୍ରମାଗତ ଅକ୍ସିଜେନ୍ ଲାଗିଥିବା ଜଣେ ବୟସ୍କଙ୍କୁ ଅତି ଯତ୍ନର ସହ ଖୁଆଇଦେଉଛନ୍ତି ଜଣେ ସ୍ୱାସ୍ଥ୍ୟକର୍ମୀ। ଏଭଳି ସେବା ଏବଂ ଯତ୍ନ ପାଇ ରୋଗୀ ବି ଖୁସ୍।

ବ୍ରହ୍ମପୁର ଏମକେସିଜିର ଦୁଇଟି କୋଭିଡ୍ ମେଡ଼ିକାଲରେ ରହିଛି ୪୭୦ଟି ବେଡ୍। ଯେଉଁଠି ରୋଗାକ୍ରାନ୍ତ ମଣିଷ ମାନେ ରୋଗ ବିରୋଧରେ ଲଢ଼େଇ କରୁଛନ୍ତି, ଜୀଇଁବାକୁ ସଂଘର୍ଷ କରୁଛନ୍ତି। ଏହି ସଂଘର୍ଷ ଭିତରେ ଦେବଦୂତ ସାଜି ରୋଗୀଙ୍କୁ ଏଭଳି ସେବା ଯୋଗାଇ ଆତ୍ମବିଶ୍ୱାସ ବଢ଼ାଉଛନ୍ତି ଉଭୟ ପୁରୁଷ ଓ ମହିଳା ନର୍ସ। ରୋଗୀଙ୍କୁ ଔଷଧ ସହ ସେମାନଙ୍କର ଦୈନନ୍ଦିନ ଖାଦ୍ୟ ପାନୀୟ କଥା ତ ବୁଝୁଛନ୍ତି। ଏହାବାଦ୍ କାହାର ଦାଢ଼ି ସେଭିଂ ତ ଆଉ କାହାକୁ ବେଣୀ ପକାଇଦେଉଛନ୍ତି ଏମାନେ। ରୋଗୀଙ୍କୁ ଆପଣାର ଭାବି ଏବଂ ସେମାନଙ୍କ ହୃଦୟର ଅନ୍ତସ୍ୱରକୁ ଚିହ୍ନି ସେବା ଯୋଗାଉଛନ୍ତି ଏଭଳି ଭାବେ।

ଉପାନ୍ତ ମାଲକାନଗିରିରେ ରୋଗୀ ସେବାର ଆଉ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି। ଦୁର୍ଗମ ବଣ୍ଡାଘାଟିରେ ଗମନାଗମନ ବ୍ୟବସ୍ଥା ନଥିବାରୁ ଏଠି ସାହାରା ସାଜିଛି ଏହି ବୁଲେଟ ଆମ୍ବୁଲାନ୍ସ। ଗର୍ଭବତୀ, ଶିଶୁ, ବୟସ୍କ… ଯିଏ ଯେ କୌଣସି ରୋଗରେ ଥିଲେ ବି ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଦତ୍ତ ଏହି ବୁଲେଟ୍ ଆମ୍ବୁଲାନ୍ସର ସେବା ପାଇ ପାରିବେ। ଓଡ଼ିଶା ଆଦିମ ଜନଜାତି ସଶକ୍ତୀକରଣ ଓ ଜୀବିକା ଅଭିବୃଦ୍ଧି କାର୍ଯ୍ୟକ୍ରମ-ଓପିଲିପି ଜରିଆରେ ଯୋଗାଇ ଦିଆଯାଇଛି ବୁଲେଟ। ଯେଉଁଠି ଅକ୍ସିଜେନ୍ ସିଲିଣ୍ଡରଠୁ ଷ୍ଟ୍ରେଚର୍ ଯାଏଁ ସବୁ ରହିବ ଏହି ଆମ୍ବୁଲାନ୍ସରେ।