ବରଗଡ଼: ପାରିବାରିକ କଳହର କରୁଣ ପରିଣତି। କଳହ ଯୋଗୁ ଏକ ଛଅ ବର୍ଷର ଶିଶୁ କନ୍ୟା ପୋଡ଼ି ହୋଇ ପ୍ରାଣ ହରାଇଥିବା ବେଳେ ଶିଶୁ କନ୍ୟାର ବାପା ମା’ ଗୁରୁତର ହୋଇ ହସ୍ପିଟାଲ୍ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କୁକେତିରା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଅଞ୍ଚଳର କୈଳାସ ସାହୁ ଓ ସ୍ତ୍ରୀ କସ୍ତୁରୀ ନିଜ ଝିଅ ସହ କୁକେତିରାରେ ଭଡ଼ାରେ ରହୁଥିଲେ। ମଙ୍ଗଳବାର ରାତିରେ କୌଣସି ଏକ କଥାକୁ ନେଇ କୈଳାସ ଓ କସ୍ତୁରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କୈଳାସ ଝିଅ ଓ ସ୍ତ୍ରୀଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇବା ପରେ ନିଜ ଦେହରେ ମଧ୍ୟ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା କୁହାଯାଉଛି।
ଗାଁ ଲୋକେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଦମକଳବାହିନୀ ଓ ପୁଲିସ୍କୁ ଖବର ଦେଇଥିଲେ। ଦମକଳବାହିନୀ ସ୍ୱାମୀ ସ୍ତ୍ରୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବାବେଳେ ଘର ଭିତରେ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା।
ବର୍ତ୍ତମାନ କୈଳାସ ଓ କସ୍ତୁରୀ ବୁର୍ଲା ବଡ଼ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି।