ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ। କୋଭିଡ୍ ପରିଚାଳନା ସମ୍ପର୍କରେ ବିରୋଧୀ ଦଳ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହା ସଂପୂର୍ଣ୍ଣ ମିଛ ବୋଲି କୁହାଯାଇ ପାରିବ ନାହିଁ ବୋଲି ଉମା ସାମନ୍ତରାୟ କହିଛନ୍ତି।
ସେ କହିଛନ୍ତି, ଯେଉଁ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ସେଥିଲାଗି ଅଧିକରୁ ଅଧିକ ଆଇସିୟୁ ବେଡ୍ ଆବଶ୍ୟକ। ହସ୍ପିଟାଲ୍ ଗୁଡ଼ିକରେ ଯେତିକି ଆଇସିୟୁ ରହିଛି, ତା’ ତୁଳନାରେ ଖୁବ୍ ଅଧିକ ରୋଗୀ ଆସୁଛନ୍ତି ତେଣୁ ଅଧିକ ବେଡ୍ ଆବଶ୍ୟକ ରହିଛି। ଏ ପ୍ରସଙ୍ଗ ବିଧାନସଭାରେ ଉଠାଯିବ ବୋଲି ମଧ୍ୟ ଉମା କହିଛନ୍ତି।
ଉମା ଆହୁରି କହିଛନ୍ତି, ’ଯେଉଁ ରୋଗୀମାନଙ୍କୁ କୋଭିଡ୍ ନ ହୋଇ ସେମାନେ ମେଡିକାଲ୍ ଯାଉଛନ୍ତି ସେମାନଙ୍କୁ ମେଡିକାଲ୍ରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଜିର ଦିନରେ OSTF ଓ BSKYରେ ଏତେ ତାରତମ୍ୟ ଅଛି, ଯଦି କୌଣସି କ୍ୟାନ୍ସର ରୋଗୀ ଚିକିତ୍ସା ପାଇଁ ଯାଉଛନ୍ତି, ଡାକ୍ତରଖାନାରୁ ତାଙ୍କୁ ଫେରାଇ ଦିଆଯାଉଛି। ସେହିପରି ଯଦି ଜଣେ heart patientଙ୍କର ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଅଛି, ତାଙ୍କୁ ମଧ୍ୟ ଡାକ୍ତରଖାନାରୁ ଫେରାଇ ଦିଆଯାଉଛି। କାରଣ ସେମାନେ BSKY କରାଇ ଦେଉ ନାହାନ୍ତି। BSKY ଓ OSTF ସମାନ ହେବା ଦରକାର। ଆପୋଲୋ ଓ ଆମ୍ରି ହସ୍ପିଟାଲ୍ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ସହ MOU ସ୍ୱାକ୍ଷର କରି ନାହାନ୍ତି।
‘ସମସ୍ତ ମେଡିକାଲ୍ରେ ଆହୁରି ଆଇସିୟୁ ବଢ଼ାଇବାକୁ ପଡ଼ିବ। ନୂଆ ପ୍ରାଇଭେଟ୍ ହସ୍ପିଟାଲ୍ରେ ମଧ୍ୟ ଆହୁରି ଆଇସିୟୁର ବ୍ୟବସ୍ଥା କରିବାକୁ ପଡ଼ିବ। କୋଭିଡ୍ ହସ୍ପିଟାଲ୍ ଯେତିକି ଅଛି, ସେତିକି ଯଥେଷ୍ଟ ନୁହେଁ’ ବୋଲି ଉମା କହିଛନ୍ତି।
ଉମା ସାମନ୍ତରାୟଙ୍କ ଏହି ମନ୍ତବ୍ୟକୁ ନେଇ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରତିକ୍ରିୟା ରଖି କହିଛନ୍ତି, ସେ ସ୍ପଷ୍ଟବାଦୀ ଲୋକ, ସତ କହିବା ଲୋକ, ତେଣୁ ସତ କହିଛନ୍ତି। କିନ୍ତୁ ସରକାର ତାଙ୍କୁ ଛାଡ଼ିବେ ନାହିଁ। ତାଙ୍କ ଟିକେଟ୍ କାଟି ଦେବେ।
ସେହିପରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଯେଉଁ ସ୍ଥାନରେ କୋଭିଡ୍ ସେଣ୍ଟର କରାଯାଇଛି ସେହି ସ୍ଥାନରେ ଖାଇବାକୁ କି ପିଇବାକୁ ଗରମ ପାଣି ମିଳୁନି। କୋଭିଡ୍ ଦୁର୍ନୀତି ଏ ଶତାବ୍ଦୀର ସବୁଠୁ ବଡ଼ ଦୁର୍ନୀତି। ସରକାର ଏବେ ମୃତ୍ୟୁ ସଂଖ୍ୟା ଲୁଚାଇବାକୁ ଚେଷ୍ଟା କରୁଛନ୍ତି। ପ୍ରାଇଭେଟ୍ ହସ୍ପିଟାଲ୍ ଲୋକଙ୍କୁ ଲୁଟୁଛନ୍ତି। ଗୋଟିଏ ଦିନରେ ୫୦ ହଜାର ଟଙ୍କା ବିଲ୍, କେଉଁ ଲୋକ ଯାଇପାରିବେ ? 5T କୁଆଡେ ଗଲା ? 5T ୫ ଟାଉଟର ବୋଲି ଆଗରୁ କହିଥିଲି, ଏବେ ଏହା ପ୍ରମାଣିତ ହେଲା।