ନିର୍ବାଚନ ପ୍ରଚାରରେ ଆସି ନେତା-ମନ୍ତ୍ରୀଙ୍କ ହଟହଟା

ପଞ୍ଚାୟତ ନିର୍ବାଚନ ବେଳେ ପ୍ରଚାରରେ ଯାଇ ଭୋଟରଙ୍କ ପାଖରେ ହଟହଟା ହେଉଛନ୍ତି ଶାସକ ଦଳର ନେତା ଓ ମନ୍ତ୍ରୀ। କେଉଁଠି ପ୍ରଶ୍ନବାଣର ଶିକାର ହେଉଛନ୍ତି ତ ପୁଣି କେଉଁଠି ହଲ୍ଲାପଟା। ଏମିତି ହଇରାଣ ହୋଇ ଫେରୁଥିବା ନେତାମାନେ ବି ଦେଉଥିବା ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

ନିର୍ବାଚନ ପ୍ରଚାରରେ ଆସି ନେତା-ମନ୍ତ୍ରୀଙ୍କ ହଟହଟା

ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ନେତା ଗାଁ ଗାଁ ବୁଲୁଥିବାବେଳେ କେମିତି ମତଦାତାଙ୍କ ରୋଷର ଶିକାର ହେଉଛନ୍ତି ସେ ଚିତ୍ର ବି ମାଳ ମାଳ ମିଳିବାରେ ଲାଗିଛି। କେଉଁଠି ନେତାଙ୍କୁ ରାସ୍ତା ମଝିରେ ଜନତା ପ୍ରଶ୍ନ କରୁଛନ୍ତି ତ କେଉଁଠି ରାତି ଅଧରେ ଘେରୁଛନ୍ତି। ହେଲେ ହଟହଟ ହୋଇ ଫେରୁଥିବା ନେତାମାନେ ବି ଦେଉଥିବା ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ।

ବଡ଼ମ୍ବା ଥାନା ଗୋବର୍ଦ୍ଧନପୁର ଗାଁର ଦୃଶ୍ୟ ଲୋକେ ଯାହାଙ୍କୁ ଘେରି ଜବାବ ମାଗୁଛନ୍ତି ସେ ହେଲେ ସ୍ଥାନୀୟ ବିଧାୟକ ଦେବୀ ମିଶ୍ର। ଲୋକେ ଘେରି ପଚାରୁଛନ୍ତି, ଗାଁରେ ପାନୀୟ ଜଳ ପ୍ରକଳ୍ପ ଓ ଆବାସ ଘର ସହ ପାଇଖାନା ଦୁର୍ନୀତି ପାଇଁ ଦାୟୀ କିଏ? ତେବେ ଦେବୀ ମିଶ୍ରଙ୍କୁ ଲୋକେ ଏମିତି ଘେରି ହଲ୍ଲାପଟା କରିବା ନୂଆ ନୁହେଁ। ପୂର୍ବରୁ ଡିସେମ୍ବର ୨୮ରେ ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ଚୟନକୁ ନେଇ ବି ନରସିଂହପୁରରେ କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ଏହି ବରିଷ୍ଠ ବିଜେଡି ନେତା। ତେବେ ଗୋବର୍ଦ୍ଧନପୁର ଘଟଣାରେ ପ୍ରତିକ୍ରିୟା ରଖି ଦେବୀ ମିଶ୍ର କହିଛନ୍ତି ଯେ ଭୋଟରଙ୍କୁ ସେମାନଙ୍କ ସମସ୍ୟା ଜଣାଇବାକୁ ସିଏ ନିଜେ ଡାକିଥିଲେ।

ସେହିପରି ନିମାପଡ଼ା ଭୋଟରଙ୍କ ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ଖୋଦ୍ ଗଣଶିକ୍ଷାମନ୍ତ୍ରୀ। ଆବାସ ଯୋଜନାରୁ ବଞ୍ଚିତ ହିତାଧିକାରୀ ମନ୍ତ୍ରୀଙ୍କଠୁ ଚାହୁଁଛନ୍ତି ସିଧା ଉତ୍ତର। ମନ୍ତ୍ରୀ ବୁଝାଇବାକୁ ଚେଷ୍ଟା କରୁଥିଲେ ବି କେହି ତାଙ୍କ କଥା ଶୁଣିବା ଅବସ୍ଥା ହିଁ ନଥିବା ଦେଖାଯାଏ। ଏ ଘଟଣା ସମ୍ପର୍କରେ ମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବିଜେଡି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଯାଇଥିବାବେଳେ କୋଉଠି ହେଲେ ସେ ହଟହଟା ହୋଇ ନାହାନ୍ତି, ବରଂ ତାଙ୍କୁ ଭଲ ପାଉଥିବା ଲୋକେ ସମସ୍ୟା ଜଣାଇଥିଲେ।

 

ସେମିତି ରାତି ଅଧରେ କାକଟପୁର ବାଇତକୁଦ ଗାଁକୁ ଯାଇ ହଟହଟାର ସମ୍ମୁଖୀନ ହୋଇଥିବା ଆଉ ଜଣେ ମନ୍ତ୍ରୀ ହେଲେ ତୁଷାରକାନ୍ତି ବେହେରା। ମନ୍ତ୍ରୀଙ୍କ ମୋଟର ସାଇକେଲକୁ ବାଟ ଓଗାଳି ରଖିଥିଲେ ଭୋଟର। ଗାଁକୁ ରାସ୍ତା ନାହିଁ ତ ଭୋଟ୍ ନାହିଁ ଜିଦ୍‌ରେ ଅଡ଼ି ବସିଛନ୍ତି ଗ୍ରାମବାସୀ। ରାସ୍ତା ଅବସ୍ଥା ଏବେ ଶୋଚନୀୟ ଯେ ଯାହାକୁ ନେଇ କ୍ଷୁବ୍ଧ ଅଛନ୍ତି ଭୋଟର। ସ୍ୱାଧୀନତାର ଆଉ କେତେ ବର୍ଷ ପରେ ଗାଁକୁ ରାସ୍ତା ହେବ ବୋଲି ପ୍ରଶ୍ନ କରିଛନ୍ତି ଲୋକେ। ତେବେ ଏନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳି ନ ଥିବା ବେଳେ ଭୋଟର କିନ୍ତୁ ସେମାନଙ୍କ ଯିଦ୍‌ରେ ଅଟଳ ଅଛନ୍ତି।

ବେଲପଡ଼ା ବ୍ଲକ କୁନ୍ଧେନଝୁଲା ପଞ୍ଚାୟତରେ ବି କିଛି କମ୍ ହତହଟା ହୋଇନାହାନ୍ତି ବିଧାୟକ ସରୋଜ ମେହେର। ବିଜେଡି ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ସଭା କରୁଥିବାବେଳେ ତାଙ୍କୁ ଘେରି ପ୍ରଶ୍ନ ବାଣରେ ଘାଇଲା କରିଥିଲେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ସ୍ଥାନୀୟ ଭୋଟର।

ତେବେ ଏଠି ପ୍ରଶ୍ନ ଉଠେ ଯେ କାହିଁକି ଶାସକ ଦଳର ନେତା ଓ ମନ୍ତ୍ରୀଙ୍କୁ ଏମିତି ଘେରୁଛନ୍ତି ଭୋଟର୍‌? କାହିଁକି ଗାଁ ଗାଁରେ ଦେଖିବାକୁ ମିଳୁଛି ବିରୋଧର ଚିତ୍ର? ସମାଜସେବୀଙ୍କ ମତରେ, ଗତ ସାଧାରଣ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣରେ ବିଫଳତା ଏହାର ମୁଖ୍ୟ କାରଣ। ତା’ସହ ଦୀର୍ଘ ଦିନ ଧରି ଲୋକଙ୍କଠାରୁ ଦୂରରେ ରହି ପଞ୍ଚାୟତ ନିର୍ବାଚନ ବେଳେ ହଠାତ୍ ଭୋଟ୍ ମାଗିବାକୁ ଆବିର୍ଭାବ ହେଉଥିବାରୁ ଏଭଳି ହୀନସ୍ତାର ସମ୍ମୁଖୀନ ହେଉଛନ୍ତି।

ପ୍ରତିଶ୍ରୁତି ପୂରଣରେ ବିଫଳତା ହେଉ କି ଭୋଟର୍‌ଙ୍କଠାରୁ ବ୍ୟବଧାନ, ଆଗାମୀ ପଞ୍ଚାୟତ ନିର୍ବାଚନରେ ନେତାଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ବୋଧହୁଏ ଭୋଟରଙ୍କ ଇଏ ଆଗୁଆ ଝଲକ।