ଦିଲ୍ଲୀ ନିର୍ବାଚନ ପୂର୍ବରୁ କେଜ୍ରିୱାଲ କାହିଁକି ଖେଳିଲେ ମାଷ୍ଟରଷ୍ଟ୍ରୋକ୍

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି ଏବଂ ଜନସାଧାରଣଙ୍କଠାରୁ ଏକ ନୂଆ ଜନାଦେଶ ମାଗିଛନ୍ତି। ସୁପ୍ରିମକୋର୍ଟରୁ ଜାମିନ ପାଇବା ପରେ ଏହି ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ।

ଇସ୍ତଫା କାହିଁକି ?

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି ଏବଂ ଜନସାଧାରଣଙ୍କଠାରୁ ଏକ ନୂଆ ଜନାଦେଶ ମାଗିଛନ୍ତି। ସୁପ୍ରିମକୋର୍ଟରୁ ଜାମିନ ପାଇବାର ଏହି ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ। ମଦ ଦୁର୍ନୀତିରେ ଅଭିଯୋଗ ଯୋଗୁ ତାଙ୍କ ଦଳର ଭାବମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ସେ କହିଛନ୍ତି ଯେ ସେ ଜନସାଧାରଣଙ୍କଠାରୁ ସଚ୍ଚୋଟତାର ପ୍ରମାଣପତ୍ର ନ ପାଇବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ବସିବେ ନାହିଁ। ଜନତା ତାଙ୍କ ପାଇଁ ସବୁକିଛି। କେଜ୍ରିୱାଲ ଏକ ସାକ୍ଷାତକାରରେ କହିଛନ୍ତି-ସେ ଟଙ୍କା କିମ୍ବା ପଦ ପାଇଁ ରାଜନୀତିରେ ପ୍ରବେଶ କରିନାହାନ୍ତି, ବରଂ ଦେଶର ସେବା କରିବାକୁ ରାଜନୀତିକୁ ଆସିଛନ୍ତି।

ଯେତେବେଳେ ପ୍ରଭୁ ରାମଚନ୍ଦ୍ର ତାଙ୍କର ୧୪ ବର୍ଷର ବନବାସ ସାରି ଫେରିଥିଲେ, ସୀତାଙ୍କୁ ବି ଅଗ୍ନି ପରୀକ୍ଷା ଦେବାକୁ ପଡ଼ିଥିଲା। ଆଜି ମୁଁ ଜେଲରୁ ଫେରି ଆସିଛି ଏବଂ ମୁଁ ମୋର ଅଗ୍ନି ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛି ବୋଲି କେଜ୍ରିୱାଲ କହିଛନ୍ତି। କେଜ୍ରିୱାଲଙ୍କ ଇସ୍ତଫା ନିଷ୍ପତ୍ତି ଦିଲ୍ଲୀ ନିର୍ବାଚନ ପୂର୍ବରୁ ଏକ ମାଷ୍ଟରଷ୍ଟ୍ରୋକ୍ ବୋଲି ରାଜନୈତିକ ମହଲରେ ବିବେଚନା କରାଯାଉଛି। କିନ୍ତୁ ଜାମିନ ସର୍ତ୍ତ ଥିବାରୁ କେଜ୍ରିୱାଲ ଏଭଳି ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି। ଏହା କରିବା ଦ୍ବାରା ସେ ନିଜର ଭାବମୂର୍ତ୍ତି ବଜାୟ ରଖିବାକୁ ଚେଷ୍ଟା କରିବା ସହିତ ଦଳକୁ ସଙ୍କଟରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। କେଜ୍ରିୱାଲଙ୍କ ଏହି ପଦକ୍ଷେପ କେତେ ସଫଳ, ନିର୍ବାଚନ ଫଳାଫଳ ପରେ ହିଁ ଏହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।

ପ୍ରାୟ ସାଢ଼େ ପାଞ୍ଚ ମାସ ଧରି ଜେଲରେ ରହିବା ପରେ କେଜ୍ରିୱାଲ ଗତସପ୍ତାହରେ ତିହାରରୁ ବାହାରିଥିଲେ। ଆପ୍‌ର ମନୀଷ ସିସୋଡିଆ ଏହି ମାମଲାରେ ୧୭ ମାସ ଜେଲରେ ବିତାଇଥିଲେ। କେଜ୍ରିୱାଲଙ୍କ ଇସ୍ତଫା ନିଷ୍ପତ୍ତି ଆଶ୍ଚର୍ଯ୍ୟଜନକ ଆଉ ଅଚାନକ ବି। କାରଣ ସେ ଜେଲ୍‌ ଯିବା ଦିନ ହିଁ ଇସ୍ତଫା ଦେବାକୁ ରାଜନୈତିକ ଦଳ ଦାବି କରିଥିଲେ ମଧ୍ୟ ସେ ଦେଇ ନ ଥିଲେ। ଏପରି କି ଜେଲ୍‌ରୁ ଥାଇ ସରକାର ବି ଚଳାଉଥିଲେ। ଏହା ଭିତରେ କେଜ୍ରିୱାଲଙ୍କୁ ଅନେକ ସମସ୍ୟାର ସାମ୍‌ନା କରିବାକୁ ପଡ଼ିଲାଣି। ଆଉ ଶେଷରେ ଇସ୍ତଫା ବି ଦେଲେ।

ଦିଲ୍ଲୀ ରାଜନୀତିରେ ଟ୍ବିଷ୍ଟ:

ଦିଲ୍ଲୀରେ ରାଜନୈତିକ ଅସ୍ଥିରତା ତୀବ୍ର ହୋଇଛି। ହରିୟାଣା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ସେ ତିହାର ଜେଲରୁ ଜାମିନରେ ଆସିବା ମାତ୍ରେ ଇସ୍ତଫା ଘୋଷଣା କରିବା ସହ ଶୀଘ୍ର ନିର୍ବାଚନ ଦାବି କରି ରାଜନୈତିକ କମ୍ପନକୁ ବଢ଼ାଇଦେଇଛନ୍ତି। ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେଜ୍ରିୱାଲ ଜାମିନରେ ଅଛନ୍ତି। ଇସ୍ତଫା ଘୋଷଣା କରି କେଜ୍ରିୱାଲ ରାଜନୈତିକ ମହଲରେ ସମସ୍ତଙ୍କ ମନରେ ସସ୍‌ପେନ୍ସ ଭରିଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି ଆତିଶୀ ସିଂ। 

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କେଜ୍ରିୱାଲଙ୍କ ପାଇଁ ରାଜନୈତିକ ଜୀବନ ଏତେ ସହଜ ହେବ ନାହିଁ ବୋଲି କୁହାଯାଉଛି। ଏବେ କେନ୍ଦ୍ରରେ ବିଜେପି ଯେଉଁଭଳି ଭାବେ ସକ୍ରିୟ ରହିଛି ଆଉ ଖାସ୍‌ କରି ଦିଲ୍ଲୀରେ କ୍ଷମତା ହାତେଇବା ପାଇଁ ଯେଉଁପ୍ରକାର ରଣନୀତି ଆପଣାଉଛି, ସେଥିରେ କେଜ୍ରିୱାଲଙ୍କ ଇସ୍ତଫା ବିଜେପି ପାଇଁ ମହୋଷଧି ପରି କାମ କରିବ ବୋଲି ଆଲେଚନା ହେଉଛି। ଅତୀତରେ କେଜ୍ରୱାଲଙ୍କ ରାସ୍ତାରେ ଆଉ ଦୁଇ ମୁଖ୍ୟମନ୍ତ୍ରୀ ଚାଲିଥିଲେ। ଏହାର ପରିଣାମ ମଧ୍ୟ ସମଗ୍ର ବିଶ୍ବ ଦେଖିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ହେମନ୍ତ ସୋରେନଙ୍କୁ ଏ କ୍ଷେତ୍ରରେ ଜ୍ବଳନ୍ତ ଉଦାହରଣ ଭାବେ ନିଆଯାଇପାରେ।

୨୦୧୫ରେ ଐତିହାସିକ ବିଜୟ ପାଇଥିଲା ଆପ୍:

ସବୁ ପୋଲ୍‌‌, ସବୁ ପୂର୍ବାନୁମାନକୁ ପଛରେ ପକାଇ ୭ ଫେବୃଆରୀ ୨୦୧୫ରେ ଆପ୍ ଐତିହାସିକ ବିଜୟ ହାସଲ କରିଥିଲା। ଦିଲ୍ଲୀ ନିର୍ବାଚନରେ ୭୦ ଆସନରୁ ପାଇଲେ ୬୭। ସାଧାରଣ ଜନତାର ଆସ୍ଥାଭାଜନ କରିଥିଲା ଆପ୍‌‌ ଦଳ। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଇଦାନରେ ଯୋଗଦେଇ ଆପ୍‌‌ ଓ କଂଗ୍ରେସ ଦଳ ଉପରେ ପ୍ରବଳ ବର୍ଷିବା ପରେ ବି ଆପ୍‌ର ଏକ ଅସମ୍ଭବ ବିଜୟ ହୋଇଥିଲା। ଭାରତର ରାଜଧାନୀ ଦିଲ୍ଲୀ ଯେଉଁଠାରେ ଭୋଟର ସବୁଠାରୁ ଅଧିକ ସଚେତନ ଓ ପ୍ରତିଷ୍ଠିତ ବ୍ୟକ୍ତିମାନେ ରୁହନ୍ତି ବୋଲି କୁହାଯାଏ । କଂଗ୍ରେସ ପୁରାପୁରି ପଛରେ ରହିଥିଲା। ଆମ୍‌‌ ଆଦମୀ ପାର୍ଟି(ଆପ୍‌‌) ଏବଂ ବିଜେପି ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେଉଥିଲା।

ନିର୍ବାଚନରେ ବିଜେପିର ବଡ଼ ବଡ଼ ଟାଣୁଆ ନେତା ମଧ୍ୟ ହାରିଥିଲେ। କିରଣ ବେଦୀଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ବିପକ୍ଷରେ କ୍ଷେପଣାସ୍ତ୍ର କରି ଛାଡ଼ିଥିଲା ବିଜେପି। କିନ୍ତୁ ଫଳ ଓଲଟା ହେଲା - ବେଦୀଙ୍କୁ ଆଗରେ ରଖି ନିର୍ବାଚନ ପ୍ରଚାର କରାଯାଇଥିଲା। ୨୦୧୪ ସାଧାରଣ ନିର୍ବାଚନରେ ଦିଲ୍ଲୀବାସୀ ଆପ୍‌‌ ଅପେକ୍ଷା ବିଜେପିକୁ ଅଧିକ ପସନ୍ଦ କରିଥିଲେ। ୨୦୧୩ ଦିଲ୍ଲୀ ନିର୍ବାଚନ ସମୟରେ ବିଜେପିକୁ ୩୧ ଆସନ ମିଳିଥିଲାବେଳେ ଆପ୍‌‌କୁ ୨୮ଟି ଆସନ ଓ କଂଗ୍ରେସକୁ ୮ଟି ମିଳିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ଦିଲ୍ଲୀର ସାତଟି ଯାକ ଲୋକସଭା ଆସନ ବିଜେପି ସପକ୍ଷରେ ଯାଇଥିଲା। ଗୋଟିଏ ହେଲେ ଆସନ କଂଗ୍ରେସ କି ଆପ୍‌‌କୁ ଯାଇନଥିଲା। କିନ୍ତୁ ୨୦୧୫ରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ପ୍ରାୟ ସବୁଯାକ ଆପ୍‌‌ ନେଇଯାଇଛି କହିଲେ ଚଳେ। କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲା ବେଳେ ବିଜେପି ମାତ୍ର ୩ଟି ପାଇଛି। ସାଧାରଣ ଜନତାର ବିଜୟ ହୋଇଛି ବୋଲି ଖୋଦ୍‌ କେଜ୍ରିୱାଲ କହିଥିଲେ।

ଦିଲ୍ଲୀକୁ ମିଳିଲା ପୁଣି ମହିଳା ମୁଖ୍ୟମନ୍ତ୍ରୀ:

ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ପରେ ଆତିଶୀଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ଆମ ଆଦମୀ ପାର୍ଟିର ବିଧାୟକ ଦଳ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅରବିନ୍ଦ କେଜରିୱାଲଙ୍କ ପରେ ବର୍ତ୍ତମାନ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ଏହାପୂର୍ବରୁ ଶୀଲା ଦୀକ୍ଷିତ ଏବଂ ସୁଷମା ସ୍ବରାଜ ମଧ୍ୟ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି। ଅତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆତିଶୀ ୮ ଜୁନ ୧୯୮୧ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଉଭୟ ମାତାପିତା ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର ରହିଛନ୍ତି। ପିତାଙ୍କ ନାମ ବିଜୟ ସିଂ ଏବଂ ମାତାଙ୍କ ନାମ ତ୍ରିପଟା ସିଂ। ଏହାପୂର୍ବରୁ ଆତିଶୀ ତାଙ୍କର ସମ୍ପୂର୍ଣ୍ଣ ନାମ ‘ଅତିଶୀ ମାର୍ଲେନା’ ଲେଖୁଥିଲେ।

କାହିଁକି ଅତିଶୀଙ୍କ ନାମରୁ ‘ମାର୍ଲେନା’ ହଟାଗଲା ?

ଅତିଶୀ ମାର୍ଲେନାଙ୍କ ନାମ ପଛରେ ଏକ ରୋଚକ କାହାଣୀ ମଧ୍ୟ ଅଛି। ଖବର ଅନୁଯାୟୀ, ତାଙ୍କ ପିତା ମାର୍କ୍ସ ଏବଂ ଲେନିନଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଏବଂ ଉଭୟଙ୍କୁ ମିଶାଇ ତାଙ୍କ ଝିଅର ନାମରେ ‘ମାର୍ଲେନା’ ଯୋଡିଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଅତିଶୀ ମାର୍ଲେନାକୁ ତାଙ୍କ ନାମରୁ ହଟାଇ ଦେଇଥିଲେ। ହଟାଇବାର ମୁଖ୍ୟକାରଣ ଥିଲା ବିରୋଧୀ ଏହି ପ୍ରସଙ୍ଗକୁ ମୁଦ୍ଦା କରୁଥିଲେ।

୨୦୧୫ରୁ ୨୦୧୮ପର୍ଯ୍ୟନ୍ତ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରୀ ମନୀଷ ସିସୋଡିଆଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ସେ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ବିଜେପିର ଗୌତମ ଗମ୍ଭୀରଙ୍କ ଠାରୁ ପରାଜୟ ବରଣ କରିଥିଲେ। ଆତିଶୀ ଦିଲ୍ଲୀର ସ୍ପ୍ରିଙ୍ଗଡେଲ ସ୍କୁଲରୁ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏହା ବ୍ୟତିତ ସେ ଚିଭିଙ୍ଗ ସ୍କଲାରସିପରେ ଅକ୍ସଫୋର୍ଡ ୟୁନିଭରସିଟିରୁ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ ହାସଲ କରିଛନ୍ତି। ଆତିଶୀ ଆରମ୍ଭରୁ ଆମ ଆଦମୀ ପାର୍ଟି ସହିତ ଜଡିତ ଥିଲେ। ୨୦୧୩ରେ ଯେତେବେଳେ ଦଳ ଏହାର ମାନିଫେଷ୍ଟୋ ପ୍ରସ୍ତୁତ କରିବାକୁ ଏକ କମିଟି ଗଠନ କଲା, ସେତେବେଳେ ଅତିଶୀ ମଧ୍ୟ ଏଥିରେ ସ୍ଥାନ ପାଇଲେ।

ଅତିଶୀଙ୍କ ସ୍ବାମୀଙ୍କ ନାମ ପ୍ରବୀଣ ସିଂ। ପ୍ରବୀଣ ଜଣେ ଗବେଷକ ଏବଂ ଶିକ୍ଷାବିତ୍‌। ପ୍ରବୀଣ ସିଂ ଆଇଆଇଟି ଦିଲ୍ଲୀରୁ ଅଧ୍ୟୟନ କରିଛନ୍ତି ଏବଂ ପରେ ଆଇଆଇଏମ ଅହମ୍ମଦାବାଦରୁ ମଧ୍ୟ ଅଧ୍ୟୟନ କରିଛନ୍ତି। ୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ଆତିଶୀ ଦେଇଥିବା ନିର୍ବାଚନ ଆଫିଡେଭିଟ ଅନୁଯାୟୀ ତାଙ୍କର ୧ କୋଟି ୪୧ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ରହିଛି। ଏଥିରେ ତାଙ୍କ ସ୍ବାମୀଙ୍କର ସମ୍ପତ୍ତି ମଧ୍ୟ ଜଡ଼ିତ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୨୦୧୯ରେ ନିର୍ବାଚନ ସତ୍ୟପାଠରେ ଆତିଶୀ ଦର୍ଶାଇଥିଲେ ଯେ, ତାଙ୍କ ପାଖରେ କାର ଏବଂ ଅଳଙ୍କାର ନାହିଁ।

ତେବେ ଦିଲ୍ଲୀରେ ଆଗକୁ ନିର୍ବାଚନ ହେବ। ନିର୍ବାଚନରେ କିପରି ଗୋଟି ଚଳାଇବେ ଅରବିନ୍ଦ, ତାହା ଦେଖିବାକୁ ବାକି ରହିଲା।

 

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

E-mail id: serveforthenation@gmail.com