ବିଜେଡିର ମିଶନ ୨୦୨୪ : ନବୀନ ନିବାସରେ ବିଜେଡି ସାଙ୍ଗଠନିକ ସମୀକ୍ଷା ବୈଠକ

୨୦୨୪ ନିର୍ବାଚନ ପାଇଁ ଏବେ ଠାରୁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛି ବିଜେଡି ।

CM Naveen Patnaik

ପଞ୍ଚାୟତ, ପୌର ନିର୍ବାଚନର ସଫଳତା ପରେ ୨୦୨୪ ପାଇଁ ବିଜେଡି ମିଶନ ଆରମ୍ଭ କରିଛି । ପ୍ରାରମ୍ଭିକ ଭାବେ ଦଳ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ନେଇ ସାଂଗଠନିକ ସ୍ଥିତି ସମୀକ୍ଷା ଆରମ୍ଭ କରିଛି । ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସବଭନ ନବୀନ ନିବାସରେ ବିଜେଡିର ସାଙ୍ଗଠନିକ ସମୀକ୍ଷା ବୈଠକ ଚାଲିଛି ।

ପ୍ରଥମ ପର୍ଯ୍ୟାୟରେ କୋରାପୁଟ୍, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ନବରଙ୍ଗପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଭଳି ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ରଣନୀତି ପ୍ରସ୍ତୁତ କରାଯାଉଛି । ବିଭିନ୍ନ ପର୍ଯ୍ୟାୟରେ ଏହି ସମୀକ୍ଷା ବୈଠକ ଚାଲିବ । ପଞ୍ଚାୟତ, ପୌର ନିର୍ବାଚନ ଫଳାଫଳ ନେଇ ଆଲୋଚନା କରାଯାଇଛି । ଆଗାମୀ ଦିନରେ ଦଳକୁ ଅଧିକ ମଜଭୁତ କରାଯିବ , ତାଉପରେ ଧ୍ୟାନ ଦିଆଯାଉଛି ।

ସେପଟେ ଖୁବ୍‌ଶୀଘ୍ର ବିଜେଡିରେ ନବକଳେବର ହୋଇପାରେ ବୋଲି କୁହାଯାଉଛି । ମନ୍ତ୍ରିମଣ୍ଡଳ ସହ ବଦଳିବ ବିଜେଡିର ସାଙ୍ଗଠନିକ ଢାଞ୍ଚା । ଟାର୍ଗେଟରେ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ଚାଲିଛି ଅଙ୍କକଷା । ୨୪ ବର୍ଷର କ୍ଷମତା ପରେ ୨୦୨୪ ବିଜେଡି ପାଇଁ ହେବ ବଡ ଚ୍ୟାଲେଞ୍ଜ । ତେଣୁ ଏବେଠୁ ଦଳ ତାର ଷ୍ଟ୍ରାଟେଜୀ ଆରମ୍ଭ କରିଛି । ଗଠନ କରୁଛି ୱାର୍କିଂ ଟିମ୍ । ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ କରିବା ଲକ୍ଷ୍ୟରେ କାମ କରାଯାଉଛି ।

ମନ୍ତ୍ରୀମଣ୍ଡଳ ଅପେକ୍ଷା ସଙ୍ଗଠନକୁ ବେଶି ଗରୁତ୍ୱ ଦେଉଛି ଦଳ । ୱାର୍ଡ, ବୁଥ୍‌ରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ଦଳ ତାର ସାଙ୍ଗଠନିକ ଶକ୍ତିକୁ ସୁଦୃଢ଼ କରିବ । ତେଣୁ କୁହାଯାଉଛି ଯେ, ସବୁ ସ୍ତରରେ ଦଳର ହେବ ନବକଳେବର । ନୂଆ ପଦବୀ ସୃଷ୍ଟି ସହ କିଛି ନେତାଙ୍କୁ ସଙ୍ଗଠନର ଦାୟିତ୍ୱ ଦେବାକୁ ଚାଲିଛି କସରତ । ୨୦୧୭ ଫର୍ମୁଲା ଭଳି ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ମନ୍ତ୍ରୀଙ୍କୁ ସଙ୍ଗଠନ କାମରେ ଲଗାଯିବ । କିଛି ବରିଷ୍ଠ ନେତାଙ୍କୁ ମାଗଦର୍ଶକ ବା ଉପଦେଷ୍ଟା ଭୂମିକାରେ ରଖାଯିବ ।