Advertisment

ଟିମ୍ ଇଣ୍ଡିଆର ବ୍ରହ୍ମାସ୍ତ୍ର ବୁମ୍‌ରା

ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍‌ରାଙ୍କ ହାତରେ ଯେତେବେଳେ ବଲ୍ ଥାଏ ଆଉ ସେ ମୁକାବିଲା ପାଇଁ ମଇଦାନରେ ଥାଆନ୍ତି, ସେତେବେଳେ ସବୁ କିଛି ବଦଳିଯାଏ। ବିଶ୍ୱର ବଡ଼ ବଡ଼ ବ୍ୟାଟର୍ ତାଙ୍କର ସାମ୍ନା କରିବାକୁ ମଧ୍ୟ ଭୟ କରନ୍ତି। ନିଜ ପ୍ରଦର୍ଶନ ଯୋଗୁଁ ଆଜି ପୁଣି ଚର୍ଚ୍ଚାକୁ ଆସିଛନ୍ତି ବୁମ୍‌ରା। ଆସନ୍ତୁ ତାଙ୍କ ବିଷୟରେ ଅଧିକ ଜାଣିବା…

ଅଦ୍ୟତନ ହୋଇଛି
Why jasprit bumrah is in headline

Why jasprit bumrah is in headline

Advertisment

ମାର୍ଭଲ୍ ସିନେମାଟିକ୍ ୟୁନିଭର୍ସର ଚଳଚ୍ଚିତ୍ରଗୁଡ଼ିକରେ ବଜ୍ରଧ୍ୱନିର ଦେବତା ‘ଥୋର୍’ ଚରିତ୍ରଟି ଖୁବ୍ ଲୋକପ୍ରିୟ। ଥୋର୍‌ଙ୍କ ମହାବଳୀ ରୂପ ସେତିକିବେଳେ ଦେଖିବାକୁ ମିଳେ ଯେତେବେଳେ ତାଙ୍କ ହାତରେ ହାଥୁଡ଼ି ଥାଏ। ଏହି ଥୋର୍ ଚରିତ୍ର ସହ ଭାରତୀୟ ଦ୍ରୁତ ବୋଲର୍ ଯଶପ୍ରୀତ ବୁମ୍‌ରାଙ୍କ ସାମଞ୍ଜସ୍ୟ ରହିଛି।

Advertisment

ବୁମ୍‌ରା ବହୁତ ଲାଜକୁଳା ଜଣାପଡ଼ନ୍ତି। ତାଙ୍କ କଥାବାର୍ତ୍ତା ଓ ଆଚରଣରେ ସାଧାରଣତଃ ଆକ୍ରମଣାତ୍ମକତା ଦେଖିବାକୁ ମିଳେ ନାହିଁ; କିନ୍ତୁ ଯେତେବେଳେ ତାଙ୍କ ହାତରେ ବଲ୍ ଥାଏ ଆଉ ସେ ମୁକାବିଲା ପାଇଁ ମଇଦାନରେ ଥାଆନ୍ତି, ସେତେବେଳେ ସବୁ କିଛି ବଦଳିଯାଏ। ବିଶ୍ୱର ବଡ଼ ବଡ଼ ବ୍ୟାଟର୍ ତାଙ୍କର ସାମ୍ନା କରିବାକୁ ଭୟ କରନ୍ତି। ନିଜ ପ୍ରଦର୍ଶନ ଯୋଗୁଁ ଆଜି ପୁଣି ଚର୍ଚ୍ଚାକୁ ଆସିଛନ୍ତି ‘ବୁମ୍ ବୁମ୍’ ବୁମ୍‌ରା।

ଜଣେ ୟର୍କର ବିଶେଷଜ୍ଞ ଭାବେ ଆନ୍ତର୍ଜାତିକ କ୍ରିକେଟ୍‌କୁ ଆସିଥିବା ବୁମ୍‌ରା ଏବେ ଭାରତୀୟ ଟିମ୍‌ର ମୁଖ୍ୟ ପେସର୍ ତଥା ଅଭିନ୍ନ ଅଙ୍ଗ। ସେ ଟିମ୍ ପାଇଁ ବ୍ରହ୍ମାସ୍ତ୍ର ସଦୃଶ। ତାଙ୍କ ଅନୁପସ୍ଥିତିରେ ଟିମ୍‌ର ବୋଲିଂ ବାହିନୀ ଦୁର୍ବଳ ମନେ ହୁଏ।

Advertisment

ଭାରତୀୟ କ୍ରିକେଟ୍ ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଭାରତ ଟି-୨୦ ଶୃଙ୍ଖଳା ୨-୧ରେ ଜିତିଥିଲେ ହେଁ ଶେଷ ମ୍ୟାଚ୍‌ରେ ପ୍ରମୁଖ ବୋଲର୍‌ଙ୍କ ଅନୁପସ୍ଥିତି ଯୋଗୁଁ ଟିମ୍ ପରାଜିତ ହୋଇଥିଲା। ଭାରତୀୟ ବୋଲର୍ ଯେତେବେଳେ ୨୦୦ରୁ ଅଧିକ ରନ୍ ଦେଇଥିଲେ, ସେତେବେଳେ ଯଶପ୍ରୀତ ବୁମ୍‌ରା-ମହମ୍ମଦ ଶାମୀଙ୍କ ଅଭାବ ଅନୁଭୂତ ହୋଇଥିଲା। ସେମାନେ ଥିଲେ, ପୂର୍ବ ଦୁଇ ମ୍ୟାଚ୍‌ରେ ସହଜରେ ଜିତିଥିବା ଟିମ୍ ଇଣ୍ଡିଆ ଶେଷ ମ୍ୟାଚ୍‌ରେ ଏମିତି ହାରି ନ ଥା’ନ୍ତା। ହୁଏତ ଜିତିଥା’ନ୍ତା, ଶୃଙ୍ଖଳା ମୂଳପୋଛ କରିଥା’ନ୍ତା।

ଟି-୨୦ ପରେ ଜୁଲାଇ ୧୨ରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହୋଇଛି। ପ୍ରଥମ ଦିନିକିଆରେ ଭାରତ ଯେଭଳି ଶକ୍ତି ପ୍ରଦର୍ଶନ କରିଥିଲା, ତାହା ଅପ୍ରତ୍ୟାଶିତ ଥିଲା। ବ୍ୟାଟିଂରେ ଇଂଲଣ୍ଡ ଟିମ୍ ଭାରତ ବିପକ୍ଷରେ ସର୍ବନିମ୍ନ ଦିନିକିଆ ସ୍କୋର୍ (୧୧୦ ରନ୍) କରିଥିଲା। ଏହାପରେ ଭାରତ ୧୦ ଓ୍ୱିକେଟ୍‌ରେ ବିଜୟୀ ହୋଇଥିଲା। ଦିନିକିଆ କ୍ରିକେଟ୍‌ରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଥର କୌଣସି ଓ୍ୱିକେଟ୍ ନ ହରାଇ ମ୍ୟାଚ୍ କରାୟତ୍ତ କରିଥିଲା।

Advertisment

ଏହି ବଡ଼ ସଫଳତା ପଛରେ ଯାହାଙ୍କର ମୁଖ୍ୟ ଭୂମିକା ଥିଲା, ସେ ହେଲେ ବୁମ୍‌ରା। ସେ ମାତ୍ର ୧୯ ରନ୍ ଦେଇ ୬ ଓ୍ୱିକେଟ୍ ଅକ୍ତିଆର କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିଅରର ସର୍ବଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା। ସେ ୧୯ ବର୍ଷ ପୁରୁଣା ଆଶିଷ ନେହରା (୨୩/୬)ଙ୍କ ରେକର୍ଡ ବି ଭାଙ୍ଗିଥିଲେ। ଇଂଲଣ୍ଡ ଠାରୁ ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଟିମ୍ ବଡ଼ ବ୍ୟବଧାନରେ ପରାଜିତ ହୋଇଥିଲେ ମଧ୍ୟ ବୁମ୍‌ରା ସେହି ମ୍ୟାଚ୍‌ରେ ୨ ଓ୍ୱିକେଟ୍ ନେଇଥିଲେ।

ଗୋଟିଏ ସମୟରେ ଆଇପିଏଲ୍‌ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଜଣେ ଦ୍ରୁତ ବୋଲର୍‌ଙ୍କ ସନ୍ଧାନରେ ଥିବା ବେଳେ ଅଧିନାୟକ ବିରାଟ କୋହଲି ଗୁଜରାଟର ଏହି ଯୁବ ବୋଲରଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରି ନ ଥିଲେ। ଏବେ କ୍ୟାରିଅରର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା କୋହଲି ହୁଏତ ପରବର୍ତ୍ତୀ ସମୟରେ ଏ କଥା ବୁଝିପାରିଥିବେ।

ବୁମ୍‌ରା ଆଜି ଆଇପିଏଲ୍‌ରେ ପାଞ୍ଚ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ଜଣେ ପ୍ରମୁଖ ସଦସ୍ୟ। ଅନ୍ୟପଟେ, କୋହଲି ଯେଉଁ ଆର୍‌ସିବିର ନେତୃତ୍ୱ ନେଉଥିଲେ, ସେହି ଟିମ୍ ଥରେ ବି ବିଜେତା ହୋଇପାରି ନାହିଁ। ବାଙ୍ଗାଲୋର ଟିମ୍‌ରେ ଆଜି ବୁମ୍‌ରାଙ୍କ ସ୍ତରର ଭାରତୀୟ ବୋଲର୍ ନ ଥିବା ବିଡ଼ମ୍ବନାର ବିଷୟ।

ବୁମ୍‌ରା ୨୦୧୬ ଜାନୁଆରୀରେ ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକରେ ପଦାର୍ପଣ କରିଥିଲେ। ୨୦୧୮ରେ ସେ ଭାରତୀୟ ଟେଷ୍ଟ୍‌ ଟିମ୍‌ର ମଧ୍ୟ ଅଂଶବିଶେଷ ହୋଇଥିଲେ। ସେବେଠାରୁ ସେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛନ୍ତି।

ବୁମ୍‌ରା ଦିନିକିଆ କ୍ରିକେଟ୍‌ରେ ଏ ଯାବତ୍ ୭୧ ମ୍ୟାଚ୍‌ରେ ୧୧୯ ଓ୍ୱିକେଟ୍ ନେଇଛନ୍ତି। ତାଙ୍କ ଆଭରେଜ୍ ରହିଛି ୨୪.୩୦। ଏହି ଫର୍ମାଟ୍‌ରେ ୧୦୦+ ଓ୍ୱିକେଟ୍ ନେଇଥିବା ଅନ୍ୟ ଭାରତୀୟ ବୋଲର୍‌ଙ୍କର ଏତେ ଭଲ ଆଭରେଜ୍ ନାହିଁ। ତାଙ୍କ ଇକୋନୋମୀ ରେଟ୍ ରହିଛି ୪.୬୩। ଭାରତୀୟ ବୋଲର୍‌ଙ୍କ ମଧ୍ୟରେ କେବଳ ପେସର୍ କପିଳ ଦେବଙ୍କ ଇକୋନୋମୀ ରେଟ୍ ଏହାଠାରୁ ଉତ୍ତମ। ଟି-୨୦ରେ ବୁମ୍‌ରାଙ୍କ ଇକୋନୋମୀ ରେଟ୍ ୬.୪୬, ଯେଉଁଥିରେ ସେ ୬୯ ଓ୍ୱିକେଟ୍ ନେଇଛନ୍ତି।

ଚଳିତ ଇଂଲଣ୍ଡ ଗସ୍ତରେ ଏକମାତ୍ର ଟେଷ୍ଟ୍‌ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ତାଙ୍କୁ ଭାରତୀୟ ଟିମ୍‌ର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ସେ ଦ୍ୱିତୀୟ (କପିଳ ଦେବ ପ୍ରଥମ) ଦ୍ରୁତ ବୋଲର୍ ଭାବେ ଟେଷ୍ଟ୍‌ ଟିମ୍‌ର ନେତୃତ୍ୱ ନେଇଥିଲେ। ଭାରତ ଏହି ମ୍ୟାଚ୍ ହାରିଯାଇଥିଲେ ହେଁ ବୁମ୍‌ରା ଭଲ ବୋଲିଂ କରିଥିଲେ।

ବୁମ୍‌ରା ଆସିବା ପରଠାରୁ ବିଦେଶୀ ମାଟିରେ ଭାରତୀୟ ଟିମ୍ ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଥିଲା। ମହମ୍ମଦ ଶାମୀ, ଈଶାନ୍ତ ଶର୍ମାଙ୍କ ସମେତ ଅନ୍ୟ ପେସର୍‌ମାନଙ୍କୁ ଭଲ ସହଯୋଗ ମିଳିଥିଲା। ଏବେ ତ ବୁମ୍‌ରା ପେସ୍ ବାହିନୀର ନେତୃତ୍ୱ ନେଉଛନ୍ତି। ୨୦୧୮ ଜୁଲାଇ ଠାରୁ ଏ ଯାବତ୍ କ୍ରିକେଟ୍‌ର ତିନିଟିଯାକ ଫର୍ମାଟ୍‌କୁ ମିଶାଇ ସେ ବିଦେଶରେ ୬୦ ମ୍ୟାଚ୍‌ରୁ ୧୫୮ ଓ୍ୱିକେଟ୍ ନେଇଛନ୍ତି। ବିଶ୍ୱର ଅନ୍ୟ କୌଣସି ବୋଲର୍ ଏ ସମୟରେ ନିଜ ଦେଶ ବାହାରେ ଏତେ ଓ୍ୱିକେଟ୍ ନେଇପାରି ନାହାନ୍ତି।

ଉଭୟ ଆଇସିସି ଦିନିକିଆ ଓ ଟି-୨୦ ଆନ୍ତର୍ଜାତିକ ମାନ୍ୟତାରେ ବୁମ୍‌ରା ଏକ ନମ୍ବର ସ୍ଥାନରେ ରହିଛନ୍ତି। ଗୋଟିଏ ସମୟରେ ସେ ୭୩୦ ଦିନ ଧରି ଦିନିକିଆ ମାନ୍ୟତାର ଶୀର୍ଷରେ ଥିଲେ, ଯାହାକି ଭାରତୀୟ ବୋଲରଙ୍କ ମଧ୍ୟରେ ଏକ ରେକର୍ଡ।

ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆ ଠାରେ ଟି-୨୦ ବିଶ୍ୱକପ୍ ଖେଳାଯିବ। ଆସନ୍ତା ବର୍ଷ ଭାରତରେ ଦିନିକିଆ ବିଶ୍ୱକପ୍ ଆୟୋଜିତ ହେବ। ଟିମ୍ ଇଣ୍ଡିଆକୁ ଏହି ଦୁଇ ଟୁର୍ଣ୍ଣାମେଣ୍ଟ୍‌ ଜିତିବାକୁ ହେଲେ, ବୁମ୍‌ରାଙ୍କୁ ଉତ୍ତମ ବୋଲିଂ ପ୍ରଦର୍ଶନ କରିବାକୁ ହେବ। ଟିମ୍ ମ୍ୟାନେଜ୍‌ମେଣ୍ଟ ମଧ୍ୟ ବୁମ୍‌ରାଙ୍କ ଉପରେ ସେହି ଭରସା ରଖିଛି।

ଦୂରଭାଷ: ୯୪୩୮୧୭୯୨୧୯

ଇ-ମେଲ୍: biswasports@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Jasprit Bumrah IPL Jasprit Bumrah
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ