ଆସନ୍ତାକାଲି ଆକ୍ରମଣ କରିବ ଋଷ ! ୟୁକ୍ରେନ ରାଷ୍ଟ୍ରପତିଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା

ସମସ୍ତ ଶକ୍ତିର ମୁକାବିଲା କରିବୁ ବୋଲି ଭୋଲୋଡୋମିର ଜେଲେନସ୍କି କହିଛନ୍ତି । ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ପାଇଁ ୟୁକ୍ରେନ୍ ଚେଷ୍ଟା କରୁଛି ।

ସାଙ୍କେତିକ ଚିତ୍ର

ଋଷ ଓ ୟୁକ୍ରେନ ମଧ୍ୟରେ ବଢୁଛି ଉତ୍ତେଜନା । ୟୁକ୍ରେନ୍ ସୀମାରେ ଋଷିଆ ଲକ୍ଷାଧିକ ସୈନ୍ୟଠୁଳ କରୁଥିବା ଆନ୍ତର୍ଜାତିକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କିଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆସନ୍ତାକାଲି ଅର୍ଥାତ୍ ଫେବୃୟାରୀ ୧୬ରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିବ ବୋଲି ସୂଚନା ମିଳିଥିବା ସେ ଲେଖିଛନ୍ତି । ଆଉ ସେହି ଦିନକୁ ୟୁକ୍ରେନ୍ ଏକତା ଦିବସ ଭାବେ ପାଳନ କରିବ ।

ତେବେ ସୂଚନା ମିଳିବା ପରେ ସମସ୍ତ ଶକ୍ତିର ମୁକାବିଲା କରିବୁ ବୋଲି ଭୋଲୋଡୋମିର ଜେଲେନସ୍କି କହିଛନ୍ତି । ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ପାଇଁ ୟୁକ୍ରେନ୍ ଚେଷ୍ଟା କରୁଛି । ସେପଟେ ୟୁକ୍ରେନ୍ ସୀମାରେ ଋଷିଆ ଅଧିକ ସେନାଠୁଳ କରୁଥିବା ଆମେରିକାର ଅଭିଯୋଗ କରିଛି । ତେବେ ଚୀନ,ଋଷିଆକୁ ସମର୍ଥନ କରୁଥିବାରୁ ଆମେରିକା ନିନ୍ଦା କରିଛି । ୟୁକ୍ରେନ୍-ଋଷ ଯୁଦ୍ଧ ଆଶଙ୍କାକୁ ନେଇ ସାରାବିଶ୍ୱରେ ଷ୍ଟକ୍ ମାର୍କେଟରେ ଅସ୍ଥିରତା ଦେଖାଦେଇଛି ।

ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦର ତିନୋଟି ମୁଖ୍ୟ କାରଣ

ଋଷ ଏବଂ ୟୁକ୍ରେନ ମଧ୍ୟରେ ବିବାଦର ପ୍ରଥମ ପ୍ରକୃତ କାରଣ ହେଉଛି କ୍ରିମିଆ ପ୍ରାୟଦ୍ୱୀପ, ଯାହା ପୂର୍ବରୁ ୟୁକ୍ରେନର ଏକ ଅଂଶ ଥିଲା । ୨୦୧୪ ୟୁକ୍ରେନରୁ କ୍ରିମିଆ ପ୍ରାୟଦ୍ୱୀପକୁ ଅଲଗା କରିଦେଇଥିଲେ ଋଷ୍ । ଆଉ ସେବେଠାରୁ ଉଭୟ ସେଶ ମଧ୍ୟରେ ବହୁତ ତିକ୍ତତା ଦେଖାଦେଇଛି । ୟୁକ୍ରେନ ଏହି ଅଞ୍ଚଳକୁ ଫେରିବାକୁ ପାଇବାକୁ ଚାହୁଁଥିବା ବେଳେ ଋଷ ସବୁଠାରୁ ବଡ ପ୍ରତିବନ୍ଧକ ପାଲଟିଛି । ଏହି ପ୍ରସଙ୍ଗରେ ଆମେରିକା ଏବଂ ପଶ୍ଚିମୀ ଦେଶଗୁଡ଼ିକ ୟୁକ୍ରେନ ସହିତ ଥିବାବେଳେ ଋଷ ଏକା ଲଢ଼େଇ କରିବାକୁ ମନସ୍ଥ କରିଛି ।

ଏହି ବିବାଦର ଦ୍ୱିତୀୟ କାରଣ ହେଲା ବର୍ତ୍ତମାନ ନାର୍ଡ ଷ୍ଟ୍ରିମ୍ 2 ପାଇପଲାଇନ ମଧ୍ୟ ତିଆରି ହୋଇଯାଇଛି । ଆଉ ଏହି ପାଇପ୍ ଲାଇନ୍‌ ମାଧ୍ୟମରେ ଋଷ ବର୍ତ୍ତମାନ ଜର୍ମାନୀ ସମେତ ୟୁରୋପର ଅନ୍ୟ ଦେଶକୁ ସିଧାସଳଖ ତେଲ ଏବଂ ଗ୍ୟାସ ଯୋଗାଇବାରେ ସକ୍ଷମ ହେବ । ହେଲେ ଏହି କାରଣରୁ ୟୁକ୍ରେନ ଏକ ବୃହତ୍ ଆର୍ଥିକ କ୍ଷତି ସହିବ । କାରଣ ଏପର୍ଯ୍ୟନ୍ତ ୟୁକ୍ରେନ ରାସ୍ତା ଦେଇ ୟୁରୋପକୁ ଯାଉଥିଲା ପାଇପଲାଇନ, ଆଉ ଏଥିରୁ ତାକୁ ବହୁତ ରୋଜଗାର ମିଳୁଥିଲେ । କିନ୍ତୁ ବର୍ତ୍ତମାନ ନାର୍ଡ ଷ୍ଟ୍ରିମ ପାଇପଲାଇନ୍ ପାଇଁ ଏହି ରୋଜଗାର ଶେଷ ହେବା ଉପରେ ।

ସେପଟେ ଜର୍ମାନୀ ନାର୍ଡ ଷ୍ଟ୍ରିମକୁ ଅନୁମୋଦନ କରୁ ବୋଲି ଚାହୁଁନି ଆମେରିକା । ଏହାଦ୍ୱାରା ୟୁରୋପ ଋଷ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିବ ବୋଲି ଆମେରିକା ପକ୍ଷରୁ କୁହାଯାଉଛି । ଜର୍ମାନୀର ଅନୁମୋଦନର ସ୍ୱତନ୍ତ୍ର କାରଣ ରହିଛି, କାରଣ ଏହା ୟୁରୋପର ବୃହତ୍ତମ ଅର୍ଥନୀତି ଏବଂ ଋଷ ପ୍ରାୟତ ଜର୍ମାନୀକୁ ରପ୍ତାତୀ କରେ ।ଏହି ପରିପ୍ରେକ୍ଷୀରେ ଉଭୟ କ୍ରିମିୟା ଏବଂ ନାର୍ଡ ଷ୍ଟ୍ରିମ୍-୨ ଉଭୟ ବିବାଦ ମଧ୍ୟରେ ରହିଛି ।

ୟୁକ୍ରେନ ନାଟୋରେ ସାମିଲ ହେବା ପାଇଁ ଚାହୁଁଥିବା ବେଳେ ଏହା ଉଭୟ ଦେଶ ମଧ୍ୟରେ ବିବାଦର ତୃତୀୟ କାରଣ ବୋଲି କୁହାଯାଉଛି | ଆମେରିକା ମଧ୍ୟ ଚାହୁଁଛି ଯେ ୟୁକ୍ରେନ ନାଟୋର ସଦସ୍ୟ ହେଉ । ଅନ୍ୟପଟେ ନାଟୋର ସଦସ୍ୟ ନହେବା ପାଇଁ ୟୁକ୍ରେନ ଠାରୁ ଆଇନଗତ ଗ୍ୟାରେଣ୍ଟି ମାଗିଛି ଋଷ୍ ।