କୋରାପୁଟ ବନବିଭାଗର ନିଆରା ପ୍ରୟାସ, ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ

ଜାପାନୀଜ୍‌ ପଦ୍ଧତିରେ ଚାଲିଛି ମିୟାୱାକି ବନୀକରଣ। ମାତ୍ର ୩୦ ବର୍ଷ ଭିତରେ ସୃଷ୍ଟି ହେବ ଘଂଚ ଜଙ୍ଗଲ। ଏମିତି ପଦ୍ଧତିରେ ତିଆରି ହେଉଥିବା ବନୀକରଣ ଅଂଚଳରେ ପ୍ରବଳ ବର୍ଷା ହେବ, ପାଣିର କୌଣସି ସମସ୍ୟା ହେବନି। ପରିବେଶ ପ୍ରଦୂଷଣରୁ ମିଳିବ ମୁକ୍ତି, ସୃଷ୍ଟି ହେବ ପ୍ରବଳ ଅମ୍ଲଜାନ ।

Japanese Technology

ଭଳି କି ଭଳି ଗଛ ସାଙ୍ଗକୁ ଚାରିପଟେ ସବୁଜ ପରିବେଶ । ତାହାବି ଆଲଫାବେଟିକାଲ ଅନୁସାରେ ଗୋଟିଏ ପରେ ଗୋଟିଏ ଗଛ ରୋପଣ କରାଯାଇଛି । ଆଉ ଏହି ଦୃଶ୍ୟ ଏକ ପାର୍କର ଭ୍ରମ ସୃଷ୍ଟି କରୁଛି । କିନ୍ତୁ ଏହା କୌଣସି ପାର୍କର ନୁହେଁ ବରଂ ବନବିଭାଗ ଦ୍ୱାରା ଜାପାନୀଜ ପ୍ରକ୍ରିୟାରେ କରାଯାଇଥିବା ମିୟାୱାକି ବନିକରଣ ।

ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ଲକ୍ଷ୍ୟରେ କାମ କରୁଛି ବନବିଭାଗ । ସେଥିପାଇଁ ଭଳିକି ଭଳି ଔଷଧୀୟ ଗଛ ସହ ବିଭିନ୍ନ କିଷମର ଫଳ ଉଦ୍ୟାନ କରାଯାଇଛି । ଆଉ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୂତଳ ଜଳ ସୃଷ୍ଟି କରିବା ସାଙ୍ଗକୁ ପ୍ରଦୂଷଣ ମୁକ୍ତ ପରିବେଷ ସୃଷ୍ଟି କରିବା ।

ତେବେ ଏହି ବନିକରଣର ବିଶେଷତ୍ୱ ବହୁ ଅଧିକ। କାରଣ ଭାରତୀୟ ବୃକ୍ଷ ରୋପଣ ପଦ୍ଧତିରେ କରାଗଲେ ଜଙ୍ଗଲ ସୃଷ୍ଟି ବା ବନିକରଣ ପାଇଁ ପାଖାପାଖି ଶହେ ବର୍ଷ ଲାଗିଯାଉଛି । କିନ୍ତୁ ଏହି ପ୍ରକ୍ରିୟା ଦ୍ୱାରା ଆସନ୍ତା ୩୦ବର୍ଷ ମଧ୍ୟରେ ବନିକରଣ ସୃଷ୍ଟି ହେବ । ଆଉ ଏହି ଦୃଶ୍ୟ ହିଁ ବୟାନ କରୁଛି ବାସ୍ତବିକ ସ୍ଥିତି । ଗତ ୮ମାସ ତଳେ ଜୟପୁର ସଦର ଅନ୍ତର୍ଗତ ମକାପୁଟରେ ବନିକରଣ ପାଇଁ ବୃକ୍ଷରୋପଣ ହୋଇଥିଲା ତାହା ଏବେ ଜଙ୍ଗଲ ପାଲଟିଛି ।

କୋରାପୁଟ ଜିଲ୍ଲାରେ ପ୍ରଥମ କରି ବନବିଭାଗ ପକ୍ଷରୁ ଏହି ମିୟାୱାକି ବନିକରଣ ସୃଷ୍ଟି କରାଯାଇଛି । ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଷ ବିଭାଗ ପକ୍ଷରୁ ରାଜ୍ୟର ସହରାଞ୍ଚଳରେ ଏପରି ବନିକରଣ ସୃଷ୍ଟି କରିବା ପାଇଁ ଯୋଜନା କରିଥିବାବେଳେ ପ୍ରଥମେ କୋରାପୁଟ ସମେତ ବୋରିଗୁମ୍ମା, କୋଟପଡା ଓ ବୈପାରିଗୁଡାରେ କରାଯାଇଛି । ଏଠାରେ ଔଷଧୀୟ ବୃକ୍ଷ ସହ ବିଭିନ୍ନ କିଷମର ଫଳ ପିଜୁଳି, ପଣସ, ନଡିଆ ଲେମ୍ବୁ ଗଛ ରୋପଣ କରାଯାଇଛି।

ଏପରିକି ତ୍ୱରିତ ରକ୍ଷଣାବେକ୍ଷଣ କରି ମିୟାୱାକି ବନିକରଣରେ ସ୍ଥାନୀୟ ଲୋକଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟ ରଖାଯାଇଛି। ଏପରି ଜାପାନୀଜ ପଦ୍ଧତିର ବୃକ୍ଷରୋପଣକୁ ପିରବେଶବିତମାନେ ମଧ୍ୟ ସ୍ୱାଗତ କରିବା ସହ ଅଧିକରୁ ଅଧିକ ସହରାଞ୍ଚଳରେ ବନିକରଣ ପାଇଁ ପ୍ରସ୍ତାବ ରଖିଛନ୍ତି । ଜାପାନୀଜ ପଦ୍ଧତିରେ ଭଳିକି ଭଳି ଔଷଦୀୟ ବୃକ୍ଷ ଓ ବିଭିନ୍ନ ବନ ସୃଷ୍ଟି କରି ସାଧାରଣରେ ଚର୍ଚ୍ଚାକୁ ଆସିଛି କୋରାପୁଟ ବନବିଭାଗ ।