ଟାଇଁ ଟାଇଁ ଖରାରୁ ବୁଲି ଆସିଲେ ଥଣ୍ତା ସମସ୍ତଙ୍କୁ ସାଧା ବରଫ ମିଶା ଥଣ୍ଡା ପାଣି, ଲେମ୍ୱୁ ପାଣି, ଲସି ଭଳି ଆରାମଦାୟକ ମୃଦୁପାନୀୟ ବେଶ ଭଲ ଲାଗେ । କିନ୍ତୁ ଏହି ଥଣ୍ତା ପାନୀୟଟି ଶରୀର ପାଇଁ କେତେ ସୁସ୍ଥ ତାହା ଜାଣିବା ନିହାତି ଦରକାର । ପିଲା ଠାରୁ ବଡ଼ ପର୍ଯ୍ୟନ୍ତ ସଭିଏଁ ବରଫରେ ତିଆରି ଚୁସକି ଖାଇବାକୁ ବେଶ୍ ଭଲ ପାଇଥାନ୍ତି । କିନ୍ତୁ ଏହି ଚୁସକି ତିଆରି ହେଉଥିବା ବରଫ କେମିତି ଓ କିପରି ଅବସ୍ଥାରେ ବଜାରକୁ ଆସୁଛି ତାହା ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ ।
ଆଇସ୍କ୍ରିମ୍ ଫ୍ୟାକ୍ଟ୍ରିରେ ତିଆରି ହେଉଥିବା ବରଫକୁ ଦେଖିଲେ ନିଜକୁ ବ୍ୟବହାର କରିବା ପାଇଁ ଖରାପ ଲାଗିବ । ପ୍ରାୟ ଏକ ହଜାର ସ୍କ୍ୱାୟାରଫିଟ୍ ଲମ୍ୱା ବିଶିଷ୍ଟ ହଲରେ ତିଆରି ହେଉଛି ବରଫ । ପ୍ରସ୍ତୁତି ପାଇଁ ତଳେ ରହିଛି ପ୍ରାୟ ୧୦୦ଟି ଚାମ୍ୱର । ସେଥିରେ ୬୦ କେଜିର ଗୋଟିଏ ଗୋଟିଏ ଆଇସ୍ କ୍ୟୁବ୍ ପ୍ରସ୍ତୁତ ହେଉଛି । ପ୍ରସ୍ତୁତ ହେବା ମାତ୍ରେ ତାକୁ ବାହାର କରାଯାଉଛି ଏବଂ ମାର୍କେଟକୁ ପଠାଯାଉଛି । ହେଲେ ଯେଉଁ ଭଳି ଅବସ୍ତାରେ ବଜାରକୁ ପଠା ଯାଉଛି ତାହା ନକହିବା ଭଲ ।
Also Read
ଯାହାକୁ ବ୍ୟବହାର କରିବା ଫଳରେ କୋଲେରା, ଟାଇଫଏଡ୍, ଫୁଡ଼ ପଏଜନିଂ, ୱାଟର ବଣ୍ଡ୍ ଡିଜିଜ୍ ହେବା ସ୍ୱାଭାବିକ । ଫ୍ୟାକ୍ଚ୍ରିରେ ଚପଲ ପିନ୍ଧି ବରଫ ଉପରେ ଲୋକେ ଚାଲୁଥିବା ସହ ଡେଲିଭରି ପାଇଁ ଲୋଡ୍ ହେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ବରଫକୁ ଖୁଚୁରା ବ୍ୟବସାୟୀ ଓ ଅନ୍ୟମାନେ କିଣି ବ୍ୟବହାର ମଧ୍ୟ କରୁଛନ୍ତି ।
ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ସାଧା ବରଫ୍ କିପରି ପ୍ରସ୍ତୁତ୍ ହେଉଛି ? ତା‘ର ମାନ କେମିତି ରହୁଛି ? ପିଏଚ୍ ଭ୍ୟାଲୁ କ‘ଣ ରହିବା କଥା ? ବ୍ୟବହୃତ ପାଣିର ଟିଡିଏସ୍(ଟୋଟାଲ ଡିଜଲ୍ଭ ସଲିଡ) କେତେ କାହାକୁ ଜଣା ନାହିଁ । ତେବେ କେତେକ ବରଫ ଫ୍ୟାକ୍ଟ୍ରି ମାଲିକ ମାନେ କହିଛନ୍ତି ଯେ, ମଣିଷଙ୍କ ବ୍ୟବହାର ପାଇଁ ଆମେ ବରଫ ତିଆରି କରୁ ନାହୁଁ । ମାଛ ଓ କୁଲିଂ ପାଇଁ ଦିନକୁ ପ୍ରାୟ ୩ ଟନ୍ ତିଆରି କରୁଛୁ ।
ହେଲେ ଫୁଡ୍ ସେଫଟି ଅଫିସର କହୁଛନ୍ତି ଯେ, ଫସାଇର ଗାଇଡ୍ ଲାଇନ ନମାନିବାରୁ ଆମେ ତାଙ୍କୁ ତାଗିଦ୍ କରିଛୁ । ସେମାନଙ୍କ ବରଫ ବ୍ୟବହାର ଯୋଗ୍ୟ ବୋଲି ମଧ୍ୟ କୁହାଯାଇଛି । ହେଲେ ସାଧାରଣ ଲୋକେ କାହା କଥାକୁ ବିଶ୍ୱାସ୍ କରିବେ ? ଉଭୟଙ୍କ କଥାର ତାଳ ମେଳ ଖାଉ ନାହିଁ । ସେମାନେ ଫସାଇର ଗାଇଡ ଲାଇନ ମଧ୍ୟ ମାନୁ ନାହାଁନ୍ତି ଓ ଲୋକଙ୍କୁ ପ୍ରତକ୍ଷ କିମ୍ୱା ପରୋକ୍ଷ ଭାବରେ ବରଫ ନାଁରେ ବିଷ ଦେଉଛନ୍ତି । ତାହା ଉପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି । ତାତି ପ୍ରଭାବରେ ସାଧାରଣ ଲୋକଟିଏ ବିନା ଚିନ୍ତା କରି ବିଷକୁ ଖାଦ୍ୟ ରୂପେ ଗ୍ରହଣ କରୁଛି ।