ବର୍ଷା ପାଣିରେ ଘରକୁ ଫେରିପାରିଲେନି ସ୍କୁଲପିଲା, ଗ୍ୟାରେଜ୍‌ରେ ବିତିଲା ରାତି

ଲଗାଣ ବର୍ଷାରେ ବେହାଲ ଛାତ୍ରଛାତ୍ରୀ । ବନ୍ୟା ପାଣିରେ ଭାସିଗଲା ସ୍କୁଲପିଲାଙ୍କ ସାଇକେଲ । ଗ୍ୟାରେଜ୍‌ରେ ଫସିରହିଗଲେ ସ୍କୁଲ୍ ପିଲା ।

School Students Stuck

ଲଗାଣ ବର୍ଷା ଯୋଗୁଁ ନାଳରେ ପାଣି ବଢ଼ିବା ଫଳରେ ସ୍କୁଲ୍‌ରୁ ଘରକୁ ଫେରିପାରିଲେନି ପିଲା । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଦିଗିଶିରା ଗାଁରେ । ଗାଁର ୧୦ରୁ ୧୨ ଜଣ ଛାତ୍ରଛାତ୍ରୀ ଘରକୁ ଫେରିନପାରି ନାଳ ଅପରପାର୍ଶ୍ୱରେ ଥିବା ଏକ ଗ୍ୟାରେଜରେ ଆଶ୍ରୟ ନେଇଥିଲେ । 

ଆଜି ପାଣି ସାମାନ୍ୟ କମିବା ପରେ ପରିବାର ଲୋକେ ପହଞ୍ଚି ପିଲାଙ୍କୁ ବିପଦଶଙ୍କୁଳ ଅବସ୍ଥାରେ ନାଳ ପାର କରାଇ ଘରକୁ ଆଣିଛନ୍ତି । ସୂଚନା ଅନୁଯାୟୀ ବଦ୍ଧ ହରଭଙ୍ଗା ବାଣୀଭୂଷଣପୁର ଡ଼ିଗିଶିରା ଗାଁର ୧୪ ଜଣ ଛାତ୍ରଛାତ୍ରୀ ଦୈନିକ ଲଷ୍ମୀନାଳ ଦେଇ ଚାରିଛକକୁ ପଢିବାକୁ ଆସିଥାନ୍ତି । ଗତକାଲି ମଧ୍ୟ ସବୁଦିନ ଭଳି ସ୍କୁଲ ଛୁଟି ହେବା ପରେ ପିଲାମାନେ ଘରକୁ ଫେରୁଥିଲେ । ବାଟରେ ପଡୁଥିବା ଲଷ୍ମୀନାଳ ପାର୍ ହେବା ସମୟରେ ହଠାତ ଉପର ମୁଣ୍ଡରେ ବର୍ଷା ଯୋଗୁଁ ବନ୍ୟାପାଣି ପ୍ରବାହିତ ହୋଇଥିଲା ।

ପିଲାମାନେ ନାଳ ପାର ହେବାକୁ ଚେଷ୍ଟା କରିବା ବେଳେ ୨ ଜଣଙ୍କର ସାଇକେଲ ବନ୍ୟା ପାଣିରେ ଭାସି ଯାଇଥିଲା । ତେବେ ସୌଭାଗ୍ୟ ବଶତଃ ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପରେ ନାଳ ପାର ନହୋଇ ପୁନର୍ବାର କୂଳକୁ ଫେରି ନାଳ ନିକଟରେ ଥିବା ଏକ ଗ୍ୟାରେଜ୍‌ରେ ଆଶ୍ରୟ ନେଇଥିଲେ । ଏ ଘଟଣା ପରେ ନାଳରେ ତୁରନ୍ତ ବ୍ରିଜ୍ ନିର୍ମାଣ ସହ ସାଇକେଲ ବାବଦକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ହରଭଙ୍ଗା ବିଡିଓ କହିଛନ୍ତି ।