ଜଗା ଜମିରେ ଖଣି ମାଫିଆଙ୍କ ରାଜ୍ : ଏନଜିଟି ସତ୍ୟପାଠରେ ସ୍ୱୀକାର କଲେ ସରକାର

ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତର ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଗାଁରେ ଥିବା ଶହ ଶହ ଏକର ଜଗନ୍ନାଥ ଜମିରେ ଚାଲିଛି ଲୁଟ୍ । ଦିନରେ ଖୋଳୁଛନ୍ତି ଆଉ ରାତି ହେଲେ ଚାଲାଣ ହେଉଛି । ସରକାରୀ ବାବୁମାନେ ଏକଥା ଯେ ଜାଣି ନାହାନ୍ତି, ତା ନୁହେଁ ଗ୍ରୀନ୍ ଟ୍ରିବୁନାଲରେ ସତ୍ୟପାଠ କରି ଖୋଦ୍ ଖୋର୍ଦ୍ଧା ଜିଲ୍ଲାପାଳ ବି ମାନିଛନ୍ତି

ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ ନିର୍ଦ୍ଦେଶ

News Summary

ପ୍ରଶାସନର ନାକ ତଳେ ବେଧଡ଼କ ଚାଲିଛି ମାଙ୍କଡ଼ା ପଥର ମହାଲୁଟ୍

ତଦନ୍ତ ପାଇଁ ଟାସ୍କଫୋର୍ସ ଗଠନ ନିର୍ଦ୍ଦେଶ

ଜଗନ୍ନାଥ ଜମିରେ ଖଣି ମାଫିଆଙ୍କ ରାଜ୍ । ସରକାରୀ ଜମି ତ ଖୋଳିଲେ, ମହାପ୍ରଭୁଙ୍କ ଜମି ବି ଛାଡିଲେନି । ଲୁଟ୍ ହେଉଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଖୋର୍ଦ୍ଧାର ଜିଲ୍ଲା ନିଜିଗଡ ତାପଙ୍ଗ ପଞ୍ଚାୟତରେ ଚାଲିଛି ଏହି ବେଆଇନ ଖଣି କାରବାର । ଜିଲ୍ଲାପାଳ, ଉପ-ଜିଲ୍ଲପାଳ, ତହସିଲ ଅଫିସ୍ ଠାରୁ ମାତ୍ର ୧୨ରୁ ୨୫ କିମି ଦୂରରେ ସ୍ପଷ୍ଟ ଦିବାଲୋକରେ ଖୋଳା ହେଉଛି, ଚାଲାଣ ଚାଲିଛି । ବଡ଼ କଥା ହେଲା ଖଣି ଚୋରି ଚାଲିଛି ବୋଲି ନ୍ୟାସନାଲ ଗ୍ରୀନ ଟ୍ରିବୁନାଲରେ ସତ୍ୟପାଠ ଦାଖଲ କରି ଖୋଦ୍ ଜିଲ୍ଲା ପ୍ରଶାସନ ବି ମାନିଛି । ହେଲେ ଏତେ ବଡ଼ ଲୁଟ୍ ନେଇ ନା କାହା ଉପରେ ମାମଲା ହୋଇଛି ନା ଫାଇନ୍ । ଏବେ ଏହି ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ସହ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧାର ନିଜିଗଡ଼ ତାପଙ୍ଗ ପଞ୍ଚାୟତ ଅଞ୍ଚଳର ପଞ୍ଚାୟତର ତାପଙ୍ଗ, ଅଣ୍ଡା ଓ ଝିଙ୍କିଝାରୀ ଗାଁରେ ଥିବା ଶହ ଶହ ଏକର ଜଗନ୍ନାଥ ଜମିରେ ଚାଲିଛି ଲୁଟ୍ । ଦିନରେ ଖୋଳୁଛନ୍ତି ଆଉ ରାତି ହେଲେ ଚାଲାଣ ହେଉଛି । ସରକାରୀ ବାବୁମାନେ ଏକଥା ଯେ ଜାଣି ନାହାନ୍ତି, ତା ନୁହେଁ ଗ୍ରୀନ୍ ଟ୍ରିବୁନାଲରେ ସତ୍ୟପାଠ କରି ଖୋଦ୍ ଖୋର୍ଦ୍ଧା ଜିଲ୍ଲାପାଳ ବି ମାନିଛନ୍ତି ।୨୧୪ ଏକରରୁ ଅଧିକ ଜମିରେ ବେଆଇନ୍ ଭାବେ ୫୯ଟି ଖଣି ଚାଲିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖୁଲମଖୁଲା ଖଣି ଖନନରୁ କାହାଠୁ ଟଙ୍କାଟିଏ ବି ଆଦାୟ କରିପାରି ନାହାନ୍ତି ସରକାର ।

 

ଏପଟେ କିନ୍ତୁ ଖୋଳା ଯାଇଥିବା ସ୍ଥାନର ପୁନରୁଦ୍ଧାର ପାଇଁ ପ୍ରାୟ ୧୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସତ୍ୟପାଠରେ ଲେଖିଛି ଜିଲ୍ଲା ପ୍ରଶାସନ । ହେଲେ ଏପର୍ଯ୍ୟନ୍ତ ନା ଗୋଟିଏ ମାମଲା ହୋଇଛି, ନା କାହାଠୁ ଫାଇନ ପାଇଁ ନୋଟିସ୍ ହୋଇଛି । ଅଭିଯୋଗ ପରେ ଉପ-ଜିଲ୍ଲପାଳଙ୍କୁ ପଚାରିବାରୁ ତାଙ୍କ କହିବା କଥା ଚଢ଼ାଉ ଚାଲିଛି ।

ଏବେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏନଜିଟି ଗୃହ ସଚିବ, ପୋଲିସ ଡିଜି ଏବଂ ରାଜ୍ୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ମିଳିତ ବୈଠକ କରି ୧୫ ମଧ୍ୟରେ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ରହିଛି । ଏହା ସହ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସିପିସିବି, ଏସ୍ଇଆଇଏଏର ଜଣେ ଅଧିକାରୀଙ୍କ ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନେଇ ଯୁଗ୍ମ କମିଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

ବେଆଇନ ପଥର କାରବାର କିପରି ବନ୍ଦ ହେବ, ପଥର ମାଫିଆଙ୍କୁ ଚିହ୍ନଟ କରାଯିବ । ଏହାସହ ସେମାନଙ୍କ ଠାରୁ କ୍ଷତିଭରଣା ଏବଂ ଖୋଳା ଯାଇଥିବା ସ୍ଥାନର ପୁନରୁଦ୍ଧାର ପାଇଁ ଏହି କମିଟି କାମ କରିବ । ଏନଜିଟିଙ୍କ ନିକଟରେ ୪ ମାସ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବ ଏହି କମିଟି । ବଡ଼କଥା ହେଲା ତିନିବର୍ଷ ଧରି ଏନଜିଟିରେ ମାମଲା ଚାଲିଥିଲା ବେଳେ ବଢ଼ିଚାଲିଛି ବେଆଇନ୍ ଖଣିର ସଂଖ୍ୟା । ଏମିତିକି ୨୦୧୮ରେ ମାମଲା ଆରମ୍ଭ ହେବା ସମୟରେ ୨୬ଟି ବେଆଇନ୍ ଖଣି ଚାଲିଥିଲାବେଳେ ଏବେ ଏହି ସଂଖ୍ୟା ୫୯ରେ ପହଞ୍ଚିଲାଣି ।

ରିପୋର୍ଟ - ବଳରାମ ଲେଙ୍କା ଓ ସୌମ୍ୟ ରଞ୍ଜନ ସାହୁ