ବନାରସରେ ସକାଳ ସବୁ କିଛି ଭୁଲାଇଦିଏ, ନିଜକୁ ଚିହ୍ନାଇଦିଏ

ଆଲୋକର ଏକ ହାଲକା କିରଣ ଥଳ ଥଳ ଜଳରାଶିରେ ବିଞ୍ଚି ହବା ଆରମ୍ଭ କରେ , ଯାହାର ଶୀତଳ ତେଜ ସମୀରରେ ମିଶି ମନରେ ଏକ ଉର୍ଜା ଜାଗ୍ରତ କରେ । ପଶ୍ଚିମାକାଶରେ ବୁଡି ବୁଡି ଯାଉଥିବା ଜହ୍ନ ଓ ମିଞ୍ଜି ମିଞ୍ଜି ତାରାଙ୍କ ପ୍ରତିବିମ୍ୱ, ଗଙ୍ଗାର ଜଳ ରାଶିରେ ଝୁଲି ଝୁଲି କୁହନ୍ତି ହେ ମାଆ , ବିଦାୟ ଦିଅ ଆଜି ପାଇଁ । କାରଣ ଯାହାର ଅପେକ୍ଷା ଥିଲା ସିଏ ଏବେ ଆଗମନ ହେଲା ...ଆଉ ପାହାନ୍ତି ପବନ ଯାଇ ଥିରକିନା ନିଦୁଆ କାନରେ କହି ଦେଇ ଆସିଲା ...ଉଠରେ ଥକାମନ ସକାଳ ହେଲା । ଇଏ ହେଉଛି ବନାରସର ସକାଳ ।

Morning in Benares

News Summary

ବନାରସର ସକାଳ ଆଧ୍ୟାତ୍ମବାଦର ଆଉ ଆତ୍ମାନୁଭବର

ବନାରସର ସକାଳ ଆଧ୍ୟାତ୍ମବାଦର ଆଉ ଆତ୍ମାନୁଭବର । ଏମିତି ତ ପ୍ରତ୍ୟେକ ସ୍ଥାନର ପ୍ରତ୍ୟୁଷ ନିଜର ଏକ ଭିନ୍ନ ଅନ୍ଦାଜରେ ଆରମ୍ଭ ହେଇଥାଏ । କିନ୍ତୁ କୁହାଯାଏ ବନାରସରେ ଦୁଇଟି ସକାଳ ହୋଇଥାଏ । ଗୋଟେ ପୂର୍ବାକାଶରେ , ଆଉ ଗୋଟେ ହୃଦୟାକାଶରେ । ସେଥିପାଇଁ ଏଠି କେବଳ ସୂର୍ଯ୍ୟୋଦୟ ନୁହେଁ ବୋଧ ଉଦୟ ବି ହୋଇଥାଏ । ଏହି ବୋଧ ଉଦୟକୁ ଏକ ନୂଆ ଦିଗ ଦେଇଥାଏ ।

ଉତ୍ତରବାହିନୀ ଗଙ୍ଗା, କାଳ କାଳରୁ ଏ ଗଙ୍ଗା ପ୍ରବାହର ସାକ୍ଷୀ ଏ ପ୍ରାଚୀନ ଘାଟ । ‌ଆଉ ଘାଟର କୂଳେ କୂଳେ ଭିନ୍ନ ଭିନ୍ନ ନାଁ ରେ ଠିଆ ହୋଇଥିବା ବର୍ଷ ବର୍ଷର ଏ ପକ୍କା ଘର । ଯେଉଁ ପକ୍କା ଘରେ ରହୁଥିବା ଲୋକଙ୍କର କିଛି ଭିନ୍ନ ଜୀବନ ଚର୍ଜ୍ୟା । ଯେଉଁ ଜୀବନ ଚର୍ଜ୍ୟାରୁ ଝଲସିଉଠେ ଆମ ସଂସ୍କୃତି , ଆମ ରିତିନୀତି ।

ବନାରସର ସକାଳ ଏମିତି ଲାଗେ ଯେମିତି ଏଠି ପ୍ରତ୍ୟେକ ପ୍ରଶ୍ୱାସ ସହ ଗୋଟେ ଗୋଟେ ଆଧ୍ୟାତ୍ମିକ ଉର୍ଜା ଶରୀରରେ ପ୍ରବେଶ କରେ । ଏହି ଉର୍ଜାରେ ପରିପୂର୍ଣ୍ଣ ପାହାଚରୁ, ଓହ୍ଲାଉଥିବା ଦର୍ଶାନାର୍ଥୀ, ଘାଟରେ ଟହଳୁଥିବା ବୈରାଗୀ, ଗଙ୍ଗାରେ ବୁଡ ପକାଉଥିବା ପର୍ଯ୍ୟଟକଙ୍କ ମେଳା, ଏଠି ମନ୍ତ୍ର ଧ୍ୱନୀରେ ସଜିତ ସକାଳର ବେଳା । ଦୂର ମସଜିଦରୁ ଭାସି‌ଆସୁଥିବା ‌ଆଜାନ୍‌, ଓ କାହିଁ କେବେଠୁ ଜଳି ଚାଲିଥିବା ଏକ ମହାଶ୍ମଶାନ । ଏତିକି ହିଁ ବହୁତ କିଛି ସବୁ କିଛି ଭୁଲିଯିବା ପାଇଁ ,ଆଉ ସବୁ କିଛି ଭୁଲି ନିଜକୁ ଚିହ୍ନିବା ପାଇଁ । ଏହା ହିଁ ଖାସିୟତ ବନାରସର ସକାଳର ।

ପ୍ରଭାତର ପ୍ରାକୃତିକ ରଂଗ ଓ ବନାରସୀ ଢଙ୍ଗର ଏକ ସୁନ୍ଦର ସମିଶ୍ରଣ ବନାରସର ସକାଳ । ଏଠି ଲୋକ ସୁଖ ପ୍ରାପ୍ତିର କାମନା ନେଇ ନୁହଁ ବରଂ ଶାନ୍ତି ପାଇବାରେ ଆଶା ନେଇକି ଆସିଥାନ୍ତି । ଆଖି ଯୋଉଠି ଯୋଉଠି ପଡିଥାଏ, ସକାଳର ରଙ୍ଗିନ ଓଢଣୀରେ ଢାଙ୍କି ହୋଇଥିବା ବନାରସ୍‌ ନିଜକୁ ଭିନ୍ନ ଭିନ୍ନ ରୂପରେ ସଜେଇ ,ସେଇ ସୁନ୍ଦରତା ଭିତରେ ବୁଡିଗଲା ପରି ମନେ ହୁଏ ।

ସମଗ୍ର ଭାରତବର୍ଷରେ ପରିବ୍ୟପ୍ତ ଧର୍ମ, ମାନ୍ୟତା ଏବଂ ଆସ୍ଥାର ଛବି ଏଠି ପୂର୍ଣ୍ଣ ରୂପରେ ପ୍ରତିବିମ୍ବିତ ହୋଇଥାଏ । ଏହି ଛବିକୁ ନେଇ ବନାରସ ଗର୍ବ ଓ ସମ୍ମାନ । ଏଇ ସମ୍ମାନକୁ ନେଇ ହିଁ ବନାରସରେ ସକାଳର ବିସ୍ତାର । ଜାତି ଧର୍ମ ବର୍ଣ୍ଣର ସୀମା ଯେଉଁଠି ସରେ, ସେଇଠୁ ହିଁ ଏ ଆଧ୍ୟାତ୍ମିକ ସକାଳ ଅନୂଭବ ଓ ଗଙ୍ଗା ମାଆଙ୍କ କରୁଣା ସମସ୍ତଙ୍କ ପାଇଁ ମେଲା ହୋଇଯାଏ । ସେଇଥିପାଇଁତ ଏଠିକା ଗୁରୁଜନ କୁହନ୍ତି ସୁବହେ ବନାରସ ହେଉଚି ଖଜୁରୀ ରସର ଗୁଡ । ୟାକୁ ଖାନ୍ତୁ ଓ ଅନନ୍ଦ ନିଅନ୍ତୁ ।

ପ୍ରଥମେ ଗଙ୍ଗା ସ୍ନାନ ଓ ଧ୍ୟାନରେ ପରେ ପାଳି ପଡେ ଭୋଜନ । ଆଉ ଏଠି ଭୋଜନ ବି ବନାରସର ସକାଳ ସହ ହିଁ ଜଡିତ । ସେଇଥିପାଇଁ ସକାଳର ଜଳଖିଆ ଏଠି ଲୋକଙ୍କ ବେଶ ପ୍ରିୟ । କଚୁଡି, ଜଲେପି, ରାବିଡି ମଲାଇ ଏମିତି ଅଚାନକ ସ୍ୱାଦିଷ୍ଟ ଖାନା ସକାଳ ବନାରସର ଆଉ ଏକ ପରିଚୟ । ଆଉ ସବୁଠୁ ମଜାଦାର କଥା ହେଉଚି ଏଠି ଲୋକ ସକାଳର ଜଳଖିଆର ରୂପ ବି ଘଡି ଅନୁଯାୟୀ ଭିନ୍ନ ଭିନ୍ନ  ।

ଯିଏ ଭୋର ଚାରିଟାରୁ ଉଠେ ସିଏ ଗୋଟେ ପ୍ରକାର ଜଳଖିଆ ଖାନ୍ତି, ଯିଏ ସକାଳ ୭ଟାରେ ଉଠନ୍ତି ତାଙ୍କ ପାଇଁ ଆଉ ଏକ ପ୍ରକାର ଜଳଖିଆ , ପୁଣି ଯିଏ ଦିନ ୧୦ରେ ଉଠନ୍ତି ସେମାନଙ୍କ ପାଇଁ ଜଳଖିଆ ଭିନ୍ନ ଏଠି । ଆଉ ସବୁ ଖାଦ୍ୟର ପୂର୍ଣ୍ଣଛେଦ ପକାଏ ବନାରସୀ ପାନ । ପାନ ଓ ବନାରସୀଙ୍କ ସଂପର୍କ ବଡ ପୁରୁଣା । ସକାଳ ଆରମ୍ଭରୁ ହିଁ ଏଠି ପାନ ଖିଆ ଆରମ୍ଭ ହୋଇଯାଏ । ବିଶ୍ୱର ସବୁ ବଡ ପାନ ମଣ୍ଡି ବି ଏଇଠି ହିଁ ଦେଖିବାକୁ ମିଳେ । ବନାରସରେ ଯାହାକୁ କୁହାଯାଏ ‘ପାନ୍‌ ଦରିବା’ ।

କୁହାଯାଏ ବନାରସର ଲୋକେ ଭାରି ଭାଗ୍ୟବାନ । ସେ ଏଠି ଅହରହ ଜଳୁଥିବା ଚିତାକୁ ଦେଖନ୍ତି ,ରାମ ନାମର ତାରଣ ମନ୍ତ୍ରକୁ ଜପନ୍ତି, ଗଙ୍ଗାକୁ ଭଜନ୍ତି, ସୂର୍ଯ୍ୟଙ୍କୁ ଆରାଧନା କରନ୍ତି , କାଶୀ ବିଶ୍ୱନାଥଙ୍କୁ ଦଣ୍ଡବାତ କରନ୍ତି ଆଉ ବନାରସର ସକାଳକୁ ପ୍ରଣାମ କରନ୍ତି । ଏଇ ଏଠି ଜୀବନ, ଏଇ ତାଙ୍କ ନିୟମ, ଏଇ ତାଙ୍କ ପୁଞ୍ଜି । ବନାରସ ସକାଳ ସୂର୍ଯ୍ୟଙ୍କ ତେଜସ୍ୱୀ ପ୍ରକାଶର ପୂର୍ବରୁ ଦକ୍ଷିଣ ଯାଏଁ ଏକ ଲମ୍ବା ଯାତ୍ରା ।