Astrospeak
  • Live TV
  • Read In English

କାଳ ହେଲା କୁଆପଥର ମାଡ଼; ମାଟିରେ ମିଶିଲା ଚାଷୀର ମେହେନତ

ଅଦିନିଆ ବର୍ଷା ଉଜାଡି ଦେଇଛି ଚାଷୀର ସଂସାର। ଉଜୁଡା କ୍ଷେତକୁ ଦେଖି ଚାଷୀ ମୁଣ୍ଡରେ ପଡିଛି ଚଡ଼କ। ଉପାୟଶୂନ୍ୟ ହୋଇ ଏବେ ଅନେଇ ବସିଛନ୍ତି କେବଳ ସରକାରୀ ସାହାଯ୍ୟକୁ।

Farmer labor mixed with soil
କାଳ ହେଲା କୁଆପଥର ମାଡ଼; ମାଟିରେ ମିଶିଲା ଚାଷୀର ମେହେନତ

ଭୁବନେଶ୍ୱର: ଅମଳ ବେଳକୁ ବିଗାଡ଼ି ଦେଲା ଅଦିନିଆ ବର୍ଷା। କେଉଁଠି କୁଆପଥର ମାଡ଼ରେ ଫସଲ ନଷ୍ଟ ତ ପୁଣି କେଉଁଠି ଚାଷ ଜମିରେ ପାଣି ମାଡ଼ି ବରବାଦ କରିଛି ଫସଲ। ଉଜୁଡିଯାଇଥିବା କ୍ଷେତକୁ ଦେଖି ଚାଷୀ ମୁଣ୍ଡରେ ଚଡ଼କ। ଉପାୟଶୂନ୍ୟ ହୋଇ ଏବେ ଅନେଇ ବସିଛନ୍ତି ସରକାରୀ ସାହାଯ୍ୟକୁ। ସେପଟେ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ପରେ କାଲିଠାରୁ ବର୍ଷା ପରିମାଣ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଅଦିନିଆ ବର୍ଷା କିପରି ପରିବା ଫସଲକୁ ଛିନଛତ୍ର କରିଛି ତାହା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଝାରକୁଣ୍ଡାମାଲ ଚାଷୀଙ୍କ ଉଜୁଡା କ୍ଷେତକୁ ଦେଖିଲେ ଏହାର ପ୍ରମାଣ ଜଳଜଳ ଦେଖାଯାଏ। ଗତ ମଙ୍ଗଳବାର ଅପରାହ୍ନରେ ହୋଇଥିବା ଅଦିନିଆ ବର୍ଷାରେ ଚାଷ କ୍ଷେତରେ ଜମି ରହିଥିଲା ପ୍ରାୟ ଫୁଟେ ଉଚ୍ଚର କୁଆପଥରର ଆସ୍ତରଣ। ଫଳରେ ନଷ୍ଟ ହୋଇଯାଇଛି ଶହ ଶହ ଏକର ପନିପରିବା ଚାଷ। ପାଟଣାଗଡରେ ମଧ୍ୟ ଠିକ ଅମଳ ସମୟରେ ଦାଉ ସାଜିଥିଲା ଅଦିନିଆ ବର୍ଷା। ଅଧିକାଂଶ ଫଳ ଫାଟି ଯାଇଥିବା ବେଳେ ଯେଉଁ ଗଛରେ ନୂଆ ଫଳ ବାହାରୁଥିଲା ତାହା ବି ଝଡି ନଷ୍ଟ ହୋଇଯାଇଛି। ଧାନ ପରେ ଟମାଟୋ ଚାଷ ଉପରେ ନିର୍ଭର କରୁଥିବା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକର ତେନ୍ତୁଳିମୁଣ୍ଡା, ଖଲିପଥର, ସତଛୁଆ, ମୁଣ୍ଡଦରୋ ଆଦି ଗାଁରେ ଚାଷୀଙ୍କ ଅଣ୍ଟା ଭାଙ୍ଗଯାଇଛି।

ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବର୍ଷା ମାଡ଼ରେ ଶୋଇ ପଡିଛି କ୍ଷେତରେ ଧାନ ଗଛ। ଏପଟେ ଖଳାରେ ବର୍ଷା କାଦୁଅ ଭିତରୁ ଉଦ୍ଧାର କରିଥିବା ଧାନ, ଚାଷୀକୁ ଦେଇଛି ସାମାନ୍ୟ ଆଶ୍ୱସ୍ତି। ହେଲେ ବର୍ଷାରେ ବରବାଦ ଧାନକୁ ପୁଣି କିପରି ଶୁଖାଇ ମଣ୍ଡିରେ ନେଇ ଦେବେ ସେଇ ଚିନ୍ତାରେ ଆସ୍କା ବ୍ଲକର ଅନେକ ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ। ସେହିପରି ଖଡିଆଳ ବ୍ଲକ୍‌ ଖାସବାହାଲ ଚାଷୀଙ୍କ ଦୁର୍ଦ୍ଦଶା କହିଲେ ନସରେ। ଆଳୁ ଓ ପିଆଜ ଚାଷ କରିଥିବା ଚାଷୀଙ୍କ ଜମିରେ ମାଡି ଯାଇଛି ବର୍ଷା ପାଣି। ଏବେ ବର୍ଷାଜଳକୁ ଅଳ୍ପ ଅଳ୍ପ କରି କାଢିବା ଛଡା ଆଉ କିଛି ଉପାୟ ନାହିଁ। ପରୀକ୍ଷାମୂଳକଭାବେ ଏଥର ଆଳୁ ଚାଷ କରିଥିଲେ ବି ପାଣି ତଳେ ପଚି ନଷ୍ଟ ହୋଇଯାଇଥିବା କହିଛନ୍ତି ଚାଷୀ।

ସେପଟେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହେବା ପରେ କାଲିଠାରୁ ବର୍ଷା ପରିମାଣ ହ୍ରାସ ପାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୧୬ରୁ ୧୮ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି।