Advertisment

ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଚାଲିଛି ବାଲି ଉଠାଣ, ମେସିନ୍ ଲଗାଇ ବାଲି ବହୁଛନ୍ତି ମାଫିଆ

ନା ରାଜ୍ୟ ସରକାରଙ୍କ ଚେତା ପଶୁଛି ନା ବାଲି ମାଫିଆ ସତର୍କ ହେଉଛନ୍ତି। ୪ ବର୍ଷରେ ୨୪୩ କୋଟିର ଦୁର୍ନୀତି ଅଭିଯୋଗ ସହ ବେଆଇନ୍ ବାଲି ଉଠାଣ ମାମଲାରେ ହାଇକୋର୍ଟଙ୍କ ଛାଟ ପରେ ବି ଭାଙ୍ଗୁନି କାହାରି ନିଦ।

ଅଦ୍ୟତନ ହୋଇଛି
undefined

Sand Mafia

Advertisment

ହାଇକୋର୍ଟ କହିଲେ ବର୍ତ୍ତମାନ ପାଇଁ କେହି ବାଲି ଉଠାଇପାରିବେନି। ହେଲେ କଟକରେ ଅନବରତ ଚାଲିଛି ବାଲି ବୁହାର ପର୍ବ। ମେସିନ ଲଗାଇ ବାଲି ଉଠାଣ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ। କିନ୍ତୁ, ଏଠି ତ ବିନା ମେସିନରେ ବୋଧହୁଏ ବାଲି ଖନନ ସମ୍ଭବ ହିଁ ନୁହଁ। ଅର୍ଥାତ ଅଦାଲତଙ୍କ ବାଲି ଛାଟ ପ୍ରତି ନା କାହାରି ଖାତିର୍ ଅଛି, ନା ନିର୍ଦ୍ଦେଶନାମାକୁ କେହି ପରବାୟ କରୁଛି। ସହର ଓ ସହର ଉପକଣ୍ଠରେ ଥିବା ବାଲିଘାଟରେ ଏଭଳି ଚାଲିଛି ବେଧଡକ ବାଲି ଉଠାଣ। ରାତି କଥା ଛାଡ଼ନ୍ତୁ, ଦିବା ଆଲୁଅରେ ଜେସିବି ମେସିନ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବାଲି ଖନନ। ଟ୍ରକ, ଟ୍ରାକ୍ଟର, ଟ୍ରିପର ଓ ଡମ୍ଫର ଲଗାଇ ପରିବହନ କରାଯାଉଛି ରାତିଦିନ। ଗତ ଡିସେମ୍ବର ୧୨ରେ କଟକ ସହର ଓ ଜିଲ୍ଲାର ୧୦ଟି ବାଲି ଘାଟକୁ ବନ୍ଦ ସହ ଖଣିବିଭାଗ ପକ୍ଷରୁ ସୋ କଜ୍ ନୋଟିସ୍ ପରେ ବି ନିର୍ଦ୍ଦେଶନାମାର ଧଜ୍ଜିଆ ଉଡ଼ାଇ ଚାଲିଛି ବାଲି ଉଠାଣ। ତେବେ ବାଲିଘାଟ ମାଲିକଙ୍କ କହିବା କଥା, ସୋ’ କଜ୍ ନୋଟିସର ଉତ୍ତର ସହ ଅଣ୍ଡରଟେକିଂ ଦେଇ ଅନୁମତି ଆଣିଛୁ। ସେପଟେ ଖଣି ବିଭାଗର ଡେପୁଟି ଡାଇରେକ୍ଟର କହିଛନ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶନାମାର ନକଲ ପାଇଲେ ଯାଇ ପଦକ୍ଷେପ ନେବୁ।

Advertisment

ମେସିନ ସହାୟତାରେ ବାଲି ଉଠାଣ ଉପରେ ଗତ ୨୯ ନଭେମ୍ବରରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ। ସେହିପରି ପୂର୍ବତନ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବିରୋଧରେ ଅଦାଲତ ଅବମାନନା ନେଇ ନୋଟିସ କରିଥିଲେ। ୨୧ ଡିସେମ୍ବରରେ ଶୁଣାଣିବେଳେ କଟକରେ ୧୪ଟି ବାଲି ଖାଦାନ ବନ୍ଦ ସହ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କୋର୍ଟଙ୍କୁ ଅବଗତ କରିଥିଲେ ରାଜ୍ୟ ସରକାର। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସେହି ୨୧ ଡିସେମ୍ବରରେ ହିଁ ଖଣି ବିଭାଗ ବିଜ୍ଞପ୍ତି ଜାରି କରି ବାଲିଖନନ ପାଇଁ ଫିଟାଇ ଦେଇଥିଲା ଗଳାବାଟ।

ଏ ସଂପର୍କିତ ମାମଲାର ଶୁଣାଣି କରି ଗତକାଲି ବର୍ଷିଥିଲେ ହାଇକୋର୍ଟ। ବିଜ୍ଞପ୍ତି ଉପରେ ରହିତାଦେଶ ସହ ରାଜ୍ୟବ୍ୟାପୀ ବାଲି ଉଠାଣ ଉପରେ ଅନ୍ତରୀଣ ରୋକ୍ ବି ଲଗାଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପରେ ରାତି ଅଧିଆ ଚଢ଼ାଉ କରି ୬ଟି ବାଲି ବୋଝେଇ ଟ୍ରାକ୍ଟରକୁ ଧରିଛି ରାଉରକେଲା ଝିରପାଣି ପୋଲିସ। ବାଙ୍କି ଉପଖଣ୍ଡରେ ଥିବା ୬ଟି ବାଲିଘାଟରେ ବାଲି ଖନନକୁ ବନ୍ଦ ରଖାଯାଇଛି। ତେଣେ ଏହି ମଉକାରେ ଏବେ ମାତିଛନ୍ତି ବାଲି ବ୍ୟବସାୟୀ। ଘର ଖଣ୍ଡେ ପାଇଁ ସ୍ୱପ୍ନ ଦେଖୁଥିବା ବ୍ୟକ୍ତିଙ୍କୁ ଏବେ ୨ ଗୁଣା ଦର କଷି ବ୍ୟବସାୟୀ ବାଲି ବିକ୍ରି କରୁଛନ୍ତି। ମାଫିଆ, ନେତା ଓ ସରକାରୀ ବାବୁଙ୍କ ସହ ହାତ ନ ମିଳାଇ ରାଜ୍ୟ ସରକାର ଯଦି ସୁଚିନ୍ତିତ ଯୋଜନା ତିଆରି ନକରନ୍ତି ତେବେ ଆଗକୁ ବାଲି ଦର ଆହୁରି ବଢ଼ିବାର ଲୋକେ ଆଶଙ୍କା କରିଛନ୍ତି।

Advertisment

ଗୋଟିଏ ପଟେ ବାଲି ଖନନ ଉପରେ ହାଇକୋର୍ଟଙ୍କ ରୋକ୍, ଅନ୍ୟପଟେ ସରକାରୀ ନିଷ୍କ୍ରିୟତା ଭିତରେ ଆଇନ ଆଖିରେ ଅଙ୍ଗୁଳି ଗେଞ୍ଜି ବାଲି ମାଫିଆ ମାଲାମାଲ ହେଉଥିବାବେଳେ କେବେ ଚେତିବେ ରାଜ୍ୟ ସରକାର, ତାକୁ ଅପେକ୍ଷା।

Odisha Cuttack Sand Mafia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ