ଅଳିଆ ଆବର୍ଜନାରେ ଭର୍ତ୍ତି ଚାନ୍ଦିପୁର ବିଚ୍, ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଆସୁନାହାନ୍ତି ପର୍ଯ୍ୟଟକ

ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ଚାନ୍ଦିପୁର ଗୋଲଡେନ୍ ସି ବିଚ୍ ଏବେ ଅଳିଆରେ ଭରିଯାଇଛି । ଏହି ବିଚ ଅନ୍ୟ ସି ବିଚ୍ ତୁଳନାରେ ସଂପୂର୍ଣ୍ଣ ନିଆରା, ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମେ । ହେଲେ ଦୁର୍ଭାଗ୍ୟର କଥା ହେଲା ବ୍ଲୁ ଫ୍ଲାଗ ମାନ୍ୟତା ଅପେକ୍ଷାରେ ଥିବା ଏହି ବିଚ୍ କୁଢ କୁଢ ଅଳିଆ ଆବର୍ଜନାରେ ଭର୍ତ୍ତି ।

ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିଲେ ହେଁ ଚାନ୍ଦିପୁର ବିଚ୍ ରେ ପର୍ଯ୍ୟଟକଙ୍କ ଭିଡ଼ ନାହିଁ

News Summary

ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିଲେ ହେଁ ଚାନ୍ଦିପୁର ବିଚ୍‌ରେ ପର୍ଯ୍ୟଟକଙ୍କ ଭିଡ଼ ନାହିଁ

ଚାନ୍ଦିପୁର ବିଚ୍ ଉନ୍ନୟନ କମିଟି ନିଘଟ ନିଦରେ ଶୋଇଥିବାରୁ ପର୍ଯ୍ୟଟକଙ୍କ ଦେଖାନାହିଁ

ବାଲେଶ୍ୱର(ରଶ୍ମିରଞ୍ଜନ ଦାସ) : ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ଚାନ୍ଦିପୁର ଗୋଲଡେନ୍ ସି ବିଚ୍ ଏବେ ଅଳିଆରେ ଭରିଯାଇଛି । ଏହି ବିଚ ଅନ୍ୟ ସି ବିଚ୍ ତୁଳନାରେ ସଂପୂର୍ଣ୍ଣ ନିଆରା, ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମେ । ହେଲେ ଦୁର୍ଭାଗ୍ୟର କଥା ହେଲା ବ୍ଲୁ ଫ୍ଲାଗ ମାନ୍ୟତା ଅପେକ୍ଷାରେ ଥିବା ଏହି ବିଚ୍ କୁଢ କୁଢ ଅଳିଆ ଆବର୍ଜନାରେ ଭର୍ତ୍ତି । ଟେଣ୍ଡର ନେଇଥିବା ସଂସ୍ଥା କରୋନା ମହାମାରୀ ପରଠାରୁ ଆଉ ସଫାସୁତୁରା କରୁନାହିଁ, ଯାହାକୁ ନେଇ ତେଜୁଛି ଜନ ଅସନ୍ତୋଷ ।

ବାଲେଶ୍ୱର ଜିଲ୍ଲାର ନିଆରା ସି ବିଚ୍ ଚାନ୍ଦିପୁରର ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଖୁବ୍ ନିଆରା । ସେଥିପାଇଁ ଏହି ବିଚକୁ ଗୋଲଡେନ୍ ସି ବିଚ୍ ମଧ୍ୟ କୁହାଯାଏ । କରୋନା ପରେ ବନ୍ଦ ହୋଇପଡିଥିବା ଏହି ବିଚ୍ ଦୁଇ ମାସରୁ ଅଧିକ ସମୟ ହେଲେ ପର୍ଯ୍ୟଟକଙ୍କ ପାଇଁ ଖୋଲି ସାରିଲାଣି । ହେଲେ ବିଚରେ ଏଣେ ତେଣେ କୁଢ କୁଢ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ବିଚ୍ । ଯେଉଁଥିପାଇଁ ପର୍ଯ୍ୟଟକ ବିଚ୍‌ ଆଡ଼ୁ ମୁହଁ ବୁଲାଉଛନ୍ତି । ପର୍ଯ୍ୟଟନ ମନ୍ତ୍ରୀଙ୍କ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ଏହା ବିକଳ ଚିତ୍ର ଦେଖିଲେ ଲାଗୁଛି ଓଟିଡିସି ଯେମିତି ସ୍ଥାଣୁ ହୋଇଯାଇଛି ।

ପ୍ରତିଦିନ ଦୁଇଥର ସମୁଦ୍ର ଏଠାରେ ୫ କିଲୋମିଟର କୂଳକୁ ଏବଂ ୫ କିଲୋମିଟର ପଛକୁ ଚାଲିଯାଏ , ଯାହାକୁ ଦେଖିବାକୁ ଛୁଟି ଆସିଥାନ୍ତି ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକ । ହେଲେ ପର୍ଯ୍ୟଟକ ଋତୁ ଆରମ୍ଭ ହୋଇସାରିଥିଲେ ବି ପର୍ଯ୍ୟଟକଙ୍କ ଦେଖା ମିଳୁନି । ଯେଉଁଥିପାଇଁ ବ୍ୟବସାୟ ଓ ହୋଟେଲ ଶିଳ୍ପ ଏକପ୍ରକାର ଠପ୍ ହୋଇପଡିଛି ।

ଭୁବନେଶ୍ୱରର ଏକ ଘରୋଇ ସଂସ୍ଥା ଏମଏସ ୟୁଟେକ୍ ବର୍ଷକ ପାଇଁ ଟେଣ୍ଡର ସୁତ୍ରରେ ବିଚକୁ ସଫାସୁତୁରା କରିବାର ଦାୟିତ୍ୱ ନେଇଥିଲା । ଚାନ୍ଦିପୁର ବିଚ୍ ଉନ୍ନୟନ ସଂସ୍ଥା ଏଥିପାଇଁ ସଂସ୍ଥାକୁ ୨୧ ଲକ୍ଷ ଟଙ୍କା ଏହି ଦେଇସାରିଛି । କିନ୍ତୁ କରୋନାର ଦ୍ୱିତୀୟ ଲହରୀ ପରଠାରୁ ବିଚ୍ ଆଉ ସଫା ହେଉନି ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ମେ ମାସରେ ବାତ୍ୟା ୟାସ୍ ଯୋଗୁଁ ନିମ୍ନ ମାନର କାମ ହୋଇଥିବା ଫାଇବର ଲାଇଟ୍ ଖୁଣ୍ଟ ଓ ପକ୍କା ପାହାଚକୁ ଭାଙ୍ଗିରୁଜି ନଷ୍ଟ ଭ୍ରଷ୍ଟ କରିଦେଇଥିଲା । ମାତ୍ର ଏପର୍ଯ୍ୟନ୍ତ ଏହାର ପୁନରୁଦ୍ଧାର କରାଯାଇନି । ଚାନ୍ଦିପୁର ବିଚ୍ ଡେଭଲପମେଣ୍ଟ କମିଟିର ମୁଖ୍ୟ ଜିଲ୍ଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ଏହାର ରକ୍ଷଣା ବେକ୍ଷଣା ସହ ସଫାସୁତୁରାପାଇଁ ଲିଖିତ ଭାବେ ଜଣାଇଛି । ହେଲେ କିଛିବି କାମ ଆରମ୍ଭ ହୋଇନି । ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଦିନେ ଦୁଇଦିନ ଭିତରେ ଏନେଇ ପଦକ୍ଷେପ ନିଆଯିବ ।