ଏପ୍ରିଲ ନସରୁଣୁ ଆରମ୍ଭ ହୋଇଯାଇଛି ପ୍ରବଳ ଖରା ଓ ଗୁଳୁଗୁଳି । ଆଉ ଖରା ପାଇଁ ନିଲେଶ୍ୱର ଗାଁରେ ଭିଡ଼ ଜମୁଛି । ବରଗଡ଼ ଜିଲ୍ଲାର ଏହି ଗାଁକୁ ବେଣାଚେରର ଗାଁ ବୋଲି ମଧ୍ୟ କୁହାଯାଏ । ଖରା ଆଉମ୍ଭ ହେଉ ହେଉ ଏଠାରେ କିଏ ରସିରେ ପରଦା ଗୁନ୍ଥିବାରେ ବ୍ୟସ୍ତ ତ ଆଉ କିଏ ବାଉଁଶରେ କୁଲର ଖସଖସ ତିଆରିରେ ବ୍ୟସ୍ତ । ପୁରା ପରିବାର ଏମିତି ବେଣାଚେର ସାମଗ୍ରୀ ତିଆରି କରିବାରେ ଲାଗି ପଡିଛନ୍ତି। ଖରା ଦିନ ଆସିଲେ ଚଳଚଂଚଳ ହୋଇପଡେ ଏହି ଛୋଟିଆ ମଫସଲ ଗାଁଟି।
ନିଲେଶ୍ୱର ଗାଁର ଅନେକ ପରିବାର ବେଣାଚେରରୁ କୁଲର ଫ୍ରେମ, କବାଟ ଝରକାର ପରଦା, ହାତପଙ୍ଖା ଆଦି ତିଆରି କରିଥାନ୍ତି ।ଗରମ ବଢିଲେ ବେଣାଚେର ସାମଗ୍ରୀ ନେବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକଙ୍କ ଭିଡ ଏହି ଗାଁରେ ଲାଗେ। କେତେକ ସାଇକେଲରେ ବରଗଡ଼ ସହରକୁ ଆସି ବେଣାଚେର ବିକି ବେଶ ଦି ପଇସା ରୋଜଗାର କରିଥାନ୍ତି।
ବେଣାଚେର ସାଧାରଣତଃ ନଦୀ ବା ପୋଖରୀ ହୁଡ଼ାରୁ ମାଟି ତଳୁ ବାହାର କରାଯାଏ। ପରେ ତାକୁ ପାଣିରେ ସଫା କରାଯାଇ ପ୍ଲାଷ୍ଟିକ ରସିରେ ତାହାକୁ ବନ୍ଧାଯାଏ। ନିଲେଶ୍ୱର ଗାଁ ଲୋକେ ଚାଷ କରି ପେଟ ପୋଷୁଥିଲେ ମଧ୍ୟ ଜଳସେଚନର ସୁବିଧା ନଥିବାରୁ ଛଅ ମାସ ସେମାନେ ବେଣାଚେର କାମ କରିଥାନ୍ତି।
ବିକ୍ରୟ ପାଇଁ ବଜାର ବ୍ୟବସ୍ଥା ନଥିବାରୁ ନିଲେଶ୍ୱର ଗାଁକୁ ଆସି ବ୍ୟବସାୟୀମାନେ କମ ମୂଲ୍ୟରେ ବେଣାଚେର ସାମଗ୍ରୀ କିଣି ନେଉଛନ୍ତି । ପରେ ଏହାକୁ ଚଢା ଦରରେ ଅନ୍ୟତ୍ର ବିକ୍ରୟ କରୁଛନ୍ତି। ପରିଶ୍ରମ କରୁଥିବା ଲୋକମାନଙ୍କୁ ସଠିକ ମୂଲ୍ୟ ମିଳୁନଥିବା ଅଭିଯୋଗ ହେଉଛି। ସରକାର ବେଣାଚେରକୁ କୁଟୀର ଶିଳ୍ପର ମାନ୍ୟତା ଦେବା ସହ ପ୍ରୋତ୍ସାହନ ଯୋଗାଇ ଦେବାକୁ ଦାବି ହେଉଛି।
ଧିରେ ଧିରେ ବଢି ଚାଲିଛି ଖରା। ତାପମାତ୍ରା ବଢିବା ଯୋଗୁ ଜନଜୀବନ ହୋଇ ପଡ଼ିଲାଣି ଅସ୍ତବ୍ୟସ୍ତ। ଏଭଳି ସ୍ଥିତିରେ ଟିକିଏ ଥଣ୍ଡା ପବନ ପାଇବା ପାଇଁ ଲୋକମାନେ ହାତ ପଙ୍ଖା, କୁଲର, ଏସି ବ୍ୟବହାର କରୁଛନ୍ତି। ସାଧାରଣତଃ ଖରାଦିନରେ ବେଣାଚେରରେ ପ୍ରସ୍ତୁତ ହାତପଙ୍ଖା, ଝରକା କବାଟର ପରଦା, କୂଲରରେ ବ୍ୟବହୃତ ଖସଖସର ବହୁଳ ବ୍ୟବହାର ହୋଇଥାଏ। ଏହା ଘରକୁ ଥଣ୍ଡା ରଖିବା ସହ ଏଥିରୁ ବାହାରୁଥିବା ସୁଗନ୍ଧ ଶରୀର ପାଇଁ ହିତକର ବୋଲି କୁହାଯାଏ।
ବରଗଡରୁ ଦିପକ ଶର୍ମାଙ୍କ ରିପୋର୍ଟ