ନରସିଂହପୁର ଜଙ୍ଗଲରେ ବୁଲୁଛି ଆଉ ଏକ ଗୁଳିବିଦ୍ଧ ହାତୀ

ଆଠଗଡ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଉଦ୍ଧାର ଘଟଣାର ରିପୋର୍ଟ ଦେବାକୁ ଆଉ ମାସେ ସମୟ ମାଗିଲା ଏସ୍ଆଇଟି

ଶିକାରୀଙ୍କ ଗୁଳି ମାଡ଼ ପଛରେ ବନ କର୍ମଚାରୀଙ୍କ ଭୂମିକାକୁ ନେଇ ସନ୍ଦେହ

ନରସିଂହପୁର ଜଙ୍ଗଲରେ ଘୁରି ବୁଲୁଛି ଆଉ ଏକ ଘାଇଲା ହାତୀ । ଗୁଳିବିଦ୍ଧ ହୋଇ ହାତୀଟି ୪ ଦିନ ହେଲା ଇତସ୍ତତଃ ଅବସ୍ଥାରେ ବୁଲୁଥିବା କହିଛନ୍ତି ସ୍ଥାନୀୟ ଲୋକ । ଏପଟେ ଚିକିତ୍ସା ଲାଗି ହାତୀଟିକୁ ଠାବ କରିବାକୁ ଉଦ୍ୟମ କରୁଛନ୍ତି ବନ କର୍ମଚାରୀ । ପୂର୍ବରୁ ନରସିଂହପୁର ଜଙ୍ଗଲରେ ଆଉ ଏକ ହାତୀକୁ ଗୁଳିମାଡ଼ ହୋଇଥିଲା । ତେବେ ତାକୁ ବଞ୍ଚାଇବାରେ ସଫଳ ହୋଇନଥିଲା ବନ ବିଭାଗ । ଏପଟେ ପୁଣି ଏକ ହାତୀ ଶିକାରୀଙ୍କ ଗୁଳିର ଶିକାର ହେବା ପରେ ବନ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ ବଢିଛି ସନ୍ଦେହ । ସେପଟେ ଆଠଗଡ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଉଦ୍ଧାର ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ଆଉ ମାସେ ସମୟ ମାଗିଛି । ଏସ୍ଆଇଟି ରାଜ୍ୟରେ ହାତୀ ମୃତ୍ୟୁକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିଥିବା ବେଳେ ବିଧାନସଭାରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।

ତେଣେ ଆହତର ଚିକିତ୍ସା ଲାଗି ସାତକୋଶିଆ ବନଖଣ୍ଡର ଡାକ୍ତରୀ ଟିମ,ନରସିଂହପୁରର ପଶ୍ଚିମ ରେଞ୍ଜରେ ଥିବା ଜୟପୁର ଜଙ୍ଗଲରେ ପହଞ୍ଚିଛି । ତେବେ ଆହତ ହାତୀକୁ ଏଯାଏ ଠାବ କରାଯାଇପାରିନି । ଗତ ୨୨ ତାରିଖରେ ଆହତ ହାତୀକୁ ଜଙ୍ଗଲରେ ଦେଖାଯାଇଥିଲା । ମାତ୍ର ବନ କର୍ମଚାରୀ ତାକୁ ଟ୍ରାଙ୍କୁଲାଇଜ୍ କରିବାରେ ବିଫଳ ହୋଇଥିଲେ । ତେବେ ହାତୀକୁ ଗୁଳିମାଡ଼ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ପିସିସିଏଫ୍ ହାତୀ ପଲ ମଧ୍ୟରେ ଲଢ଼େଇ ଯୋଗୁ ଦନ୍ତାଟି ଆହତ ହୋଇଥିବା ସେ କହିଛନ୍ତି । ପୂର୍ବରୁ ନରସିଂହପୁର ଜଙ୍ଗଲରେ ଏକ ହାତୀକୁ ଛର୍ରା ମାଡ଼ ହୋଇଥିଲା ତେବେ ତାର ଉପଯୁକ୍ତ ଚିକିତ୍ସା କରାନଯିବାରୁ ମେ ୩୧ରେ ତାର ମୃତ୍ୟୁ ହୋଇଥିଲା ।

ତେଣେ ଆଠଗଡ ଜଙ୍ଗଲର ମାଟି ତଳୁ ମିଳିଚାଲିଛି । ଗୋଟିକ ପରେ ଗୋଟିଏ ହାତୀ କଙ୍କାଳ ଗତ କିଛି ମାସ ଭିତରେ ଆଠଗଡ଼ ବନଖଣ୍ଡରୁ ଉଦ୍ଧାର ହେଲାଣି ୪ ହାତୀଙ୍କ କଙ୍କାଳ । ସ୍ପେସାଲ ଇନଭେଷ୍ଟିଗେସନ୍ ଟିମ ବା ଏସଆଇଟି ଗଠନ କରାଯାଇ ଏସବୁ ଘଟଣାର ସରଜମିନ ତଦନ୍ତ କରାଉଛନ୍ତି । ସରକାର ମାସକ ଭିତରେ ରିପୋର୍ଟ ଦେବାକୁ କୁହାଯାଇଥିଲେ ମଧ୍ୟ ଏଥିରେ ବିଫଳ ହୋଇଛି । ଏସ୍ଆଇଟି ରିପୋର୍ଟ ପ୍ରଦାନ ଲାଗି ଏସଆଇଟି ସରକାରଙ୍କୁ ଆଉ ମାସେ ସମୟ ମାଗିଛି । କଙ୍କାଳ ନମୁନା ପରୀକ୍ଷା ଲାଗି ବାହାର ରାଜ୍ୟକୁ ପଠାଯାଇଛି, ରିପୋର୍ଟ ଅସିବା ପରେ ତଦନ୍ତ ଆଗକୁ ବଢିବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ।

ଅନ୍ୟପଟେ ରାଜ୍ୟରେ ହାତୀ ମୃତ୍ୟୁ ବଢି ଚାଲିଥିବା ବେଳେ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ଉଦବେଗ ପ୍ରକାଶ କରିଛନ୍ତି ଓଡ଼ିଶା ହାଇକୋର୍ଟ ୫ ବର୍ଷ ମଧ୍ୟରେ କେଉଁ ଜଙ୍ଗଲରେ କେତେ ହାତୀ ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତି ? ଏ ନେଇ କେତେ ମାଲାମା ରୁଜୁ ହୋଇଛି ? କେତେ ଶିକାରୀଙ୍କୁ ଗିରଫ କରାଯାଇଛି ? ହାତୀ ମୃତ୍ୟୁ ରୋକିବାକୁ ଏସଟିଏଫ କଣ କରୁଛି ? ଏ ସମସ୍ତ ବିବରଣୀ ସହ ସତ୍ୟପାଠ ଦାଖଲ ପାଇଁ ପିସିସିଏଫଙ୍କ କହିଛନ୍ତି କୋର୍ଟ ।

ହାତୀ ମୃତ୍ୟୁ ପ୍ରସଙ୍ଗକୁ ନେଇ ବିଧାନସଭାରେ ବି ଉତ୍ତର ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ । ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯୭୬ ଟି ହାତୀ ଥିଲେ ୫ ବର୍ଷରେ ସେଥିରୁ ୨୩୩ ହାତୀଙ୍କ ଜୀବନ ଯାଇଛି । ୧୪ ହାତୀ ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଅଘାତରେ ୬୩, ଟ୍ରେନ ଚକାତଳେ ୨୦, ସଡକ ଦୁର୍ଘଟଣାରେ ୪ ଓ ପ୍ରାକୃତିକ ଦୁର୍ଘଟଣାରେ ୮୫ ହାତୀଙ୍କର ମୃତ୍ୟୁ ହୋଇଛି । ତେବେ ଏପଯର୍ୟନ୍ତ ୪୭ ହାତୀ ମୃତ୍ୟୁର କାରଣ ଖୋଜି ପାଉନି ବନ ବିଭାଗ ।