ରାଜଧାନୀରେ ମାଡ଼ି ଚାଲିଛି ଡେଙ୍ଗୁ, ଖୋର୍ଦ୍ଧାରେ କେବଳ ୮୦ ରୋଗୀ ରେକର୍ଡ

ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଏ ବର୍ଷ ଦୁଇ ଗୁଣା ବୃଦ୍ଧି ପାଇଛି । ବର୍ଷା ବଢିବା ସହିତ ଡେଙ୍ଗୁ ବି ବଢୁଛି ।

Dengue Case

ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଏ ବର୍ଷ ଦୁଇ ଗୁଣା ବୃଦ୍ଧି ପାଇଛି । ବର୍ଷା ବଢିବା ସହିତ ଡେଙ୍ଗୁ ବି ବଢୁଛି । ଗୁରୁବାର ସୁଦ୍ଧା ରାଜ୍ୟରେ ୨୮୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେହି ଦିନ କେବଳ ୧୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ୨୮୮ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୦ ଜଣ ଚିହ୍ନଟ ହୋଇଛନ୍ତି ।

ସହରାଞ୍ଚଳରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ କଟକ, ଭୁବନେଶ୍ୱରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଗକୁ ବି ବର୍ଷା ଅଛି, ଏଣୁ ଅଧିକ ସତର୍କ ରହିବା ସହ ଅଧିକ ସଚେତନ କରିବାକୁ ପଦକ୍ଷେପ ମଧ୍ୟ ନିଆଯାଇଛି । ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଯେହେତୁ ଟେଷ୍ଟ ସଂଖ୍ୟା ବଢାଯାଇଛି, ଏଣୁ ରୋଗୀ ମଧ୍ୟ ଅଧିକ ଚିହ୍ନଟ ହେଉଛନ୍ତି । ସେପଟେ ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା । ଏଣୁ ବଢ଼ିପାରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ।

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଇପାରେ ।

ସେହିପର ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଅନ୍ୟପଟେ ୩୦ ତାରିଖ ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ।

ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ରହିବ । ୩ ଦିନ ପର୍ଯ୍ୟନ୍ତ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ତେବେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ଏସବୁ ଜିଲ୍ଲାର କିଛି ସ୍ଥାନରେ ୧୨ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ ।

ସେହିପରି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ସତର୍କତା । କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହୋଇପାରେ । ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟ ରହିବା ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ବର୍ଷା ପ୍ରଭାବ ସାମାନ୍ୟ କମିପାରେ । କାଲି ପାଇଁ ୭ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ତେବେ ମୌସୁମୀ ସିଜିନରେ ୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୨୪ ଜିଲ୍ଲାରେ ରେକର୍ଡ ହୋଇଛି ନିଅଣ୍ଟିଆ ବର୍ଷା । ଜୁନ ମାସରେ ୪୧ ପ୍ରତିଶତ କମ୍ ବର୍ଷା ହୋଇଛି । ଜୁନ୍ ୧ରୁ ଏବେ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୩୯% କମ୍ ବର୍ଷା ହୋଇଛି । ୫ ଜିଲ୍ଲାରେ ସ୍ଥିତି ଅତି ଉତ୍କଟ ଏବଂ ୧୭ ଜିଲ୍ଲାରେ ୨୦ରୁ ୫୯% ନିଅଣ୍ଟିଆ ବର୍ଷା ହୋଇଛି ।

ବନ୍ୟା ନିୟନ୍ତ୍ରଣ, ନଦୀ ପୁନରୁଦ୍ଧାର ଓ ଜଳପଥର ଉନ୍ନତୀକରଣ ପାଇଁ ରାଜ୍ୟରେ ଗଠନ ହେବ ୪ଟି ବୈଷୟିକ କମିଟି । ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା ସହିତ, ୪ଟି ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।