ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ ରଥଯାତ୍ରା। ରଥଯାତ୍ରାକୁ ଘୋଷଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ। ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ। ସମଗ୍ର ଭାରତରେ ଦେବତାମାନଙ୍କ ପାଇଁ ଯେତେ ପ୍ରକାରର ରଥ ବ୍ୟବହାର ହୁଏ ତାହା ମଧ୍ୟରେ ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀ ଅତୀବ ରହସ୍ୟମୟ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ।
ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରି ଗୁଣ୍ଡିଚାଘରକୁ ଯାଇଥାନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ‘ନନ୍ଦିଘୋଷ’। ଏହି ରଥକୁ ମଧ୍ୟ ଚକ୍ରଧ୍ୱଜ ବା ଗରୁଡ ଧ୍ୱଜ ନାମରେ ଶାସ୍ତ୍ରରେ କୁହାଯାଇଛି। ତେବେ ଆସନ୍ତୁ ଏହି ନନ୍ଦିଘୋଷ ବିଷୟରେ କିଛି ରୋଚକ କଥା ଜାଣିନେବା।
Also Read
- ମୋଟ ବ୍ୟବହାର କାଠ : ୭୪୨
- ମୋଟ ଚକ ସଂଖ୍ୟା : ୧୬
- ୧୬ଟି ଚକର ନାମ : ବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧୀ, ଜ୍ଞାନ, ପ୍ରେମ, ଆଶକ୍ତ, ରତି, କେଳି, ସତ୍ୟ, ସୁଶ୍ୱସ୍ତି, ଜାଗୃତି, ତୁରୀୟ, ଆତ୍ମ ଓ ନିର୍ବାଣ
- ପ୍ରତି ଚକର ବ୍ୟାସ : ୬'
- ରଥର ଉଚ୍ଚତା : ୪୫'୬"
- ରଥର ଦୈର୍ଘ୍ୟ ଓ ପ୍ରସ୍ଥ : ୩୪'୬" x ୩୪'୬"
- ରଥ ରକ୍ଷକ : ଗରୁଡ/ ନୃସିଂହ
- ଦ୍ୱାରପାଳ : ଜୟ ଓ ବିଜୟ
- ସାରଥୀ : ଦାରୁକ
- ରଥ ପତାକାର ନାମ : ତ୍ରୀଲୋକ ମୋହିନି
- ରଥର ଅସ୍ତ୍ର : ଶଂଖ, ଚକ୍ର
- ରଥର ଘୋଡ଼ା ସଂଖ୍ୟା : ୪
- ଘୋଡ଼ାମାନଙ୍କ ନାମ : ଶଙ୍ଖ, ଶ୍ୱେତ, ବଳାହକ ଓ ହରିଦ୍ୱାଶ
- ଘୋଡ଼ାର ରଙ୍ଗ : ଧଳା
- ରଥ ଦଉଡି : ଶଙ୍ଖଚୂଡ଼
- ରଥର ଶକ୍ତି : ବିମଳା ଓ ବିରଜା
- ରଥ ମୁଖର ନାମ : ନନ୍ଦି ମୁଖ
- ରଥରେ ବ୍ୟବହୃତ କପଡ଼ାର ରଙ୍ଗ : ନାଲି ଓ ହଳଦିଆ
- ଧ୍ୱଜ ମୂର୍ତ୍ତି : ପଞ୍ଚମୁଖୀ ହନୁମାନ
- ପତାକା ଚିହ୍ନ : ଗରୁଡ଼
- ପାର୍ଶ୍ୱ ଦେବଦେବୀ : ପଣ୍ଡୁ ନୃସିଂହ, ନାରାୟଣ, ମଧୁସୂଦନ, ହରିହର, ଚିନ୍ତାମଣି କୃଷ୍ଣ, ଗୋବର୍ଦ୍ଧନଧାରୀ, ପଞ୍ଚମୁଖୀ ହନୁମାନ, ରାମ, ରାବଣ ଛତ୍ର ଭଙ୍ଗ
- ୠଷି ସମୂହ : ନାରଦ, ଦେବାଳ, ବ୍ୟାସ, ଶୁକ, ପରାସର, ବଶିଷ୍ଠ, ବିଶ୍ୱାମିତ୍ର ଓ ରୁଦ୍ର
ପରମ୍ପରା ଅନୁସାରେ ପୁରୀରେ ପ୍ରତିବର୍ଷ ସମ୍ପୁର୍ଣ୍ଣ ଭାବେ ନୂଆ କାଠରେ ରଥ ତିଆରି କରାଯାଏ। ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ନୂତନ ଭାବେ ଏକ ନିର୍ଦ୍ଧିଷ୍ଟ ଉଚ୍ଚତା ଓ ମାପ ଅନୁସାରେ ଏହି ତିନୋଟି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ରଥ ନିର୍ମାଣ ତଥା ରଥଯାତ୍ରାର ପ୍ରଥମ ଶୁଭାରମ୍ଭ ହୋଇଥାଏ ସରସ୍ୱତୀ ପୂଜା ଶ୍ରୀପଞ୍ଚମୀ ତିଥିଠାରୁ।
ନନ୍ଦିଘୋଷ ରଥର ନିର୍ମାଣ କାର୍ଯ୍ୟ ଶେଷ ହେବା ପୂର୍ବରୁ ପ୍ରାୟ ୧୪ ଜଣ ଦରଜୀ ସେବକଙ୍କ ଦ୍ୱାରା ନିର୍ଦ୍ଦିଷ୍ଟ ତିଥିରେ ଆରମ୍ଭ ହୋଇ ରଥ ମଣ୍ଡିଣି କନା ପ୍ରସ୍ତୁତ କରାଯାଇ ତିନି ରଥରେ ସୁସଜ୍ଜିତ କରାଯାଏ।