Advertisment

ପାଖେଇ ଆସୁଛି ଘୋଷଯାତ୍ରା: ଆଜି ନବଯୌବନ ଦର୍ଶନ

ଛଳଛଳ ଭକ୍ତର ଆଖି, ଯୋଡ଼ ହସ୍ତ ନବଯୌବନ ରୂପରେ କାଳିଆକୁ ଟିକେ ଦର୍ଶନର ଅସୁମାରି ଆବେଗ। ହେଲେ ଦୁଆର ବନ୍ଦ, ସିଂହଦ୍ୱାର ଗୁମୁଟରେ ବିରାଜିତ ପତିତପାବନଙ୍କ ସାନିଧ୍ୟରେ ସୀମିତ ଭକ୍ତ ସାମାନ୍ୟ ସାନ୍ତ୍ୱନା ସିନା ମିଳୁଛି ହେଲେ ତୃପ୍ତ ହେଉନି ମନ। ଆଜି ନେତ୍ରୋତ୍ସବ, ଅନବସର ସରିବା ପରେ ଦେଉଳ ଭିତରେ ନବଯୌବନ ରୂପରେ ଝଟକୁଛନ୍ତି ଜଗା, ବଳିଆଙ୍କ ସହ ଚତୁର୍ଦ୍ଧା ମୂରତି

ପାଖେଇ ଆସୁଛି ଘୋଷଯାତ୍ରା: ଆଜି ନବଯୌବନ ଦର୍ଶନ

Ratha Jatra

Advertisment

ପୁରୀ: ଶ୍ରୀମନ୍ଦିରରେ ସରିଛି ଶ୍ରୀଜିଉଙ୍କ ଅନବସର, ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତୀ। ହେଲେ କରୋନା ପାଇଁ ଭକ୍ତକୁ ଦେଉଳ ମନା। ଏପଟେ ୧୨ ତାରିଖ ଘୋଷଯାତ୍ରା ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ତିନି ରଥର ନିର୍ମାଣ କାମ। ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ଫୁଲଦମରେ ଲାଗିଥିବାବେଳେ ୨ଦିନ କର୍ଫ୍ୟୁ ଲଗାଯିବା ପୂର୍ବରୁ ଆସନ୍ତାକାଲି ପୁରୀ ସହରରେ ସଟଡାଉନ୍‌ କୋହଳ ହୋଇଛି।

Advertisment

ଛଳଛଳ ଭକ୍ତର ଆଖି, ଯୋଡ଼ ହସ୍ତ ନବଯୌବନ ରୂପରେ କାଳିଆକୁ ଟିକେ ଦର୍ଶନର ଅସୁମାରି ଆବେଗ। ହେଲେ ଦୁଆର ବନ୍ଦ, ସିଂହଦ୍ୱାର ଗୁମୁଟରେ ବିରାଜିତ ପତିତପାବନଙ୍କ ସାନିଧ୍ୟରେ ସୀମିତ ଭକ୍ତ ସାମାନ୍ୟ ସାନ୍ତ୍ୱନା ସିନା ମିଳୁଛି ହେଲେ ତୃପ୍ତ ହେଉନି ମନ। ଆଜି ନେତ୍ରୋତ୍ସବ, ଅନବସର ସରିବା ପରେ ଦେଉଳ ଭିତରେ ନବଯୌବନ ରୂପରେ ଝଟକୁଛନ୍ତି ଜଗା, ବଳିଆଙ୍କ ସହ ଚତୁର୍ଦ୍ଧା ମୂରତି। ହେଲେ ବାଟ ଓଗାଳିଛି ମହାମାରୀ। ଆଜି ଅବକାଶ ନୀତି ପରେ ଦଶାବତାର ପଟିଦିଅଁ ଦକ୍ଷିଣି ଘରକୁ ବାହୁଡ଼ା ବିଜେ କରିଥିଲେ। ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ଆଖିଝଲସା ରୂପ ମୋକ୍ଷ ପ୍ରଦାନକାରୀ ବୋଲି ବିଶ୍ୱାସ ରହିଛି, କିନ୍ତୁ ଦର୍ଶନରୁ ବଞ୍ଚିତ ଭକ୍ତ। ବ୍ୟାକୁଳ ଥିଲେ ବି ଉପାୟଶୂନ୍ୟ। ଦଇତାପତିମାନେ ସର୍ବାଙ୍ଗ ବନ୍ଦାପନା କରିଥିଲେ। ଏହାପରେ ନେତ୍ରୋତ୍ସବ ବନ୍ଦାପନା ଓ ରାଜନୀତି ହୋଇ ଯାତ୍ରାଙ୍ଗୀ ମହାସ୍ନାନ ହୋଇଥିଲା। ଯଦିଓ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା, ହେଲେ ପରେ ସବୁକିଛି ଠିକ୍ ଠାକ୍ ଚାଲିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତାସହ ଦୁଇ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଜୋରସରରେ ଆଗେଇ ଚାଲିଛି। ପ୍ରାୟ ଦୁଇ ହଜାର ସେବାୟତ ଓ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ସରିଛି। ଯାହାଙ୍କର ନେଗେଟିଭ୍ ରିପୋର୍ଟ ଆସିଛି ସେମାନଙ୍କୁ ପାସ୍ ପ୍ରଦାନ କରାଯାଇଛି ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Advertisment

ସେପଟେ ରଥଖଳାରେ ଦଣ୍ଡାୟମାନ ତିନି ରଥର ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦରଜୀ ସେବକ ମାନେ ଏବେ କନା ମଣ୍ଡଣିରେ ବ୍ୟସ୍ତ, ଆସନ୍ତାକାଲି ସୁଦ୍ଧା କାମ ଶେଷ କରିଦେବେ। ଏଥି ପାଇଁ ପ୍ରାୟ ୧୨୫୦ ମିଟର କନା ବ୍ୟବହାର ହୋଇଛି। ୧୧ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସକାଳ ଧୂପ ସରିଲେ ରଥଖଳାକୁ ଆଜ୍ଞମାଳ ବିଜେ ହେବ। ଏହାପରେ ରଥକୁ ସିଂହଦ୍ୱାର ସାମ୍ନାକୁ ଟଣାଯିବ। ଗତଥର ଭଳି ଏଥର ବି ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ବଡଦାଣ୍ଡ ଉପରେ ଅଧିକ ଫୋକସ୍ ରହିବ। କେହି ନିଜ ଘର ଛାତ ଉପରୁ ରଥଯାତ୍ରା ଦେଖି ପାରିବେ ନାହିଁ। ଜରୁରୀକାଳୀନ ସେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି, କୌଣସି ପରିସ୍ଥିତିରେ ଯେପରି ଏସଓପି ଉଲ୍ଲଂଘନ ନହୁଏ, ସେଥିପ୍ରତି ଉଭୟ ଜିଲ୍ଲା ଓ ପୋଲିସ ପ୍ରଶାସନ ସଜାଗ ରହିଛି। ଜୁଲାଇ ୧୨, ସୋମବାର ରଥଯାତ୍ରା। ତେଣୁ ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ କର୍ଫ୍ୟୁ ବଳବତ୍ତର ରହିବ। ସହରବାସୀ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ ସାଇତି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯିବା ସହ ଆସନ୍ତାକାଲି ଶନିବାର ପୁରୀ ସହରରେ ସଟଡାଉନ୍‌ କୋହଳ କରାଯିବାକୁ ନିଷ୍ପତ୍ତି ହୋଇଛି।

Odisha Puri Ratha Jatra Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ