Advertisment

ନୂଆ ଭାରତର ନୂଆ ବଜେଟ୍: ଫୋକସରେ 5G, ଇଲେକ୍ଟ୍ରିକ୍ ଯାନ

ସ୍ପିଡ୍ ଇଣ୍ଟରନେଟ୍ ପାଇବାକୁ ମୋବାଇଲ୍‌ରେ 5G ନେଟଓ୍ୱର୍କ ପାଇଁ ବି ବେଶୀ ଅପେକ୍ଷା କରିବାକୁ ପଡ଼ିବନି ଦେଶବାସୀଙ୍କୁ।

Budget 2022

Budget 2022

Advertisment

ନୂଆଦିଲ୍ଲୀ: ଭାରତ ଆଣିବ ନିଜସ୍ୱ ଡିଜିଟାଲ୍ ମୁଦ୍ରା। ଇଣ୍ଟରନେଟ୍ ଦୁନିଆରେ ପ୍ରଚଳନ ହେଉଥିବା ଡିଜିଟାଲ୍ କରେନ୍ସିକୁ ୨୦୨୨-୨୩ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବ୍ଲକ୍‌କେନ୍‌ ଟେକ୍ନୋଲୋଜି ବ୍ୟବହାରରେ ଡିଜିଟାଲ୍ ରୁପି ପ୍ରଚଳନ ହେବ ଏବଂ ଏହା ଡିଜିଟାଲ୍ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ନିର୍ମଳା। ଏହି ଡିଜିଟାଲ୍ ଟଙ୍କାର କାରବାର ପାଇଁ ଦେଶର ୭୫ଟି ଜିଲ୍ଲାରେ ୭୫ଟି ଡିଜିଟାଲ୍ ବ୍ୟାଙ୍କିଂ ୟୁନିଟ୍ ପ୍ରତିଷ୍ଠା ହେବ। ତେବେ କ୍ରିପ୍ଟୋକରେନ୍ସି ଭଳି ସବୁ ପ୍ରକାର ଡିଜିଟାଲ୍ ଓ ଭର୍ଚୁଆଲ୍ ଆସେଟ୍‌ରୁ ଆୟ ଉପରେ ୩୦ ପ୍ରତିଶତ ଟିକସ ଘୋଷଣା କରାଯାଇଛି। ଏକ୍ଷେତ୍ରରେ କୌଣସି ଡିଡକ୍ସନ ବା ଏକ୍ଜେମ୍ପସନ୍‌କୁ ଅନୁମତି ମିଳିବ ନାହିଁ। ଡିଜିଟାଲ୍ ଆସେଟ୍ ଟ୍ରାନ୍ସଫର୍ ପାଇଁ ପେମେଣ୍ଟ ଉପରେ ୧ ପ୍ରତିଶତ ଟିଡିଏସ୍ ଲାଗିବ। ତେବେ ଡିଜିଟାଲ୍ କାରବାରରେ କୌଣସି କ୍ଷତି ହେଲେ, ତାର ଅନ୍ୟ କୌଣସି ସୂତ୍ରରେ ଭରଣା କରାଯାଇପାରିବ ନାହିଁ।

Advertisment

ସ୍ପିଡ୍ ଇଣ୍ଟରନେଟ୍ ପାଇବାକୁ ମୋବାଇଲ୍‌ରେ 5G ନେଟଓ୍ୱର୍କ ପାଇଁ ବି ବେଶୀ ଅପେକ୍ଷା କରିବାକୁ ପଡ଼ିବନି ଦେଶବାସୀଙ୍କୁ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ 5G ସେବା ପାଇଁ ସ୍ପେକ୍ଟ୍ରମ୍ ନିଲାମ କରାଯିବ। ଦେଶର ୧୦ରୁ ଅଧିକ ପ୍ରମୁଖ ସହରରେ 5G ନେଟ୍ଓ୍ୱର୍କ ଯୋଗାଇବାକୁ ବିଭିନ୍ନ ଟେଲିକମ୍ କଂପାନୀ ପରୀକ୍ଷଣ ଆରମ୍ଭ କରିସାରିଥିବା ବେଳେ, ଆଗକୁ ଏହି କ୍ଷେତ୍ରକୁ ଆହୁରି ବଳ ଦେବାକୁ ଇନ୍ସେଣ୍ଟିଭ୍ ଘୋଷଣା ହେବ ବୋଲି କହିଛନ୍ତି ନିର୍ମଳା। ଏଥିସହ ଭାରତ ନେଟ୍ ପ୍ରକଳ୍ପ ମାଧ୍ୟମରେ ୨୦୨୫ ସୁଦ୍ଧା ସବୁ ଗାଁରେ ଅପ୍ଟିକାଲ୍ ଫାଇବର ପହଞ୍ଚିବ ବୋଲି ସେ କହିଛନ୍ତି।

ଦେଶରେ ଇଭି ବା ଇଲେକ୍ଟ୍ରିକ୍ ଭେଇକିଲ୍ ଇକୋସିଷ୍ଟମ୍‌ର ଅଭିବୃଦ୍ଧି ପାଇଁ ବି ନିର୍ମଳାଙ୍କ ବଡ଼ ଘୋଷଣା। ଇଭିର ଲୋକପ୍ରିୟତା ବୃଦ୍ଧି ଏବଂ ଉପଭୋକ୍ତାଙ୍କ ସମୟ ବଞ୍ଚାଇବାକୁ ବ୍ୟାଟେରି ସ୍ୱାପିଂ ପଲିସି ଆଣିବ କେନ୍ଦ୍ର। ଯାହା ଫଳରେ ଚାର୍ଜିଂ ଷ୍ଟେସନ୍‌ରେ ଇଲେକ୍ଟ୍ରିକ୍ ଗାଡ଼ିର ବ୍ୟାଟେରି ସହଜରେ ବଦଳାଇ ହେବ। ଏଥିସହ ଆସନ୍ତାବର୍ଷ ଠାରୁ ଇ-ପାସପୋର୍ଟରେ ଚିପ୍ ଓ ଅତ୍ୟାଧୁନିକ ଟେକ୍ନୋଲୋଜି ଯୋଡ଼ାଯିବ। ପ୍ରଚୁର ନିଯୁକ୍ତ ସୁଯୋଗ ଥିବା ଆନିମେସନ୍, ଭିଜୁଆଲ୍ ଇଫେକ୍ଟ, ଗେମିଂ ଓ କମିକ୍ସ ସେକ୍ଟରରେ ଦେଶର କ୍ଷମତା ବୃଦ୍ଧି ପାଇଁ AVGC ପ୍ରମୋସନ୍ ଟାସ୍କଫୋର୍ସ ଗଠନ କରାଯିବ ବୋଲି ନିର୍ମଳା ଘୋଷଣା କରିଛନ୍ତି।

Advertisment
5G Budget 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ