ପାର୍ବଣ ଆସୁ ଆସୁ ଉପରମୁହାଁ ସୁନା ଦର, ଦେଢ଼ ମାସରେ ବଢ଼ିଲାଣି ୫ ହଜାର ୪ ଶହ ଟଙ୍କା

କାଟୁ କଲାନି କେନ୍ଦ୍ରର ସୁନା ଆମଦାନୀ ଶୁଳ୍କ ହ୍ରାସ। ଜୁଲାଇରେ ଯେତିକି ଆଶ୍ବସ୍ତି ଦେଇଥିଲା, ଏବେ ତାଠୁ ଅଧିକ ମହଙ୍ଗା ହେଲାଣି। ଦେଢ଼ ମାସରେ ଦର୍ ପାଖାପାଖି ସାଢ଼େ ୫ ହଜାର ଟଙ୍କା ବଢ଼ିଗଲାଣି।

Gold Price

କାମ କଲାନି କେନ୍ଦ୍ରର ଆମଦାନୀ ଶୁଳ୍କ ରିହାତି । ଶୁଳ୍କ ହ୍ରାସ ପ୍ରଭାବରେ ସୁନା ଦର ଯେତିକି ଖସିଥିଲା, ଏ ଭିତରେ ତା’ଠୁ ଢେର ଅଧିକ ବଢ଼ିଗଲାଣି ଦର୍ । ଦେଢ଼ ମାସରେ ୫ ହଜାର ୪୦୦ ଟଙ୍କା ମହଙ୍ଗା ହେଲାଣି । ଖାଣ୍ଟି ସୁନା ବା ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୭୫ ହଜାର ପାର କଲାଣି । ଆଉ ୨୨ କ୍ୟାରେଟ୍ ୬୯ ହଜାର ଛୁଇଁଲାଣି ।

ଗତ ଜୁଲାଇ ୨୩ରେ ଉପସ୍ଥାପିତ କେନ୍ଦ୍ରୀୟ ବଜେଟରେ ସୁନା ଉପରୁ ଆମଦାନୀ ଶୁଳ୍କ ୧୫ ପ୍ରତିଶତରୁ ୬ ପ୍ରତିଶତକୁ କମାଇଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପ୍ରଭାବରେ ସୁନା ଦାମ ୧୦ ଗ୍ରାମ ପିଛା ପ୍ରାୟ ସାଢ଼େ 4 ହଜାର ଟଙ୍କା ଖସି ଆସିଥିଲା। ଭୁବନେଶ୍ବରରେ ଜୁଲାଇ ୨୨ରେ ଯେଉଁଠି ୨୨ କ୍ୟାରେଟ୍ ସୁନା ଦାମ ୬୮ ହଜାର ୨୦୦ ଟଙ୍କା ଥିଲା, ଜୁଲାଇ ୨୬ରେ ତାହା ୬୩ ହଜାର ୬୦୦ରେ ପହଞ୍ଚିଥିଲା । ହେଲେ, ଦେଢ଼ ମାସ ଭିତରେ ବଦଳି ଯାଇଛି ସ୍ଥିତି । ପୁଣି ଉପରମୁହାଁ ହୋଇ ଚାଲିଛି ସୁନା ଦର । ଗତ ଦୁଇ ଦିନ ଭିତରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୧୮ଶହ ବଢ଼ି ୬୯ ହଜାର ଟଙ୍କାରେ ପହଞ୍ଚିଲାଣି । ସୁନାର ଏମିତି ଉଚ୍ଚାଦର ଦେଖି ଗହଣା କିଣିବାକୁ ଡରିଲେଣି ଗ୍ରାହକ । ଏମିତିକି ବିବାହ, ବ୍ରତ ପାଇଁ ବାଧ୍ୟବାଧକତାରେ ଯିଏ କିଣୁଛି, କ୍ବାଣ୍ଟିଟି କମାଇ ଦେଲେଣି ।

ବଜାର ବିଶେଷଜ୍ଞଙ୍କ କହିବା କଥା, ଭାରତରେ ଗହଣା ବ୍ୟବସାୟ ସଂପୂର୍ଣ୍ଣ ଭାବେ ଆମଦାନୀ ସୁନା ଉପରେ ନିର୍ଭରଶୀଳ । ଆମେରିକାର ଆର୍ଥିକ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ ଫେଡେରାଲ୍ ରିଜର୍ଭ ସୁଧହାର ହ୍ରାସ ଘୋଷଣା କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଣୁ ନିବେଶକମାନେ ଷ୍ଟକ ବଜାର ତୁଳନାରେ ସୁନାରେ ନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି । ଏହା ପ୍ରଭାବରେ ଆନ୍ତର୍ଜାତିକ ବଜାରରେ ସୁନା ଦର ବଢ଼ିଚାଲିଛି। ଆଗକୁ ସୁନା ଦାମ ୯୦ ହଜାର ପର୍ଯ୍ୟନ୍ତ ଛୁଇଁପାରେ ବୋଲି ଆକଳନ କଲେଣି ବଜାର ବିଶେଷଜ୍ଞ । ଆଗକୁ ପାର୍ବଣ ଓ ବିବାହ ଋତୁ । ଏମିତି ସମୟରେ ସୁନାର ଏଭଳି ଦରବୃଦ୍ଧି ଗହଣା ବ୍ୟବସାୟକୁ ବହୁଳ ମାତ୍ରାରେ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି ।