Train Accident
ବାହାନଗା ରେଳ ଦୁର୍ଘଟଣା ପରେ ସବୁଠୁ ବଡ଼ ଆହ୍ବାନ ଥିଲା ଅବିଳମ୍ବେ ମୃତାହତଙ୍କ ଉଦ୍ଧାର କାର୍ଯ୍ୟ। ଆଉ ଏ କାମରେ NDRF, ଓଡ୍ରାଫ୍ ଓ ଓଫଡ୍ରାର ଯବାନ ନେଇଥିଲେ ମୁଖ୍ୟ ଭୂମିକା। ସେ କଠିନ ଆଉ ବିଭତ୍ସତାପୂର୍ଣ୍ଣ ଦୁର୍ଘଟଣାସ୍ଥଳରୁ ଲୋକଙ୍କ ଜୀବନ ବଞ୍ଚାଇବା ଏତେ ସହଜ ନଥିଲେ ବି ନିଜ ମନର ଭାବାବେଗ ଆଉ ଛାତିର କୋହକୁ ଚାପି ରାତି-ଦିନ ଏକ କରି ପ୍ରାୟ ୫୦ ଘଣ୍ଟାର ଅପେରସନ୍ ପରେ ଅନେକ ଲୋକଙ୍କ ଜୀବନ ବଞ୍ଚାଇରେ ସଫଳ ହୋଇଥିଲେ ଏମାନେ। ବାହାନଗା ଅପରେସନ ସାରି କ୍ୟାମ୍ପକୁ ଫେରିବା ପରେ ସେଦିନରେ ସେ ଛାତିଥରା ଅନୁଭୂତି ବଖାଣିଛନ୍ତି କିଛି NDRF, ଓଡ୍ରାଫ୍ ଓ ଓଫଡ୍ରା ଯବାନ।
ଗୋଟିଏ ପଟେ ପ୍ରାଣ ବଞ୍ଚାଇବାକୁ ଦୁର୍ଘଟଣାଗ୍ରସ୍ତ ଦୁର୍ଗତଙ୍କ କରୁଣ ଆର୍ତ୍ତଚିତ୍କାର। ଆଉ ଅନ୍ୟପଟେ ଶବର ପାହାଡ଼ ଉପରେ ଛିଡ଼ା ହୋଇ ତାରି ଭିତରୁ ଜୀବନ ଖୋଜିବାର ଦୁର୍ବାର ପ୍ରୟାସ । ବାହାନଗାର ମର୍ମନ୍ତୁଦ ରେଳ ଦୁର୍ଘଟଣାର ୪ ଦିନ ପରେ ସେ ହୃଦୟ ବିଦାରକ ଆଉ ଛାତିଥରା ଅନୁଭୂତି ବଖାଣିଛନ୍ତି ଉଦ୍ଧାର କାର୍ଯ୍ୟରେ ମୁଖ୍ୟ ଭୂମିକା ନେଇଥିବା କିଛି NDRF ଯବାନ। ମୁଣ୍ତୁଳି NDRF ୟୁନିଟର କନଷ୍ଟେବଳ ଭୀମ କୁମାର। ସେଦିନର ଦୁର୍ଘଟଣା ପରର ସ୍ଥିତି ବଖାଣିବା ବେଳେ ବାଷ୍ପରୁଦ୍ଧ ହୋଇଯାଉଥିଲା ତାଙ୍କ ସ୍ବର। ଦୁର୍ଘଟଣାସ୍ଥଳରେ ଏଣେତେଣେ ବିକ୍ଷିପ୍ତ ହୋଇ ପଡ଼ିଥିଲା ମୃତଦେହ। ଆଉ ତାରି ଭିତରେ ବଂଚିବା ପାଇଁ କାହାର
ସାହାରାକୁ ଅପେକ୍ଷା କରିଥିଲେ ଅନେକ ଗୁରୁତର । ଭାବୁଥିଲେ, କେଉଁ ଇଶ୍ବରଙ୍କ ଅଦୃଶ୍ୟ ହାତ ଆସି, ସେମାନଙ୍କୁ ଏ ମରଣ ମୁହଁରୁ ଉଦ୍ଧାର କରି ନୂଆ ଜୀବନ ଦେବ।
ବଞ୍ଚାଅ ବଞ୍ଚାଅ ଆର୍ତ୍ତନାଦରେ ଫାଟି ପଡୁଥିବା ସେ ପରିବେଶ ଥିଲା ନିହାତି ଭିନ୍ନ ଆଉ କଳ୍ପନା ଅତୀତ। ଆଉ ଠିକ୍ ସେତିକି ବେଳେ ଜଣକ ପରେ ଜଣେ ଗୁରୁତରଙ୍କୁ ଲୌହ ଦାନବର ପଞ୍ଛାରୁ ମୁକୁଳାଉଥିଲେ ଏହି ସାହସୀ NDRF ଯବାନ। ହେଲେ ଶହ ଶହ ମୃତାହତଙ୍କ ଭିତରୁ କାହାକୁ ପ୍ରଥମେ ଉଦ୍ଧାର କରିବେ, ଆଉ କାହାକୁ ପରେ, ସେ ନିଷ୍ପତ୍ତି ନେବାର କଠୋରତା ଅନେକ NDRF ଯବାନଙ୍କ ଛାତିକୁ ବିଦାରି ଦେଉଥିଲା। ଏପଟେ ଆଉ କିଛି ଯବାନ କୁହନ୍ତି, ନିଜ ଚାକିରି କାଳ ଭିତରେ କେବେ ଏଭଳି ବିଭତ୍ସ ଓ କରୁଣ ପରିସ୍ଥିତିର ସାମ୍ନା କରିନଥିବା ଏ ଅନୁଭୂତି ସେମାନଙ୍କ ପାଇଁ ଥିଲା ସମ୍ପୂର୍ଣ୍ଣ ନୂଆ ଓ ନିଆରା ।
ଶୁକ୍ରବାର ସନ୍ଧ୍ୟା ପାଖାପାଖି ୭ଟା ବେଳେ ଏ ଦୁର୍ଘଟଣା ଘଟିବାର ମାତ୍ର ୩୦ ମିନିଟ ଭିତରେ ପହଞ୍ଚିଥିଲା ବାଲେଶ୍ବରରେ ମହଜୁଦ୍ ଥିବା ୨ଟି NDRF ଟିମ୍। ପରେ କଟକ ମୁଣ୍ତୁଳିରୁ ଆଉ ୭ଟି ଟିମ୍ ସେମାନଙ୍କୁ ସାଥ୍ ଦେଇଥିଲା । ରାତି ପ୍ରାୟ ୮ଟାରୁ ଆରମ୍ଭ ହୋଇଥିବା ଏ ଅପରେସନ୍ ଚାଲିଥିଲା ୫୦ ଘଣ୍ଟା । ଅନ୍ଧାର ରାତିରେ ଖଣ୍ଡ ବିଖଣ୍ଡିତ ରେଳ ବଗି ଭିତରୁ ଶକ୍ତ ଲୁହାଖଣ୍ଡ କାଟି ଜୀବନ ବଞ୍ଚାଇବାର ଉଦ୍ୟମ ଅତି ସାଧାରଣ କଥା ନଥିଲା। ହେଲେ ତାରି ଭିତରେ ଅସୀମ ସାହସ, ଧୈର୍ଯ୍ୟ ଓ ବୀରତ୍ବ ଦେଖାଇ ଉଦ୍ଧାର କାର୍ଯ୍ୟକୁ ଆଗକୁ ନେଇଥିଲେ NDRFର ୯ଟି ଟିମ୍ । ଶୁକ୍ରବାର ସାରା ରାତି ଅନିଦ୍ରା ଏବଂ ପରଦିନ ପ୍ରଚଣ୍ଡ ଖରାକୁ ଖାତିର ନକରି ଚାଲିଥିଲା NDRF ର ରେସ୍କ୍ୟୁ ଅପେରସନ।
ବାହାନଗା ଦୁର୍ଘଟଣା ପର ରେସ୍କୁ ଅପରେସନରେ ଅନ୍ୟତମ ପ୍ରମୁଖ ଭୂମିକା ନେଇଥିଲେ କଟକ ସ୍ଥିତ ଓଡ୍ରାଫ୍ ଓ ଭୁବନେଶ୍ବରସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସ୍ପନ୍ସ ଏକାଡେମୀ ୭୫ ଜଣିଆ ଟିମ୍। ରାଜ୍ୟ ସରକାରଙ୍କ ଏହି ଦୁଇ ଲଢୁଆ ଉଦ୍ଧାରକାରୀ ଦଳ ଅତ୍ୟାଧୁନିକ ସାଜ ସରଞ୍ଜାମ ଜରିଆରେ ରାତି-ଦିନ ଲାଗିଥିଲେ ଜୀବନ ଉଦ୍ଧାର କାର୍ଯ୍ୟରେ । ସେଦିନର ସେ ଦୁର୍ଘଟଣା ପରର ସ୍ଥିତି ଅନେକଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ଆଉ କଳ୍ପନାତୀତ ଥିବା କୁହନ୍ତି, ବହୁ ଯବାନ।
ବାହାନଗା ଟ୍ରେନ୍ ଦୁର୍ଘଟଣା ପରର ସ୍ଥିତି କେମିତି ଥିଲା, ମୃତାହତଙ୍କୁ ଉଦ୍ଧାର କରିବାର ଅନୁଭୂତି କଣ ଏବଂ ତା ଭିତରେ ନିଜ ଲୋକଙ୍କୁ ଖୋଜିବାକୁ ସମ୍ପର୍କୀୟଙ୍କ ଭିତରେ ଆତୁରତାର ଦୃଶ୍ୟ କିଭଳି ଥିଲା, ତାହା ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ଜୀବନରେ ଅଭୁଲା ଅନୁଭୂତି ହୋଇ ରହିବ ନିଶ୍ଚୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686066783.jpg)