ହାଅଦ୍ରାବାଦ୍: ରୁଷିଆରେ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ୍-ଭିର ଦ୍ୱିତୀୟ ବ୍ୟାଚ ଆସି ହାଇଦ୍ରାବାଦରେ ପହଞ୍ଚିଛି। ଏକ ସ୍ୱତନ୍ତ୍ର ବିମାନରେ ସ୍ପୁଟନିକ ଭି ଟିକା ଆସି ଆଜି ସକାଳେ ହାଇଦ୍ରାବାଦର ସମଶାବାଦ୍ ଏୟାରପୋର୍ଟରେ ପହଞ୍ଚିଛି। ଟିକା ପହଞ୍ଚିବା ପରେ ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ନିକୋଲେ କୁଦାଶେ ଏନେଇ ସୂଚନା ଦେଇଛନ୍ତି। ଏହାସହ କରୋନା ମୁକାବିଲା କ୍ଷେତ୍ରରେ ଭାରତ ସହ ରୁଷିଆ ପାଦରେ ପାଦ ମିଳାଇ ଚାଲୁଥିବା ସେ କହିଛନ୍ତି। କେବଳ ଏତିକି ନୁହେଁ, ଦୁଇ ଦେଶ ମଧ୍ୟରେ ସଂପର୍କ ଆହୁରି ମଜଭୁତ ହୋଇଥିବା ସେ କହିଛନ୍ତି।
ଏହାସହ ଆଗାମୀ ଦିନରେ ସ୍ପୁଟନିକ୍ ଲାଇଟ୍ ନାଁରେ ସିଙ୍ଗଲ ଡୋଜ୍ ଟିକା ଭାରତରେ ପ୍ରଚଳନ କରାଯିବ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ମେ ପହିଲାରେ ପ୍ରଥମ ବ୍ୟାଚ ଟିକା ଆସି ଭାରତରେ ପହଞ୍ଚିଥିଲା। ଆଗକୁ ମଧ୍ୟ ଆହୁରି ଟିକା ଆସିବ ବୋଲି କୁହାଯାଇଛି। ସେପଟେ ଭାରତରେ ମଧ୍ୟ ସ୍ପୁଟନିକ୍-ଭି ଟିକା ଉତ୍ପାଦନ କରାଯାଉଛି। ଡର ରେଡ୍ଡିସ ଲାବୋରାଟୋରି ପକ୍ଷରୁ ଏହି ଟିକା ହାଇଦ୍ରାବାଦରେ ଉତ୍ପାଦନ କରାଯାଉଛି। ତେବେ ରୁଷିଆରୁ ଆସୁଥିବା ଟିକାର ଦର ନେଇ ଡକ୍ଚର ରେଡ୍ଡିସ ପୂର୍ବରୁ ଘୋଷଣା କରିସାରିଛି। ଜିଏସ୍ଟି ସହ ଗୋଟିଏ ଡୋଜ୍ ଟିକାର ଦାମ୍ ୯୯୫ ଟଙ୍କା ୪୦ ପଇସା ରହିବ। ଅନ୍ୟପକ୍ଷରେ ହାଇଦ୍ରାବାଦରେ ଉତ୍ପାଦନ ହେବା ପରେ ଟିକା ଦର ହ୍ରାସ ପାଇବ ବୋଲି ଆଶା କରାଯାଉଛି।
ସେପଟେ, ଦେଶରେ ଟିକା ଅଭାବ ଯୋଗୁଁ ବ୍ୟବଧାନ ବଢ଼ିନି ବରଂ କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ବୃଦ୍ଧି ବିଜ୍ଞାନ ସମ୍ମତ । ଏକଥାକୁ ଗତକାଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । ଏପରିକି ବ୍ୟବଧାନକୁ ନେଇ କୌଣସି ପ୍ରକାର ଅପପ୍ରଚାର ବୈଜ୍ଞାନିକଙ୍କ ପ୍ରତି ଅପମାନ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଭି.କେ.ପଲ୍ । ସେପଟେ ଓଡ଼ିଶା ସରକାରଙ୍କ ଗ୍ଲୋବାଲ୍ ଟେଣ୍ଡର, ରାଜ୍ୟରେ ଟିକା ଅଭାବ ଦୂର କରିବା ନେଇ ଆଶାବ୍ୟକ୍ତ କରିଛନ୍ତି ଚିଫ୍ ସେକ୍ରେଟାରୀ ।
ଭାରତରେ ଟିକାକରଣ ଜାରି ରହିଥିବା ବେଳେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନାର ଦ୍ୱିତୀୟ ଲହର ଯୋଗୁ ସମଗ୍ର ଦେଶ ଏବେ ବିପଦରେ ପଡ଼ିଛି । ଟିକାର ଦୁଇଟି ଯାଜ ଡୋଜ ନେବା ପରେ ମଧ୍ୟ ଲୋକେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି । ଏପଟେ ବ୍ରିଟେନ୍ ଟିକାକରଣ କାର୍ଯକ୍ରମ ପାଇଁ ପରାମର୍ଶ ଦେଉଥିବା ଶୀର୍ଷ ବୈଜ୍ଞାନିକ ସତର୍କ କରାଇଛନ୍ତି । କରୋନାରୁ ରକ୍ଷା ପାଇବା ପାଇଁ ନିଆଯାଉଥିବା ଟିକା B 1.617.2 ଭାରିଏଣ୍ଟର ସଂକ୍ରମଣ ରୋକିବାରେ ସେତେଟା ପ୍ରଭାବଶାଳୀ ନୁହଁ । ଏଥିପାଇଁ ଭାରତରେ ତୀବ୍ର ବେଗରେ ସଂକ୍ରମିତ ହେଉଛନ୍ତି ଲୋକେ । କରୋନା ଭାଇରସର ଏହି ଭାରିଏଣ୍ଟ ସର୍ବପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା । ତେବେ ଟିକାକରଣକୁ ଆହୁରି ବଢାଯିବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର କହିଛନ୍ତି।