ନୂଆଦିଲ୍ଲୀ: କରୋନା ଭାଇରସ୍ ଦୁଇ ପଡୋଶୀ ଦେଶ ପାକିସ୍ତାନ ଏବଂ ଭାରତରେ କି଼ିଲର ଆତଙ୍କ ସାଜିଛି। ଭାରତରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଲାଗୁ କରାଯାଇଥିଲେ ହେଁ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିନାହିଁ।
ଅନ୍ୟପକ୍ଷେ, ପାକିସ୍ତାନରେ ମଧ୍ୟ କରୋନା ଦ୍ରୁତ ଗତିରେ ତା’ର କାୟା ମେଲାଇ ଚାଲିଛି। ନିକଟରେ ଏକ ସର୍ଭେରୁ ଜଣାପଡ଼ିଛି, ଯଦି ଦୁଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏମିତି ବଢି ଚାଲେ ତେବେ ଅଗଷ୍ଟ ସୁଦ୍ଧା ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଯିବ। ସେହିପରି ପାକିସ୍ତାନରେ କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ପାର୍ କରିଯିବ।
ଆମେରିକାର ୟୁନିଭର୍ସିଟି ଅଫ ମେରିଲାଣ୍ଡର ସଂକ୍ରାମକ ରୋଗ ବିଶେଷଜ୍ଞ ଫହୀମ ୟନୁସ୍ଙ୍କ କହିବା ଅନୁଯାୟୀ, ଭାରତ ଏବଂ ପାକିସ୍ତାନରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି। ଯଦି ସଂକ୍ରମଣ ହାର ନ କମେ ତେବେ ଅଗଷ୍ଟ ୪ ସୁଦ୍ଧ ମୃତ୍ୟୁ ସଂଖ୍ୟା କାହିଁ କେତେ ଗୁଣା ବଢିଯିବ। ସେ ଅନୁମାନ କରିଛନ୍ତି ଯେ, ସଂକ୍ରମଣ ହାର ଏପରି ବଢି ଚାଲିଲେ ଭାରତରେ ମୃୃତ୍ୟୁ ସଂଖ୍ୟା ୩୪ ହଜାର ପାର୍ କରିବ।
ସୂଚନାଥାଉ କି, ଗତ ତିନି ଦିନ ଧରି ଦୈନିକ ୪ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମ୍ନାକୁ ଆସୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୮, ୪୪୭ ଥିବାବେଳେ ୪୮,୫୩୪ ଜଣ ସୁସ୍ଥ ହୋଇଛନ୍ତି। ତେବେ ୩୫୮୩ ଜଣଙ୍କର ମୃତ୍ୟୁ ଘଟିଛି।
ୟୁନୁସ୍ ଏହା ମଧ୍ୟ କହିଛନ୍ତି, ପାକିସ୍ତାନରେ ଅଗଷ୍ଟ ୪ ତାରିଖ ସୁଦ୍ଧା କରୋନା ଭାଇରସ୍ରେ ୫,୩୩୨ ଜଣଙ୍କର ମୃତ୍ୟୁ ଘଟିପାରେ।
ତେବେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୬୬ ଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୦,୬୯୪ ରହିଛି। ପାକିସ୍ତାନର ସିନ୍ଧପ୍ରାନ୍ତରେ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି। ଏହା ପରେ ରହିଛି ପାକିସ୍ତାନର ପଞ୍ଜାବରେ।
ସୂଚନାଥାଉ କି, ଏହି ମହାମାରୀ ସାରା ପୃଥିବୀରୁ ୩ ଲକ୍ଷ ୩୪ ହଜାରରୁ ଅଧିକ ଜୀବନ ନେଇ ସାରିଲାଣି।